Latest Odisha News

BREAKING NEWS

କବିତା:ଶୁଣୁଛି ବୋଲିତ ତୁମକୁ

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ଶୁଣୁଛି ବୋଲିତ ତୁମକୁ
ଫେରୁଛି ମୁଁ ପୃଥିବୀକୁ
ବାରମ୍ବାର ଆଡେଇ ମୋକ୍ଷକୁ
ଯୋଗାଡି ନେଉଛି ଦେହଟେ
ନପଚାରି ଜାତି,ଧର୍ମ,ବର୍ଣ୍ଣ,
ନବିଚାରି ପ୍ରାନ୍ତ ଓ ପ୍ରଦେଶ।

ଶୁଣୁଛି ବୋଲିତ ତୁମକୁ
ନିବିଷ୍ଟ ମଧୁମକ୍ଷୀଟିଏ ପରି
ପଳପଳ ପିଉଛି
ଜୀବନର ବିଷାକ୍ତ ମୋହକୁ,
ହତାଶାର ଦିଶାହୀନ ମରୁପଥେ
ପାବନୀ ଗଙ୍ଗାଧାର ସମ
ବୁହାଇ ଚାଲିଛି ଲୁହକୁ,
ଚାଲିଛି ଯେ ଚାଲିଛି
ଅଟକୁନି ଅବସନ୍ନ ପାଦ
ପଥ ମଧ୍ୟ ହେଉନାହିଁ ଶେଷ।

ଶୁଣୁଛି ବୋଲିତ ତୁମକୁ
ଗଣୁଛି ମୁଁ ଆକାଶର ତାରା
ସାଗରର ମାଳ ମାଳ ଢେଉ,
ବେଳାଭୂମିର ବାଲି
ଗୋଟିଗୋଟି କରି
କାଳେ ତହୁଁ କେଉଁ ଗୋଟାକରୁ
ମିଳିଯିବ ତମସହ ପ୍ରଥମ ଦେଖାର
ଝାପ୍ସା ଦସ୍ତାବିଜ;
ପହିଲି ପ୍ରେମର ପ୍ରମାଣ,
ତମସହ କଟିଥିବା ଜୀବନର
କିଛି ଅବଶେଷ।।

ହରସିଂହ ପୂର,ପୀରହାଟ ବଜାର
ଭଦ୍ରକ-୭୫୬୧୩୧
୯୯୩୭୫୪୮୪୩୧ / ୯୪୩୮୬୭୦୧୨୦

Leave A Reply

Your email address will not be published.