ଭୁବନେଶ୍ବର : ଏବେଠୁ ତାତି ଭାଙ୍ଗିଲାଣି ରେକର୍ଡ । ପାରଦ ବଢ଼ିବା ସହ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଗତ ୪ ଦିନ ହେଲା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ, ଆଜି ଅନୁଗୁଳରେ ପାରଦ ଡେଇଁଛି ୪୦ ଡିଗ୍ରୀ । ୪୦.୧ ଡିଗ୍ରୀ ତାପମାତ୍ରା ସହ ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି ।
ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହେବା ସହ ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୧୧ରୁ ୨୦୨୦ ମଧ୍ୟରେ ଫେବ୍ରୁଆରୀ ମାସରେ ଅନୁଗୁଳର ସର୍ବାଧିକ ତାପମାତ୍ରା ୩୯.୧ ଡିଗ୍ରୀ ଥିବାବେଳେ, ଚଳିତବର୍ଷ ଏହାକୁ ଅତିକ୍ରମ କରିଛି ତାପମାତ୍ରା । ଆଜି ରାଜ୍ୟର ୩ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀ ଥିବା ବେଳେ, ଭୁବନେଶ୍ବର ଓ ବୌଦ୍ଧରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଛି । କଟକର ତାପମାତ୍ରା ୩୯.୨ ଡିଗ୍ରୀ ଥିବା ବେଳେ ବାରିପଦା ୩୯.୪ ଡିଗ୍ରୀ, ସମ୍ବଲପୁର ୩୮.୫ ଡିଗ୍ରୀ, ଟିଟିଲାଗଡ଼ ଓ ନୟାଗଡ଼ ୩୮.୪ ଡିଗ୍ରୀ ରହିଛି ପାରଦ ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୩ରୁ ୪ ଦିନ ଯାଏ ରାତି ତାପମାତ୍ରାରେ କିଛି ପରିବର୍ତ୍ତନ ହେବ ନାହିଁ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ୍ ଅଧିକ ରହିବ । ଆସନ୍ତା ୨ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ତାପମାତ୍ରା ୫ ଡିଗ୍ରୀ ଅଧିକ ରହିବ । ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, ମୟୂରଭଞ୍ଜ ସହ ଭୁବନେଶ୍ୱରରେ ଗ୍ରୀଷ୍ଣ ଲାଗି ରହିବ । ବିଶେଷକରି ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ତାତି ଅଧିକ ରହିବ ।
Comments are closed.