ଦେବୀ ପ୍ରସନ୍ନ ନନ୍ଦ
ଅଖଣ୍ଡ ମଣ୍ଡଳ ବ୍ୟାପ୍ତ ଚରାଭୁଇଁ ମୋର
ଅସୀମ ମୋ କାୟା କାନ୍ତି ନାହିଁ ପାରାବାର
ଅପ୍ରମେୟ ଅବୟବ ରଚୁଥାଏ ନିଶୀଥ ସକାଳ
ନିରନ୍ତର ରମୁଥାଏ ଚରାଚର,ନାମ ମହାକାଳ ।
ତାଣ୍ଡବରେ ଶିବଙ୍କର ଡମ୍ବରୁର ନିନାଦ ମୁର୍ଛ୍ଛିତ
ହରିହସ୍ତେ ସୁଦର୍ଶନ ଚକ୍ରର ପ୍ରଚ୍ଛନ୍ନ ଇଙ୍ଗିତ
କେବେ ଥାଏ ଶାନ୍ତ ମୁହିଁ କେବେ ପୁଣି ମତ୍ତ
ସୃଷ୍ଟି ଓ ପ୍ରଳୟ ମଧ୍ୟେ ମୋର ସ୍ଥିତି ସତ ।
ଅନ୍ତରୀକ୍ଷେ ଘଟେ ଯେତେ ବିଡମ୍ବନା ମହା ଏ ଜଗତ
କୃଷ୍ଣଗର୍ତ୍ତ ଧୁମକେତୂ ଛାୟାପଥ ପୁଣି ଉଲ୍କାପାତ
ମହାକାଶେ ସ୍ଥିର ସୂର୍ଯ୍ୟ ଗତିଶୀଳ ଗ୍ରହ ଓ ନକ୍ଷତ୍ର
ବିବର୍ତ୍ତୀତ ଧରାପୃଷ୍ଟେ ଯେ ପ୍ରକାର ଭୌଗଳିକ କ୍ଷେତ୍ର ।
ସମୁଦ୍ର ମନ୍ଥନ ବେଳେ ବିଭାଜିତ ବିଷ ଓ ଅମୃତ
ପ୍ରକମ୍ପିତ ବେଦବାଣୀ ଦେବପିତା ମୁଖେ ଉଚ୍ଚାରିତ
ଯୁଗ ପରେ ଯୁଗ ଆସେ ରହିଥାଏ ସମୟ ଅନିତ୍ୟ
ଯେତେ ଯାହା ଘଟେ ମୋର ଆତ୍ମଲିପି ରହିଛି ଅକ୍ଷତ ।
ବାଲିରେଣୁ ଗଢିଦିଏ ଯେତେ ମହାବନ୍ଧ
ଅଣୁ ସୂକ୍ଷ୍ମ ରେଣୁ କ୍ଷଣ ଅନୁକ୍ଷଣର ସମ୍ବନ୍ଧ
ସଂଯୋଗରେ ହୁଏ ସୃଷ୍ଟି ସମୟର ସ୍କନ୍ଦ
ନାହିଁ କ୍ଷୟ ନାହିଁ ବୃଦ୍ଧି କେବଳ ଆନନ୍ଦ ।
ଦେଖିଛି ମୁଁ ରଘୁପତି ବନବାସ ମାତାଙ୍କ କାରୁଣ୍ୟ
ଦ୍ବାପରରେ କୁଞ୍ଜବନେ ଶୁଣିଅଛି ମୃଦୁ ବଂଶୀସ୍ବନ
ଆହୁରି ଶୁଣିଛି ସ୍ବର କୁରୁକ୍ଷେତ୍ରେ ଦିବ୍ୟ ପଂଚଜନ୍ୟ
ଦେଖିଛି ମୁଁ ଯୁଦ୍ଧପର ରକ୍ତନଦୀ ମଢଙ୍କ ଅରଣ୍ୟ ।
ପ୍ରକୃତି ମୋ ପରାଶକ୍ତି ପଞ୍ଚଭୂତ ଆମ ଅବୟବ
ସନ୍ତୁଳିତ କାୟାକଳ୍ପ ବିଚ୍ଛୁରଣେ ସୃଷ୍ଟିର ପ୍ରାରମ୍ଭ
ତ୍ରିନେତ୍ରର ସ୍ଫୁରଣରେ ସଂସାରରେ ସର୍ଜନା ସମ୍ଭବ
ମେରୁଦଣ୍ଡେ ତ୍ରିଧାରାର ଉଚ୍ଚାଟନ ଦିବ୍ୟ ଅନୁଭବ
