ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଗୋବର୍ଦ୍ଧନପୁର ପ୍ରାଥମିକ କୃଷି ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରିଛନ୍ତି ସ୍ଥାନୀୟ ଚାଷୀ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
ଅଭିଯୋଗ ମୁତାବକ ସମବାୟ ସମିତି ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣାରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଛି। ଧାନ କିଣା ସମୟସୀମା ସରିବାକୁ ଥିବାବେଳେ ଏପର୍ଯ୍ୟନ୍ତ ୧୭୧ ଜଣ ଚାଷୀ ମୁଠାଏ ହେଲେ ବି ଧାନ ଦେଇ ନାହାନ୍ତି। ମାତ୍ର ଅନ୍ୟ କେତେକ ଚାଷୀ ୩ ଥାଏ ଲେଖାଏଁ ଧାନ ଦେଇ ସାରିଛନ୍ତି।
ଏଥିସହିତ ଧାନ କିଣା ଟାର୍ଗେଟ ଅନୁଯାୟୀ ଆସିଥିବା ଟୋକନ ଇନଭାଲିଡ୍ ହେବାକୁ ବସିଥିବା ବେଳେ ସମବାୟ ସମିତି ସମ୍ପାଦକ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏଭଳି ସ୍ଥିତିରେ ଚାଷୀଙ୍କୁ ଶାଗମାଛ ଦରରେ ଅନ୍ୟତ୍ର ଧାନ ବିକ୍ରି କରିବାକୁ ବାଧ୍ୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଧାନ ବିକ୍ରି ନ ହେବା ଯୋଗୁଁ ଚାଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିଜ ଗୁଜୁରାଣ ମେଣ୍ଟାଇବା ସହ ଋଣ କେମିତି ସୁଝିବେ, ସେ ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।
ତେଣୁ ବାଧ୍ୟ ହୋଇ ଆଜି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯଥାଶୀଘ୍ର ଧାନ କିଣିବାକୁ ଚାଷୀମାନେ ଦାବି କରିଛନ୍ତି। ଦାବୀ ପୂରଣ ନହେଲେ ଆଗକୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ଆନ୍ଦଳନରତ ଚାଷୀମାନେ ଚେତାବନୀ ଦେଇଛନ୍ତି।