Latest Odisha News

କୋଣାର୍କ ନୃତ୍ୟ ଉତ୍ସବ ର ୩ୟ ସନ୍ଧ୍ୟା: ମୁକ୍ତାକାଶ ମଞ୍ଚରେ ରାଧା-କୃଷ୍ଣ ପ୍ରୀତି ବିଳାସ

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରେ ରାଧା-କୃଷ୍ଣ ପ୍ରୀତି ବିଳାସ ପ୍ରସଙ୍ଗ ସହ ରାମୟଣ ସୂର୍ପଣଖା ଚରିତ୍ରର ଦୁଃଖଦ ବିଷୟର ଅଭିନୟ ଆଜିର ସଂଧ୍ୟାକୁ ଯେତିକି ଭାବମୟ କରିଥିଲା, ଦର୍ଶକଙ୍କ ଭରପୁର ଉପସ୍ଥିତ ଆୟୋଜକ ପର୍ଯ୍ୟଟନ ବିଭାଗକୁ ସେତିକି ଉତ୍ସାହିତ କରିଥିଲା ।
ଓଡିଶୀ ଓ କୁଚିପୁଡି ନୃତ୍ୟରେ ପୁରାଣର ଚର୍ଚ୍ଚିତ ପ୍ରସଂଗକୁ ଉପସ୍ଥାପିତ ହେବା ନେଇ ପର୍ଯ୍ୟଟକ ଓ ଦର୍ଶକଙ୍କ କରତାଳି ବୟାନ୍ କରୁଥିଲା ନୃତ୍ୟ ପରିବେଷଣର ନିଖୁଣତା ଓ ଉତ୍କର୍ଷକୁ ।

ପାଞ୍ଚ ଦିନ ବ୍ୟାପି ଆୟୋଜିତ ଆର୍ନ୍ତଜାତୀୟ ଖ୍ୟାତି ସଂପନ୍ନ କୋଣାର୍କ ନୃତ୍ୟ ଉତ୍ସବର ତୃତୀୟ ସଂଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଓଡିଶୀ ନୃତ୍ୟରେ ଲୀଳା ମାଧୁରୀ ଓଡିଆ ସାହିତ୍ୟର ରୀତି ଯୁଗୀୟ ସାଧକ କବିସୂର୍ଯ୍ୟ ବଳଦେବ ରଥଙ୍କ ଅନବଦ୍ୟ କୃତି କିଶୋର ଚନ୍ଦ୍ରନନ୍ଦ ଚମ୍ପୁ ଆଧାରିତ କ ଠାରୁ କ୍ଷ ବର୍ଣ୍ଣମାଳା ଯୁକ୍ତ ପଦ୍ୟାବଳିକୁ ନେଇ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ମିଳନ ଓ ପ୍ରଣୟର ପ୍ରସଙ୍ଗକୁ ମାର୍ମିକ ଭାବେ ଉପସ୍ଥାପନ କରିଥିôଲେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱରର ଶୀଳ୍ପୀଗଣ । ଡ. ସଂଗୀତା ଗୋସାଇଁ ଙ୍କ ପରିକଳ୍ପନା ଓ ପ୍ରଫେସର ନବ କିଶୋର ମିଶ୍ରଙ୍କ ପ୍ରସ୍ତୁତି ଆଲେଖ୍ୟରେ ସଂଗୀତ ସଂଯୋଜନା ରହିଥିଲା ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତୀଙ୍କର । ତାଳବାଦ୍ୟ ରଚନା ଗୁରୁ ସଚିଦାନନ୍ଦ ଦାସ କରିଥିବା ବେଳେ ନୃତ୍ୟ ସଂରଚନା କରିଥିଲେ ଗୁରୁ ନବ କିଶୋର ମିଶ୍ର ଓ ଗୁରୁ ଯୁଧଷ୍ଟିର ନାୟକ ।

