ଭୁବନେଶ୍ୱର: ଫେରିଲା କରୋନା ଡର। କିଛି ଦିନ ହେବ କୋଭିଡ କଟକଣାକୁ ଏକପ୍ରକାର ଲୋକେ ଭୁଲି ଯାଇଥିବା ବେଳେ ପୁଣି ଥରେ ଏନେଇ ଆରମ୍ଭ ହୋଇଛି ସଚେତନତା।
କିଛି ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଥିବା ବେଳେ ଓଡ଼ିଶାରେ ଏହାର ପୁନରାବୃତ୍ତି ନେହେବ ନେଇ ପ୍ରଶାସନ ତତ୍ପରତା ଦେଖାଇଛି। ଏନେଇ ଆଜିଠୁ ରାଜଧାନୀରେ କଡାକଡି ହୋଇଛି କରୋନା କଟକଣା ।
ଆଉ ଢିଲାପଣ ଚଳିବନି । ଅମାନିଆଙ୍କ ଉପରେ ନଜର ରଖାଯିବ । ନିୟମ ନମାନିଲେ ତଣ୍ଡ ଗଣିବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ମହାରାଷ୍ଟ୍ରଠୁ ଆରମ୍ଭ କରି କେରଳରେ କୋଭିଡ କେସ୍ ବଢ଼ିଲାଣି । ପଡ଼ୋଶୀ ଛତିଶଗଡ଼ରେ ବି ସଂକ୍ରମଣ ଉପରମୁହାଁ । ତେଣୁ ଭୁବନେଶ୍ବର ମହାନଗର ନିଗମ ଏବଂ ପୋଲିସ ତତ୍ପର ହୋଇ ଉଠିଛି।
ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି।
ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ। ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ। ଏଥିପାଇଁ ଗତ ଦୁଇଦିନ ତଳେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଥିଲେ।
ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ଆଜି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସଂକ୍ରମଣ ପ୍ରତିହତ ପାଇଁ ଆବଶ୍ୟକ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ନିର୍ଦ୍ଦେଶାବଳୀ ଅନୁଯାୟୀ, କୋଭିଡ ନିୟମ ଅନୁପାଳନ ହେଉଛି କି ନାହିଁ ସେ ନେଇ ଏବେ ଜିଲ୍ଲା ପ୍ରଶାସନ ଓ ପୁଲିସ ଯାଞ୍ଚ କରିବାକୁ ହେବ। ମୁହଁରେ ମାସ୍କ, ଅଫିସ, ଶିକ୍ଷାନୁଷ୍ଠାନ ଓ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ନିୟମ ଯେପରି କଡ଼ାକଡ଼ି ଅନୁପାଳନ ହେବ, ସେ ନେଇ ମଧ୍ୟ ସେମାନେ ତନାଘନା କରିବେ। ସମସ୍ତ ବଜାର, ମାର୍କେଟ ଓ ହାଟ ସ୍ଥଳରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପ୍ରଚାର କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦେଶ ଦିଆଯାଇଛି।
Comments are closed.