Latest Odisha News

କେମିତି ଅଛନ୍ତି କରୋନା ଭ୍ୟାକ୍ସିନ୍ ପାଇନଥିବା ଦେଶ ? ସ୍ଥିତି କଣ ?

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ କୋଭିଡ୍ ସଂକ୍ରମଣକୁ ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ବର୍ଷେ ଭିତରେ କରୋନା କାୟାରେ ଅନେକ ଜୀବନ ଯାଇଛି, ଅନେକ ଆକ୍ରାନ୍ତ ହୋଇଛନ୍ତି । ଏବେ ଦୁନିଆର ଅନେକ ଦେଶର କରୋନା ସଂକ୍ରମଣ ପୁଣି ଫେରିଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନାର ନୂଆ ନୂଆ ରୂପ ଚିନ୍ତା ବଢ଼ାଇଛି । ସାଉଥ ଆଫ୍ରିକା, ବ୍ରାଜିଲ୍, ଭାରତ, ଜାପାନ, ୟୁକେ, ଫିଲଲ୍ୟାଣ୍ଡ ସମେତ କେତେକ ଦେଶର ନୂଆ ଷ୍ଟ୍ରେନର ମାମଲା ଚିହ୍ନଟ ହେଉଛି । ଯାହାକି ପୂର୍ବ ଭାରିଆଣ୍ଟରୁ ଅଧିକ ଘାତକ । କାରଣ ନୂଆ ଷ୍ଟ୍ରେନ୍ ଶୀଘ୍ର ଅନ୍ୟଙ୍କୁ ସଂକ୍ରମିତ କରୁଛି ।

ଏମିତି ସ୍ଥିତିରେ ଭ୍ୟାକ୍ସିନକୁ ନେଇ ଲଢ଼େଇ ଜାରି ରହିଛି । ଦୁନିଆର ୮୭ଟି ଦେଶରେ କୋଭିଡ୍ ଟିକାକରଣ ଚାଲିଛି । ଏବେ ଯାଏ ୨୦ କୋଟି ଲୋକଙ୍କୁ ଭ୍ୟାକ୍ସିନର ଡୋଜ୍ ମଧ୍ୟ ଦିଆଯାଇଛି । ଏହାଠାରୁ ଅଧିକ ଜନସଂଖ୍ୟାଙ୍କ ପାଖରେ ଭ୍ୟାକ୍ସିନ୍ ପହଞ୍ଚି ପାରିନାହିଁ । ପ୍ରତିଦିନ ବିଶ୍ୱରେ ହାରାହାରି ୬୫ ଲକ୍ଷ ୨ ହଜାର ୮୫୩ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯାଉଛି । ଯଦି ଏହି ଗତିରେ ଟିକାକରଣ ଚାଲେ ତ ଦୁନିଆର ୭୫ ପ୍ରତିଶତ ଲୋକଙ୍କୁ ଟିକା ଦେବାକୁ ୪ ବର୍ଷ ୮ ମାସ ସମୟ ଲାଗିବ । ବିଶେଷଜ୍ଞ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏମିତି ହେଲେ ମହାମାରୀରୁ ମୁକ୍ତି ପାଇବା ଲାଗି ଲମ୍ବା ସମୟ ଲାଗିବ ।

ଭ୍ୟାକ୍ସିନ୍ ନ୍ୟାସନାଲଜିମ୍

ଜାତିସଂଘ ମହାସଚିବ ଗୁଟରେସଙ୍କ ଅନୁସାରେ, ଦୁନିଆରେ ୧୩୦ରୁ ଅଧିକ ଦେଶ ଏମିତି ଅଛନ୍ତି ଯେଉଁଠି ଏବେ ଯାଏ କୋଭିଡ୍ ଭ୍ୟାକ୍ସିନର ଗୋଟିଏ ବି ଡୋଜ୍ ପହଞ୍ଚି ନାହିଁ । ଯେତେବେଳେ କି ଦୁନିଆରେ ଅନୁମୋଦିତ ୭୫ ପ୍ରତିଶତ ଭ୍ୟାକ୍ସିନ୍ ଉପରେ ୧୦ ଦେଶଙ୍କ ଆଧିପତ୍ୟ ରହିଛି । କୋଭିଡ୍ ଟିକାକରଣ ଆମେରିକା ସବୁଠୁ ଆଗରେ ରହିଛି । ଆମେରିକାରେ ଏବେ ଯାଏ ୫ କୋଟି ୭୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଆମେରିକା ପରେ ଚୀନ ଓ ୟୁରୋପୀୟ ୟୁନିୟନ୍ ଦେଶ ଅଛନ୍ତି । ଜନସଂଖ୍ୟା ଅନୁସାରେ ଦେଖିଲେ ୟୁଏଇ ତାର ଜନସଂଖ୍ୟାର ୮୧ ପ୍ରତିଶତ ଓ ଇସ୍ରାଏଲ ତାର ଜନସଂଖ୍ୟାର ୫୪ ପ୍ରତିଶତ ଲୋକଙ୍କୁ ଭ୍ୟାକ୍ସିନର ଗୋଟିଏ ଡୋଜ୍ ଦେଇଛି ।

ଆଫ୍ରିକାକୁ ନେଇ କାହିଁକି ଚିନ୍ତା ?

