Latest Odisha News

BREAKING NEWS

ଧଉଳି କଳିଙ୍ଗ ନୃତ୍ୟ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା, ଭରତନାଟ୍ୟମର ଅଦ୍ଵିତୀୟ ଭାବବିନ୍ୟାସ

ଶାସ୍ତ୍ରୀୟ ନୃତ୍ୟ ଦେଖିବା ଓ ତାକୁ ଅନୁଭବ କରିବା, ଏକ ଭିନ୍ନ କଳା। ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ନିଜସ୍ଵ ମାର୍ଗ ରହିଥାଏ ଓ ସେ ମାର୍ଗ ବିଷୟରେ ଜାଣିନଥିବା ଲୋକ ପାଇଁ ଏ ପ୍ରକାର ନୃତ୍ୟ ଓ ସଙ୍ଗୀତ ଅତ୍ୟନ୍ତ ଦୁର୍ଗମ। ସବୁଠୁ ବଡ କଥା ହେଉଛି, ଭାରତ ପୃଥିବୀର ସର୍ବ ପୁରାତନ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଭୂମି ହୋଇଥିଲେ ମଧ୍ୟ, ଆମର ପାରମ୍ପରିକ ସଙ୍ଗୀତ ଓ ନୃତ୍ୟର ରସିକଙ୍କ ସଂଖ୍ୟା ଯଥେଷ୍ଟ କମ। ୟୁରୋପ କିମ୍ବା ଆମେରିକାରେ “ବାଲେ” ନ ବୁଝୁଥିବା ଲୋକକୁ ଲୋକେ ହତାଦର କରିବାର ସମ୍ଭାବନା ଅଧିକ, ହେଲେ ଆମର ଏଠି ଭରତନାଟ୍ୟମ ବା ଓଡିଶୀ ବୁଝିପାରେଣୀ ବୋଲି କହିବାରେ ଏକ ଛଦ୍ମ ଗୌରବବୋଧ ରହିଥାଏ। ସେହି ପୃଷ୍ଠଭୂମିରେ ଆମେ ଯେତେବେଳେ ଅଧିକରୁ ଅଧିକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମାରୋହ ଆୟୋଜନ କରୁଛୁ, ତାହା ଏକ ଆଶ୍ଵାସନାର ବିଷୟ। ଗତ ୬ ଫେବୃଆରିରୁ ଆରମ୍ଭ ହୋଇଥିବା ଧଉଳି ନୃତ୍ୟ ସମାରୋହର ପରିଚୟ ସେ ଦୃଷ୍ଟିରୁ ଟିକେ ନିଆରା ମଧ୍ୟ। ଏହା ଓଡିଶାର ଏକମାତ୍ର ଉତ୍ସବ ଯେଉଁଠି ଶାସ୍ତ୍ରୀୟ, ଲୋକ ଓ ସାମରିକ ନୃତ୍ୟ ଏକାଠି ପ୍ରଦର୍ଶିତ ହୋଇଥାଏ।

ଧଉଳି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଚେନ୍ନାଇର ପ୍ରସିଦ୍ଧ ଭରତନାଟ୍ୟମ ଗୁରୁ ଅନୀତା ଗୁହାଙ୍କ ପରିବେଷଣ।ଶାସ୍ତ୍ରୀୟ ନୃତ୍ୟରେ ମାର୍ଗମର ଧାରାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଅନୀତା ନିଜ ନୃତ୍ୟ ସଂରଚନାରେ ସଂକ୍ଷିପ୍ତ କିନ୍ତୁ ସ୍ପଷ୍ଟ ଚିତ୍ର ଦେବାକୁ ଚେଷ୍ଟା କରିଥିଲେ। “ଭାରତାଞ୍ଜଳି” କ୍ରମରେ ଛୋଟ ଛୋଟ ପାଞ୍ଚୋଟି ନୃତ୍ୟକୁ ଏକାଠି ଗୁନ୍ଥିବାରେ ଅନୀତା ବେଶ ଚମତ୍କାରିତା ଦେଖାଇଥିଲେ। କୃଷ୍ଣ, ରାମ, ଶିବ ଓ ହନୁମାନଙ୍କୁ ବିଭିନ୍ନ ପର୍ୟାୟରେ ନୃତ୍ୟଶିଳ୍ପୀମାନେ ବନ୍ଦନା କରିଛନ୍ତି। କୌଣସି ବନ୍ଦନା ଲମ୍ବା ନଥିଲା। “ବହୁତ ଛୋଟ କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳୀ”- ଏହା ହିଁ ଅନୀତାଙ୍କର ସାମର୍ଥ୍ୟ। ଏପରିକି ଯତିସ୍ଵରମ-ସାହିତ୍ୟରେ ବାଳି ବଧ ଓ ରାମ ସୁଗ୍ରୀବ ଭେଟକୁ ଖୁବ ଅଳ୍ପରେ ଉପସ୍ଥାପନ କରାଯାଇଥିଲା। ସାଧାରଣତଃ ଯତିସ୍ଵରମରେ ବର୍ଣ୍ଣନା ବାହୁଲ୍ୟ ରହିଥାଏ, ଅନୀତା କିନ୍ତୁ ଏହାକୁ ଅଲଗା ଭାବେ ଦେଖିଛନ୍ତି। ଶିବଙ୍କର ପାଞ୍ଚୋଟି ସ୍ୱରୂପ ବର୍ଣ୍ଣନା କଲାବେଳେ ଦକ୍ଷିଣ ଭାରତୀୟ ସ୍ଥାପତ୍ୟର ଚଳନ୍ତି ନୃତ୍ୟରୂପ ଦିଶି ଯାଇଥିଲା।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ ଆର୍ଟ ଭିଜନ୍‍ର ଶିଳ୍ପୀମାନେ । ସେମାନଙ୍କର ପ୍ରସ୍ତୁତିରେ ଥିଲ ରାଗ କଳାବତୀ ଓ ତାଳ ତ୍ରିପଟାରେ ନିବଦ୍ଧ ପଲ୍ଲବୀ ପରେ ପରେ କବି କାଳିଦାସଙ୍କ ରଚନାରୁ ଉଦ୍ଧୃତ ମେଘଦୁତମ୍‍ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିୟାନା ସିତାରିସ୍ତ ।ମହାକବି କାଳିଦାସଙ୍କ “ମେଘଦୂତ” ର ନୃତ୍ୟ ସଂରଚନା ସହିତ ସମାନ୍ତରାଳରେ ହେଲେନ ବ୍ରହ୍ମାଙ୍କ ଚିତ୍ର ମଧ୍ୟ ଗତିଶୀଳ ଥିଲା।

ସନ୍ଧ୍ୟାର ଅନ୍ତିମ ପ୍ରସ୍ତୁତି ଥିଲା ପୁରୁଲିଆ ଛଉ ନୃତ୍ୟ। ପ୍ରସିଦ୍ଧ “ମହିଷା ମର୍ଦ୍ଦିନୀ” ନୃତ୍ୟ ଭିତରେ ପଶୁ ନୃତ୍ୟର ଏକ ଚମତ୍କାର ସଂସର୍ଗ ପ୍ରସ୍ତୁତ କରା ଯାଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା; ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ; ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧକ୍ଷା ଶ୍ରୀମୟୀ ମିଶ୍ର ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଇ. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସାୟିଦ୍‍ ।

 

Leave A Reply

Your email address will not be published.