ଧରାପୃଷ୍ଟେ ଘଟେ ଯାହା ଅର୍ହନିଶି ବିକାଶ ବିନାଶ
ନାହିଁ ଦୋଷ ନାହିଁ ତ୍ରୋଷ ସବୁଥିର ସାକ୍ଷୀ ମୁଁ ଅବଶ୍ୟ
ନିର୍ବିକାର ଭାବ ମୋର ଉଦରରେ ମୁଦ ଦେଇ ରଖିଛି ରହସ୍ୟ
ପଶ୍ଚାତାପ ବିନୁଁ ମୋ ରଥ ଗଡିଚାଲେ ଆଗକୁ କ୍ରମଶଃ
ମୁଁ କିଛି କରେନାହିଁ ସବୁ ଅଟେ ମୋ କାର୍ଯ୍ୟ କଳାପ
ସୁଖ ଦୁଃଖ ଜାଣେନାହିଁ ହସେ ନାହିଁ କରେନି ବିଳାପ
ସ୍ରୋତସ୍ବିନୀ ସମୟର ଧାରା କୁଳେ ସତେ ଅବା ଅକୁହା ସଂଳାପ
ସର୍ବଜ୍ଞାତା ସର୍ବକର୍ତ୍ତା ରକ୍ଷଣ ଓ ସଂହାରରେ ଅଜ୍ଞେୟ ମୁଁ ପରମ ନଷ୍ପାପ ।
ବିହଙ୍ଗମେ ଡେଣା ମୋର ଖେଦିପାରେ ସସାଗରା ଧରା
ଗମିଅଛି ନୀତି ବାଣୀ ବୁଦ୍ଧ ଗାନ୍ଧୀ ସକ୍ରେଟସ୍ ଶଙ୍କରଙ୍କ ସାରା
ସାଧୁ ସନ୍ଥ ମୁନି ଋଷି ମନୀଷୀଙ୍କ ଜ୍ଞାନର ପସରା
ଆହୁରି ବୋଳିଛି ଦେହେ ଚଣ୍ଡାଶୋକ ଗଣହତ୍ୟା କଳଙ୍କର ଧାରା
ଭକତି ଦେଖିଛି କେତେ ଆଚାର୍ଯ୍ୟ ଓ ସନ୍ୟାସୀଙ୍କ ମତେ
ନାନକ ରାମାନୁଜ ଚୈତନ୍ୟ ସାଲବେଗ ଭୀମଭୋଇ ଯେତେ
ତୁଳସୀ ଦାସ ମୀରାବାଈ ଜୟଦେବ ରହିଛନ୍ତି କେତେ
ପରମାର୍ଥ ଜ୍ଞାନ ଲଭି ଶେଷେ ପ୍ରାପ୍ତ ହୋଇଥାନ୍ତି ମୋତେ ।
ବିଘଟଣ ଯୋଗୁଁ ବହେ ଦୁର୍ନାମଟି ହୋଇ ବି ରକ୍ଷକ
ବିନାବୃଷ୍ଟି ଜଳକଷ୍ଟ ଅକାଳ ଓ ନଅଙ୍କ ଦୁର୍ଭିକ୍ଷ
କେଉଁଠାରେ ଖାଦ୍ୟର ପ୍ରାଚୁର୍ଯ୍ୟ ପୁଣି କେଉଁଠାରେ ବହୁଳ ଭିକ୍ଷୁକ
ପରମାଣୁ ଯୁଦ୍ଧ ଭିତ୍ତି ଭୂତାଣୁର ସଂକ୍ରମଣଜନିତ ମଡକ ।
ଗତି ମୋର ସାବଲୀଳ ଘଟୁ ଯେତେ ଲକ୍ଷଣ ଅବା ବିଲକ୍ଷଣ
ସବୁ ମୂଳେ ସ୍ଥିତି ମୋର ସଂଗଠିତ ଇଛାବଳେ ଅନାଦି କାରଣ
ଶକ୍ତି ମୋର ବହୁଧା ବିଭକ୍ତ ହୋଇ ଗଡିଚାଲେ କାଳଚକ୍ରର ଘୁର୍ଣ୍ଣନ
ମୁଁ ବା ଛାର ପ୍ରତିରୂପ ଆଦିମୂଳ ସ୍ବୟଂ ନାରାୟଣ ।
ପୁରୀ
Comments are closed.