ତେବେ, ବିଳମ୍ବରେ କରୋନା ସଂକ୍ରମଣ ହୋଇଥିବା ଗରିବ ଓ ମଧ୍ୟମ ଆୟକାରୀ ଦେଶକୁ ନେଇ ବିଶ୍ୱ ସମୁଦାୟର ଚିନ୍ତା ବଢ଼ିଛି । ଏସବୁ ଦେଶରେ କରୋନା ସଂକ୍ରମଣ ଡେରିରେ ହୋଇଥିବା ବେଳେ ଏବେ ଦ୍ରୁତଗତିରେ ବୃଦ୍ଧି ପାଉଛି । କିନ୍ତୁ, ସେଠାରେ ଏବେ ଯାଏ ଭ୍ୟାକ୍ସିନ୍ ପହଞ୍ଚି ପାରିନି । ଦୁନିଆରେ ଏବେ ଏମିତି ୧୩୦ ଦେଶ ଅଛନ୍ତି, ଯେଉଁଠି ଭ୍ୟାକ୍ସିନ୍ ଅପହଞ୍ଚ ହୋଇ ରହିଛି । ଏଭଳି ଦେଶରେ ଶସ୍ତାରେ ଭ୍ୟାକ୍ସିନ୍ ପହଞ୍ଚାଇବା ଲାଗି ଜାତିସଂଘ କୋଭାକ୍ସ ନାମକ ଅଭିଯାନ ଆରମ୍ଭ କରିଛି । ତେବେ, ବଡ଼ ଦେଶର ବଡ଼ କମ୍ପାନୀଙ୍କ ଭ୍ୟାକ୍ସିନ୍ ଡୋଜ୍ ମାତ୍ରାଧିକ ବୁକିଂ କାରଣରୁ ଏହା ସମ୍ଭବ ହୋଇପାରିନାହିଁ । ଜାତିସଂଘ ଅନୁସାରେ ଭ୍ୟାକ୍ସିନର ହୋର୍ଡିଂ ଯୋଗୁଁ ମହାମାରୀରୁ ମୁକୁଳିବା ସମୟ ବଢ଼ିଯିବ ଏବଂ ଦୁନିଆକୁ କ୍ଷତି ଉଠାଇବା ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ ।

ବିପଦ କଣ ?

ଗୋଟିଏ ଦେଶର ଗୋଟିଏ ଅଞ୍ଚଳ କିମ୍ବା ଦୁନିଆର କିଛି ଦେଶର ଲୋକଙ୍କୁ ଟିକାକରଣ କରିଦେଲେ ସମସ୍ୟା ସରିଯିବ ନାହିଁ । ବିଶେଷ କରି ଆଫ୍ରିକୀୟ ଦେଶକୁ ନେଇ ବିଶ୍ୱସ୍ତରରେ ଚିନ୍ତା ବଢ଼ିଛି । ଦକ୍ଷିଣ ଆଫ୍ରିକାର ମହାଦ୍ୱୀପ ସେମଧ୍ୟରୁ ଅନ୍ୟତମ । ଯେଉଁଠି ୧୫ ଲକ୍ଷ କରୋନା ସଂକ୍ରମିତ ହୋଇଥିବା ବେଳେ ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଆଉ ଏହି ସଂକଟକୁ ଆହୁରି ବଢ଼ାଇ ଦେଇଛି କରୋନାର ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ ।

ରେଡ୍ ଜୋନରେ ୧୭ ଦେଶ

ଆଫ୍ରିକାରେ କରୋନାର ଦ୍ୱିତୀୟ ଲହରୀକୁ ନେଇ ଦୁନିଆବ୍ୟାପୀ ଚିନ୍ତା ରହିଛି । ବଢ଼ୁଥିବା ସଂକ୍ରମଣ ଓ ନୂଆ ଷ୍ଟ୍ରେନକୁ ନେଇ ଆଫ୍ରିକାର ୧୭ଟି ଦେଶକୁ ବ୍ରିଟେନ୍ ରେଡ୍ ଜୋନରେ ରଖିଛି । ଏସବୁ ଦେଶରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଭ୍ୟାକ୍ସିନ୍ ପହଞ୍ଚି ନାହିଁ । ଏହା ଅନ୍ୟ ଦେଶ ପ୍ରତି ବିପଦ ପାଲଟିପାରେ ।

