Latest Odisha News

BREAKING NEWS

ଆଜି ଭାରତ-କାନାଡ଼ା ହକି ମ୍ୟାଚ: ଜିତିବା ଲକ୍ଷ୍ୟ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ବିଶ୍ୱକପ ହକିରେ ଆଜି ଭାରତ ଓ କାନାଡ଼ା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ପୁଲ୍ ‘ସି’ରେ ଭାରତ ଓ ବେଲଜିୟମ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ରଖି ୪ ପଏଣ୍ଟ ରଖିଥିବା ବେଳେ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ଉଭୟେ ୧ ପଏଣ୍ଟ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି । ଭାରତ ପୁଲ୍ ଶୀର୍ଷରେ ରହିଥିଲେ ମଧ୍ୟ ଆଜିର ମ୍ୟାଚରେ ବିଜୟ ହାସଲ କରି କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବ ।

କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଆଜିର ପ୍ରଥମ ମ୍ୟାଚ୍ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସନ୍ଧ୍ୟା ୫ଟା ବେଳେ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ବିଜୟୀ ହୋଇ ଦକ୍ଷିଣ ଆଫ୍ରିକା ମଧ୍ୟ କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିବାକୁ ପ୍ରାଣପଣେ ଚେଷ୍ଟା କରିବ । ସେପଟେ ଶକ୍ତିଶାଳୀ ବେଲଜିୟମ ଦଳ ଅଧିକ ଗୋଲ ସ୍କୋର କରବା ସହିତ ମ୍ୟାଚ୍ ଜିତି ଗ୍ରୁପ୍ ଶୀର୍ଷରେ ରହିବାକୁ ପ୍ରଚେଷ୍ଟା ଜାରି ରଖିବାର ସମ୍ଭାବନା ରହିଛି ।

ଆଜିର ଭାରତ ଓ କାନାଡ଼ା ମଧ୍ୟରେ ଗ୍ରୁପ ‘ସି’ର ଅନ୍ତିମ ପୁଲ୍ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବାରୁ ଏହି ମ୍ୟାଚଟି ଆୟୋଜକ ଭାରତୀୟ ଦଳ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱ ହକି ର‌୍ୟାଙ୍କିଂରେ ଭାରତର ସ୍ଥାନ ୫ ନଂରେ ରହିଥିବା ବେଳେ କାନାଡ଼ାର ସ୍ଥାନ ୧୧ତମ ସ୍ଥାନରେ ରହିଛି । ତେଣୁ କାନାଡ଼ା ଅପେକ୍ଷା ବର୍ତ୍ତମାନ ଭାରତ ବେଶ୍ ଶକ୍ତିଶାଳୀ ।

ତଥାପି ଭାରତ ଓ କାନାଡ଼ା ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପୂର୍ବରୁ ୧୦ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି । ସେଥିମଧ୍ୟରୁ ଭାରତ ୬ଟିରେ ବିଜୟ ହାସଲ କରିଥିବା ବେଳେ ୩ଟି ମ୍ୟାଚ୍ କାନାଡ଼ା ଜିତି ପାରିଛି । ଗୋଟିଏ ମ୍ୟଚ୍ ଅମିମାଂସିତ ଭାବେ ଶେଷ ହୋଇଛି । ବିଶ୍ୱକପ ହକିରେ ଭାରତ ଓ କାନାଡ଼ା ମଧ୍ୟରେ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି ଏଥିରେ ୨ଟି ଭାରତ ଏବଂ ୨ଟି ମ୍ୟାଚ୍ କାନାଡ଼ା ଜିତିପାରିଛି ।

ଅଲିମ୍ପିକ୍ସରେ ଭାରତ ୩ଟି ମ୍ୟାଚ୍ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି ।

ଶନିବାର ଦିନ ଭାରତୀୟ ଦଳ କାନାଡ଼ା ଟିମ ସହିତ ମ୍ୟାଚ ଖେଳିବା ପୂର୍ବରୁ ଦଳର କୋଚ୍ ହରେନ୍ଦ୍ର ସିଂହ ଦଳ ଏହି ମ୍ୟାଚକୁ ଗୁରୁତ୍ୱର ସହିତ ନେବା ସହିତ ଜିତିବାକୁ ସବୁମତେ ପ୍ରୟାସ କରିବ ବୋଲି କହିଛନ୍ତି ।

“କାନାଡ଼ା ଠାରୁ ଆମ ଦଳ ଶକ୍ତିଶାଳୀ ତଥା ବିଶ୍ୱର‌୍ୟାଙ୍କିଂରେ ଆମେ ଯଥେଷ୍ଟ ଉପରେ ରହିଥିଲେ ମଧ୍ୟ କାନାଡ଼ାକୁ ଆମେ ନ୍ୟୁନ ମନେ କରିବୁ ନାହିଁ ବରଂ ଆମେ ନିଜ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ” ବୋଲି କହିଛନ୍ତି ଭାରତୀୟ ହକି ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂହ ।

Leave A Reply

Your email address will not be published.