Latest Odisha News

BREAKING NEWS

ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲାରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ବିଭିନ୍ନ ମେଗା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ।

ରବିବାର ପୁର୍ବାହ୍ନରେ ଜିଲାକୁ ଦିନିକିଆ ଗସ୍ତରେ ଆସି ମୁଖ୍ୟ ସଚିବ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିର ଚତୁଃପାର୍ଶ୍ବ ପରିଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ ପାଇଁ ୬କୋଟି ୫୦ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ । 

ମା’ଙ୍କ ମନ୍ଦିରର ଉନ୍ନୟନ ଓ ଉନ୍ନତିକରଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ କୁସୁମା ପୋଖରୀ ପରିଦର୍ଶନ ସହ ତାହାର ଉନ୍ନତିକରଣ ପାଇଁ ବିଭିନ୍ନ ପରାମର୍ଶ ମୁଖ୍ୟ ସଚିବ ଦେଇଥିଲେ । ପରେ ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ପ୍ରସାରିତ ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କରିବା ସହ ପ୍ରକଳ୍ପ ସାରିବାକୁ ଧାର୍ଯ୍ୟ ହୋଇଥିବା ଦେଢ଼ ବର୍ଷ ସମୟସୀମା ମଧ୍ୟରେ ଏହା ଯେପରି ଲୋକଙ୍କ ସେବାରେ ଲାଗେ ସେ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ଜିଲା ସ୍କୁଲର ସ୍ମାର୍ଟ କ୍ଲାସକୁ ମୁଖ୍ୟ ସଚିବ ଅନୁଧ୍ୟାନ କରିବା ସହ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ମେଗା ପ୍ରକଳ୍ପ ସମ୍ପର୍କରେ ମୁଖ୍ୟ ସଚିବ ସମୀକ୍ଷା କରିଥିଲେ । ଯାଜପୁର ଟାଉନ୍‌, ବ୍ୟାସନଗର, କଳିଙ୍ଗନଗର ଓ ଜିଲାର ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକର ଉନ୍ନୟନ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଗୁଡ଼ିକୁ ସେ ଅନୁଧ୍ୟାନ କରିଥିଲେ । ଏହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ ଏବଂ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । 

ସେହିପରି ଡ଼ିଏମ୍‌ଏଫ୍ ଓ ଓମ୍ବାର୍ଡ଼ସି  ସହାୟତାରେ ଚାଲୁଥିବା କାର୍ଯ୍ୟ ଓ ପ୍ରସ୍ତୁତ ହୋଇଥିବା ଯୋଜନା କାର୍ଯ୍ୟକୁ ମଧ୍ୟ ମୁଖ୍ୟ ସଚିବ ସମୀକ୍ଷା କରିଥିଲେ । ଜିଲାର ବିକାଶ ଓ ଉନ୍ନୟନ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରାଯାଉଛି । ୪୦ ଏକର ଜମିରେ ପ୍ରଶାସନିକ ଭବନ ନିର୍ମାଣ ହେଉଛି । ସମସ୍ତ ସ୍କୁଲ ମାନଙ୍କର ପିଲାମାନେ ଯେପରି ଉତ୍ତମ ଶିକ୍ଷା ପାଇପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଜୀବିକା ମିଶନ ମାଧ୍ୟମରେ ଲୋକଙ୍କୁ କର୍ମନିଯୁକ୍ତି ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ । 

ବ୍ୟାସନଗର ଓ କଳିଙ୍ଗ ନଗରରେ ମଧ୍ୟ ଏକାଧିକ ପ୍ରକଳ୍ପ ଚାଲୁ ରହିଛି । ଆଗକୁ ଏହାର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟ ସଚିବ କହିବା ସହ ସଠିପୁର, ବ୍ୟାସନଗର ଓ କଳିଙ୍ଗନଗର ଇତ୍ୟାଦି ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର, ଆଇଏଏସ୍ ପ୍ରୋବେସନର ସଚିନ୍ ପାୱାର, ଅତିରିକ୍ତ ଜିଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଚକ୍ରବର୍ତ୍ତି ରାଠୋର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା ଯୋଜନା ଗୁଡ଼ିକର ନୀଳ ନକ୍ସା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.