ଦ୍ୱିତୀୟ ଚରଣରେ ଖ୍ୟାତନାମା କୁଚିପୁଡି ନୃତ୍ୟଶିଳ୍ପୀ ଶ୍ରୀଲକ୍ଷ୍ମୀ ଗୋବର୍ଦ୍ଧନନ୍ ଓ ସାଥୀ ଶୀଳ୍ପୀ ପ୍ରସ୍ତୁତି କରିଥିଲେ ବିଶିଷ୍ଟ ସଂଗୀତ ବିଦ୍ୱାନ ପଣ୍ଡିତ ଡ. ଏମ୍ ବାଲମୁରଲୀକ୍ରିଷ୍ଣନ୍ ଙ୍କ ଗଣେଷ, ହନୁମାନ ଓ କୃଷ୍ଣ ସ୍ତୃତି ଆଧାରିତ ଆବାହାନୀ ନୃତ୍ୟ ଯାହା ରାଗ-ଆରଭୀ ଓ ଆଦିତାଳରେ ପର୍ଯ୍ୟବେସିତ ଥିଲା । ପରେ ପରେ ପ୍ରସ୍ତୁତ ହୋଇଥିଲା ରାମାୟଣର ଚରିତ୍ର ସୂର୍ପଣଖାର ଦୁଃଖ ଓ ଅସହାୟତାର କାହାଣୀ ।

ଦଶାନନଙ୍କ ନିଧନ ପରେ ସ୍ୱର୍ପଣଖା ନିଜକୁ ଅସହାୟ ମନେକରି ରାମ ଓ ଲକ୍ଷ୍ମଣଙ୍କ ଦ୍ୱାରା ପୂର୍ବ ନିର୍ଯ୍ୟାତନାର ସ୍କୃତିକୁ ରୋମାନ୍ଥନ କରି ବିଷାଦଗ୍ରସ୍ତା ହେବାର ଅନୁଭବକୁ ଶିଳ୍ପୀଗଣ ଚତ୍ମକାର ଭାବେ ମଚାଂୟିତ କରିଥିଲେ । କୁଚିପୁଡିର ଅନ୍ତିମ ଉପସ୍ଥାପନା ଥିଲା ତିଲ୍ଳାନା ଯାହା ପଲ୍ଲବୀ ଅନୁପଲ୍ଲବୀ ଓ ଚରଣମ ଛନ୍ଦ ଆଧାରରେ କୃଷ୍ଣକୁ ସମର୍ପିତ ହୋଇଥିଲା ।

ଅଧ୍ୟାପକ ଡ. ମୃତ୍ୟୁଜଂୟ ରଥ ଓ ଡ. ସାଧନା ଶ୍ରୀବାସ୍ତବଙ୍କ ସଂଯୋଜନାରେ ଉପସ୍ଥିାପିତ ସଂଧ୍ୟାର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱ ଳନ କରି ଉଦ୍ଘାଟନ କରିଥିଲେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ, ପ୍ରଧାନ ମହାଲେଖାକାର ଓଡିଶା ମଧୁମିତା ବସୁ ଓ ବଶିଷ୍ଟ ହକିଖେଳାଳୀ ତଥା ଓଡିଶା ପର୍ଯ୍ୟଟନ ନିଗମ ଉନ୍ନୟନର ଅଧକ୍ଷ ଦିଲ୍ଲିପ ତିର୍କୀ ।

କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ ଦେଇଥିଲେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି ସଂଗୀତ ନାଟକ ଏକାଡେମୀର ସଚିବ ଡ. ବିଜୟ କୁମାର ଜେନା, ଭବାନୀ ଚରଣ ପଣ୍ଡା, ଭାବଗ୍ରାହି ସାହୁ ଓ ଗଣମାଧ୍ୟମକୁ ତଥ୍ୟରେ ସହଯୋଗ କରିଥିଲେ ଶୁସାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ।

ଚନ୍ଦ୍ରଭାଗା ବିସ୍ତିର୍ଣ୍ଣ ବେଳାଭୁମୀରେ ଆର୍ନ୍ତଜାତିକ ବାଲୁକା କଳାର ପ୍ରଦର୍ଶନୀ ପାଇଁ ଆଜି ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.