Latest Odisha News

BREAKING NEWS

ସେଲଟର୍ ହୋମ ଯୌନ ଶୋଷଣ ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ର ଏମଡ଼ି

କଟକ: ସେଲଟର୍ ହୋମରେ ନାବାଳିକାଙ୍କ ପ୍ରତି ଯୌନ ଶୋଷଣ ତଥା ଧର୍ମାନ୍ତରୀକରଣ ଅଭିଯୋଗରେ ଗିରଫ ହୋଇଥିବା ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ପରିଚାଳନା ନିର୍ଦ୍ଦେଶକ (ଏମଡି) ଫୟାଜ ରେହମାନ୍ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।

‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ପରିଚାଳନା ନିର୍ଦ୍ଦେଶକ (ଏମଡି) ଫୟାଜ ରେହମାନଙ୍କୁ ଗତ ଡ଼ିସେମ୍ବର ୩ ତାରିଖରେ ଢେଙ୍କାନାଳ ସଦର ଥାନା ପୋଲିସ ସ୍ପେଶାଲ୍ ପୋସ୍କୋ କୋର୍ଟଙ୍କ (ଶିଶୁ ଯୌନ ଶୋଷଣ ସୁରକ୍ଷା) ନିର୍ଦ୍ଦେଶାନୁଯାୟୀ ଗିରଫ କରି ୩ ଦିନିଆ ରିମାଣ୍ଡରେ ନେଇଥିଲେ । ଏହି ୨ ଦିନିଆ ରିମାଣ୍ଡ ସମାପ୍ତ ହେବା ପରେ ପୋଲିସ ରେହମାନଙ୍କୁ ପୋସ୍କୋ ଅଦାଲତରେ ହାଜର କରାଇଥିଲା ଏବଂ ନାବାଳିକା ଯୌନ ଶୋଷଣ ଅଭିଯୋଗ ନେଇ ଅଧିକ ପଚରାଉଚରା ନିମନ୍ତେ ଡ଼ିସେମ୍ବର ୫ ତାରିଖରେ ପୁଣି ଅଧିକ ୨ ଦିନିଆ ରିମାଣ୍ଡରେ ଆଣିଥିଲେ ପୋଲିସ । ତେବେ ଏହି ରିମାଣ୍ଡ ଅବଧି ସମାପ୍ତ ହେବା ପରେ ତାଙ୍କୁ ଡ଼ିସେମ୍ବର ୭ ତାରିଖ ଦିନ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବା ଫଳରେ ତାଙ୍କୁ ଢେଙ୍କାନାଳ ଜେଲକୁ ପଠାଇ ଦିଆଯାଇଥିଲା ।

ଇତିମଧ୍ୟରେ, ସ୍ପେଶାଲ ପୋସ୍କୋ ଅଦାଲତ ମଙ୍ଗଳବାର ଦିନ ଢେଙ୍କାନାଳସ୍ଥିତ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ସଂସ୍ଥାର ସେଲଟର ହୋମ ପ୍ରୋଜେକ୍ଟ ଡାଇରେକ୍ଟର ତଥା ଶାଖା ମ୍ୟାନେଜର ସିମାଞ୍ଚଳ ନାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ସିମାଞ୍ଚଳଙ୍କ ଓକିଲ ତାଙ୍କ ମହକିଲଙ୍କୁ ଜାମିନ ଲାଗି ଅନେକ ପ୍ରକାରର ଯୁକ୍ତି ବାଢିଥିଲେ ମଧ୍ୟ ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ଅଦାଲତ ଜାମିନ ନଦେବା କାରଣ ସମ୍ପର୍କରେ କହିଥିଲେ, ଏହି ମାମଲାରେ ଅଦାଲତରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଲେ ସାକ୍ଷୀ ତଥା ପ୍ରମାଣ ନଷ୍ଟ କରିଦେବାର ସୁଯୋଗ ରହିଛି । ଏହି ଯୁକ୍ତି ବଳରେ ଅଭିଯୁକ୍ତ ସିମାଞ୍ଚଳଙ୍କ ଜାମିନ ଖାରଜ ହୋଇଥିଲା ।

ସିମାଞ୍ଚଳଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି, ତାଙ୍କର ମହକିଲଙ୍କ ଜାମିନ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ।

ଢେଙ୍କାନାଳର ଏହି ସେଲଟର୍ ହୋମରେ ନାବାଳିକାଙ୍କ ଉପରେ ଯୌନ ଶୋଷଣ କରାଯାଉଥିବା କଥା ପ୍ରଥମେ ପଦାକୁ ଆସିଥିଲା ଯେତେବେଳେ ସିମାଞ୍ଚଳ ନାୟକ ଗଣମାଧ୍ୟମ ସାମ୍ନାରେ ସେଠାରେ ଘଟୁଥିବା ଯୌନ ଶୋଷଣ ଘଟଣା ସମ୍ପର୍କରେ ପ୍ରକାଶ କରିଥିଲେ ।

ସୂଚନାନୁଯାୟୀ, ସିମାଞ୍ଚଳ ନାୟକ ତାଙ୍କ ଦରମା ବୃଦ୍ଧି କରିବାକୁ ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ କର୍ତ୍ତୃପକ୍ଷଙ୍କୁ ବାରମ୍ଭାର ଅନୁରୋଧ କରିଥିଲେ । କିନ୍ତୁ ସିମାଞ୍ଚଳଙ୍କ ଦରମା ବୃଦ୍ଧି ନହେବା ଯୋଗୁଁ ସେ ଗଣମାଧ୍ୟମ ଆଗରେ ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ର ଏମଡ଼ିଙ୍କ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ । ଏମଡ଼ି ସେଲଟର୍ ହୋମରେ ଆଶ୍ରୟ ନେଇଥିବା ଛୋଟ ଛୋଟ ଝିଅ ତଥା ନାବାଳିକାମାନଙ୍କୁ ଚୁମ୍ବନ ଦେଉଥିଲେ ତଥା ଅକାରଣରେ ନାବାଳିକାମାନଙ୍କୁ ଆଲିଙ୍ଗନ କରୁଥିଲେ ।

ପରବର୍ତ୍ତୀ ସମୟରେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶିଶୁ ସୁରକ୍ଷା ଅଧିକାରୀ (ସିପିଓ) ଅନୁରାଧା ଗୋସ୍ୱାମୀ ଏସମ୍ପର୍କରେ ଢେଙ୍କାନାଳ ସଦର ଥାନାରେ ଏକ ଅଭିଯୋଗ ଦାଏର କରିଥିଲେ । ଏହି ଘଟଣା ନେଇ ପୋଲିସ ଏହି ସେଲଟର୍ ହୋମର ପରିଚାଳନା ନିର୍ଦ୍ଦେଶକ ଫୟାଜ ରେହମାନ, ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଉଦିତ କୁମାର ଲିମା ଏବଂ ପ୍ରୋଜେକ୍ଟ ଡ଼ାଇରେକ୍ଟର ସିମାଞ୍ଚଳ ନାୟକଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.