Latest Odisha News

ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର : ସମଗ୍ର ଓଡ଼ିଶାରେ ଶୀତର ଲହରୀ ପ୍ରଭାବ ବିସ୍ତାର କରିଥିବା ବେଳେ ରବିବାର ଦିନ ପାଖାପାଖି ୧୦ଟି ସ୍ଥାନରେ ପାରଦ ୧୦ ଡ଼ିଗ୍ରୀ ସେଲସିୟସ୍ ତଳକୁ ଖସିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ଏକ ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ‘ଓଡ଼ିଶାର କାଶ୍ମୀର’ କୁହାଯାଉଥିବା ଦାରିଙ୍ଗିବାଡ଼ିରେ ତାପମାତ୍ରା ସର୍ବନିମ୍ନ ୭.୫ ଡ଼ିଗ୍ରିରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଯେଉଁ ଜିଲ୍ଲାରେ ତାପମାତ୍ରା ସର୍ବନିମ୍ନ ୧୦ ଡ଼ିଗ୍ରୀରେ ପହଞ୍ଚିଛି ସେହି ଜିଲ୍ଲା ଗୁଡ଼ିକ ହେଲା ଯଥାକ୍ରମେ, ବାଲେଶ୍ୱର (୯) ଅନୁଗୁଳ (୮), ସୁନ୍ଦରଗଡ଼ (୯.୫), ଝାରସୁଗୁଡା (୯.୩), ସମ୍ବଲପୁର (୯.୩), ତାଳଚେର (୯.୩), ସୋନପୁର (୯) ଏବଂ ଫୁଲବାଣୀ (୮.୪) ଡ଼ିଗ୍ରୀରେ ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି । ସେହିପରି ୧୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିବା ସ୍ଥାନ ହେଉଛି ଚାନ୍ଦବାଲି (୧୦.୪), ବାରିପଦା (୧୦), ହିରାକୁଦ (୧୦.୮), ବଲାଙ୍ଗୀର (୧୦.୫) ଏବଂ ଭବାନୀପାଟଣା (୧୦.୫) ।

କଟକରେ ତାପମାତ୍ରା ହ୍ରାସ ପାଇ ୧୦.୨ ଡ଼ିଗ୍ରୀରେ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୧.୧ ଡ଼ିଗ୍ରୀରେ ପହଞ୍ଚିଛି ।

ଆହୁରି ମଧ୍ୟ ଉପକୂଳ ଅଞ୍ଚଳରେ ମଧ୍ୟ ଶୀତର ପ୍ରକୋପ ଦେଖାଦେଇଛି । ପାରାଦୀପ (୧୨.୨), ଗୋପାଳପୁର (୧୫.୫) ଏବଂ ପୁରୀରେ (୧୩.୬) ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟର କେତେକ ସ୍ଥାନରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ତାପମାତ୍ରା ୩-୪ ଡ଼ିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ।

Leave A Reply

Your email address will not be published.