ଆଉ ଏକ ସଂକଟ ତଞ୍ଜନିଆ

ଆଫ୍ରିକାରେ କରୋନାକୁ ନେଇ ଆଉ ଏକ ବିପଦ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାରମ୍ବାର ଅନୁରୋଧ ପରେ ବି ତଞ୍ଜନିଆ ସରକାର କରୋନା ତଥ୍ୟ ଦେଉନାହାଁନ୍ତି । ଏପରିକି ଦେଶରେ କରୋନା ସଂକ୍ରମଣକୁ ହିଁ ମାନୁନାହାଁନ୍ତି । ତଞ୍ଜନିଆର ଉପରାଷ୍ଟ୍ରପତି ଶେଫଙ୍କ ମୃତ୍ୟୁ କରୋନାରେ ହୋଇଥିବା କୁହା ଯାଉଥିବା ବେଳେ ସରକାର ସଂକ୍ରମଣକୁ ସ୍ୱୀକାର କରୁନାହାଁନ୍ତି ।

ଗରିବ ଦେଶକୁ କେବେ କେମିତି ମିଳିବ ଟିକା ?

ଜନସଂଖ୍ୟା ଓ ଆର୍ଥିକ ପରିସ୍ଥିତିକୁ ନେଇ କାମ କରୁଥିବା ସଂସ୍ଥା ୱାନ୍ ଅନୁସାରେ, ବିତ୍ତଶାଳୀ ରାଷ୍ଟ୍ର ଜନସଂଖ୍ୟାର ଆବଶ୍ୟକତା ଠାରୁ ଅଧିକ ଏକ ଅରବ ଭ୍ୟାକ୍ସିନ୍ ଡୋଜ୍ ବୁକ୍ କରିଛନ୍ତି । ଯେମିତି କାନାଡା ଜନସଂଖ୍ୟା ଠାରୁ ୫୦୦ ପ୍ରତିଶତ ଅଧିକ, ବ୍ରିଟେନ୍ ୩୨୭ ପ୍ରତିଶତ ଅଧିକ, ଚିଲି ୨୪୪ ପ୍ରତିଶତ ଅଧିକ, ନ୍ୟୁଜିଲାଣ୍ଡ ୨୪୨ ପ୍ରତିଶତ ଅଧିକ ଓ ଅଷ୍ଟ୍ରେଲିଆ ୨୨୬ ପ୍ରତିଶତ ଅଧିକ ଡୋଜ୍ ବୁକ୍ କରିଛନ୍ତି ।

ଭ୍ୟାକ୍ସିନ୍ ହୋର୍ଡିଂକୁ ନେଇ ଜାତିସଂଘର ଅପିଲ୍ ପରେ ବ୍ରିଟିଶ ପିଏମ୍ ବୋରିଶ ଜନସନ କହିଛନ୍ତି- ଦେଶର ଜନସଂଖ୍ୟାକୁ ଟିକା ଦେବା ପରେ ବଳକା ଭ୍ୟାକ୍ସିନକୁ କୋଭାକ୍ସ ପୁଲକୁ ଦେବେ । ଅନ୍ୟପଟେ କମ୍ ଓ ମଧ୍ୟମ ଆୟକାରୀ ଦେଶ ବଡ଼ କମ୍ପାନୀ ସହ ଭ୍ୟାକ୍ସିନ୍ ନେଇ ଆଲୋଚନା କରୁଛନ୍ତି । କିନ୍ତୁ, କମ୍ପାନୀ ପୂର୍ବରୁ ବୁକ୍ କରିଥିବା ଡୋଜ୍ ଏବେ ଯାଏ ଦେଇନାହିଁ । ପୂର୍ବ ବୁକିଂ ସପ୍ଲାଏ ପରେ ହିଁ ନୂଆ ଅର୍ଡର ହୋଇପାରିବ । ମଡର୍ଣ୍ଣା ଭଳି ଭ୍ୟାକ୍ସିନର ଅଧିକ ଚାହିଦା ରହିଥିବା ବେଳେ ନୂଆ ଦେଶ ବୁକିଂ ସପ୍ଲାଏ ପାଇଁ ୧୨ ମାସରୁ କମ୍ ସମୟ ଲାଗିବ ନାହିଁ । ଆଉ ଏବେ ବଢ଼ୁଥିବା ବିପଦ ସହିତ ସଂକଟ ବଢ଼ିଯିବ ।

Leave A Reply

Your email address will not be published.