Latest Odisha News

BREAKING NEWS

ନିର୍ବାଚନରେ ବିଜେଡ଼ି ଏକୁଟିଆ ଲଢିବ: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ତାଙ୍କ ଦଳ ବିଜେପି ଏବଂ କଂଗ୍ରେସ ଦଳଠାରୁ ସମଦୂରତ୍ୱ ବଜାୟ ରଖିବା ସହିତ ବିରୋଧି ମହାଗଠବନ୍ଧନଠାରୁ ଦୂରରେ ରହିବ ବୋଲି ପୁଣି ଥରେ ସଷ୍ଟୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟବାସୀ ବାରମ୍ବାର ଆମକୁ ଜିତାଇବାର କାରଣ, ଆମେ ଯାହା ପ୍ରତିଶୃତି ଦେଉ, ତାହା ପୂରଣ କରୁ ବୋଲି ନବୀନ କହିଛନ୍ତି ।

“ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ବଜାୟ ରଖିବା ନୀତିକୁ ହିଁ ଆମେ ବଜାୟ ରଖିବୁ । ଆମେ ଏହା ପୂର୍ବରୁ କରିଛୁ, ଏବଂ ଏବେ ମଧ୍ୟ ତାହା ଜାରି ରଖିବୁ,” ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆ ଟୁଡ଼େ’ର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ବୁଧବାର ଦିନ ନବୀନ ବିରୋଧୀଦଳମାନଙ୍କ ଦ୍ୱାରା ଗଠନ କରାଯାଇଥିବା ମହାଗଠବନ୍ଧନରେ ସାମିଲ ହେବାର ସମସ୍ତ ଅଟକଳ ଓ ସମ୍ଭାବନାକୁ ଅସ୍ୱୀକାର କରିଦେଇଥିଲେ । ତାଙ୍କ ଦଳ ଏହି ନିର୍ବାଚନରେ ଏକୁଟିଆ ଲଢିବ ବୋଲି ମଧ୍ୟ ସୂଚନା ପ୍ରଦାନ କରିଥିଲେ ।

ଓଡ଼ିଶାବାସୀ କ’ଣ ୫ମ ଥର ଲାଗି ପୁଣି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଯାଉଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ନିର୍ବାଚିତ କରିବାର କାରଣ ହେଉଛି, ତାଙ୍କ ସରକାର ନିରବଚ୍ଛିନ୍ନ ଭାବେ ବିକାଶମୂଳକ କାର୍ଯ୍ୟ କରିବା ସହିତ ଲୋକଙ୍କ ଲାଗି କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଜାରି ରଖିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଦରଦାମ ବୃଦ୍ଧି, କୃଷି ସଙ୍କଟ ଏବଂ ବେରୋଜଗାରୀ ବୃଦ୍ଧି ହିଁ ଏହି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ରହିବ ।

ସମାଜକୁ ବଦଳାଇବାର ପ୍ରତିବଦ୍ଧତା, ଆପଣଙ୍କ ପାରିପାଶ୍ୱର୍ୀକ ଜୀବନଗୁଡ଼ିକୁ ବଦଳାଇଦେବାର ସଂକଳ୍ପ ଆପଣଙ୍କ ଆଗମୀ ପିଢି ଲାଗି ଦୃଷ୍ଟାନ୍ତ ହୋଇପାରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡ଼ିଶା ଜନସଂଖ୍ୟାରେ ଥିବା ୪୦ ପ୍ରତିଶତ ଯୁବବର୍ଗ କ୍ରିଡ଼ା, ଉଦ୍ୟୋଗ ତଥା ଅନ୍ୟାନ୍ୟ ବିବିଧ କ୍ଷେତ୍ରରେ ନିଜ ନିଜର କୌଶଳ ଅବଲମ୍ବନ କରୁଛନ୍ତି । ଓଡ଼ିଶାର ଯୁବବର୍ଗ ଉର୍ଜାବାନ ସମାଜ ଓ ରାଷ୍ଟ୍ରର ହିତ ଲାଗି ସଦା ସର୍ବଦା ଆଗଭର ରହିଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.