Latest Odisha News

ରତ୍ନଭଣ୍ଡାର ଚାବି ୧୯୬୦ ପରଠାରୁ ରାଜ୍ୟ ସରକାରଙ୍କ ନିକଟରେ ରହିଛି: ପୂର୍ବତନ ମନ୍ଦିର ଅଧିକାରୀ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳଙ୍କ ପୂର୍ବରୁ ଅବସ୍ଥାପିତ ହୋଇଥିବା ନୀତି ପ୍ରଶାସକ ପ୍ରଦୀପ ଦାଶ ସୋମବାର ଦିନ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକାଠି ୧୯୬୦ ମସିହା ପରଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇ ନାହିଁ ।

“ରାଜ୍ୟ ସରକାର ୧୯୬୦ ମସିହାରେ ମନ୍ଦିରର ପ୍ରଶାସନ ଦାୟିତ୍ୱ ହାତକୁ ନେଇଥିଲେ । ତା’ପରଠାରୁ ରତ୍ନଭଣ୍ଡାର ଚାବି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ । ଚାବି ଉପଲବ୍ଧ ନଥିବା ହେତୁ ୧୯୭୮ ମସିହାରେ ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ତାଲା ଖୋଲାଯାଇ ଶୀଜୀଉ ମାନଙ୍କ ଅଳଙ୍କାର ପରିମାଣ ଆକଳନ କରିବା ନିମନ୍ତେ କଢା ଯାଇଥିଲା । ଦୀର୍ଘ ୨୦ ଦିନ ବ୍ୟାପୀ ଅଳଙ୍କାର ଗୁଡ଼ିକର ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ପୁରୀ ଜିଲ୍ଲାପାଳ ହିଁ ଏହି ରତ୍ନଭଣ୍ଡାର ଚାବି ଗୁଡ଼ିକର ସଂରକ୍ଷଣ ଦାୟିତ୍ୱରେ ଥିଲେ,” ବୋଲି ପ୍ରଦୀପ ଦାଶ ଗଣମାଧ୍ୟମକୁ କହିଛନ୍ତି ।

ଏହି ପୂର୍ବତନ ନୀତି ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି, ସେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ପେଶାଲ୍ ଡ୍ୟୁଟି ଅଫିସର (ଓଏସଡ଼ି)ଭାବେ ୨୦୧୬ ମସିହା ନବକଳେବର ଉତ୍ସବରେ ଅବସ୍ଥାପିତ ହୋଇଥିଲେ, ଏବଂ ଏହି ଉତ୍ସବର ୨ମାସ ପରେ ମନ୍ଦିର ନୀତି ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିଲା ।

ନବକଳେବରରେ ଶ୍ରୀଜୀଉମାନଙ୍କର ବ୍ରହ୍ମ ପରିବର୍ତ୍ତନ ସମୟରେ ହୋଇଥିବା ବିଭ୍ରାଟ ସମ୍ପର୍କରେ ସେ କହିଛନ୍ତି, ନୀତି ବିଳମ୍ବ ହୋଇଥିଲା । “ ଶ୍ରୀଜୀଉମାନଙ୍କର ବ୍ରହ୍ମ ପରିବର୍ତ୍ତନ ସମୟରେ ହୋଇଥିବା ବିଳମ୍ବ ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ଅନୁଷ୍ଠିତ ହୋଇ୍ଥିବା ନବକଳେବର ସମୟରେ ମଧ୍ୟ ଏହି ବିଳମ୍ବ ପରିଲକ୍ଷିତ ହୋଇଛି,” ବୋଲି ସେ କହିଛନ୍ତି ।

ଯଦିଓ ସେ ଦାରୁ ସଂଗ୍ରହ ସମୟରେ ହୋଇଥିବା ଫିକ୍ସିଂ ଅଭିଯୋଗ ସମ୍ପର୍କୀତ ଏକ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ, କିନ୍ତୁ ସେ କହିଛନ୍ତି, ସେହି ଦାରୁରେ ହିଁ ମୂର୍ତ୍ତି ତିଆରି ହୋଇ ଏବେ ପୂଜିତ ହେଉଛନ୍ତି ତେଣୁ ସେ ସମ୍ପର୍କରେ ଏବେ ଆଲୋଚନା କରିବା ଉଚିତ ନୁହେଁ ।

ଏହି ପୂର୍ବତନ ନୀତି ପ୍ରଶାସକ ଜଣକ ମନ୍ଦିର ସେବାୟତଙ୍କୁ ନିଦ୍ଦୋଶ ବୋଲି ବିବେଚିତ କରିଛନ୍ତି । ସେ କହିଛନ୍ତି, ମନ୍ଦିର ମଧ୍ୟରେ ପୂଜା କାର୍ଯ୍ୟ ସହିତ ନୀତିକାନ୍ତି ଦାୟିତ୍ୱରେ ରହିଥିବା ୯୫ ଭାଗ ସେବାୟତ ନିଜର କର୍ତ୍ତବ୍ୟ ଲାଗି ବେଶ୍ ତତ୍ପର ଏବଂ ଦାୟିତ୍ୱବାନ ଅଟନ୍ତି ।

Leave A Reply

Your email address will not be published.