Latest Odisha News

BREAKING NEWS

ସୋସିଆଲ ମିଡ଼ିଆ ଭାଙ୍ଗୁଛି ପରିବାର

ମାସେ ତଳର ଘଟଣା ଟିଭିରେ ଗୋଟିଏ ଡ଼ିବେଟରେ ଭାଗନେବାକୁ ଗଲା ବେଳେ ଆଲୋଚନାଟିର ଟାଇଟେଲଟିକୁ ଦେଖି ମୁଁ ପ୍ରଥମେ ସେ ଚ୍ୟାନେଲରେ କିଏ ଏଇ ଭଳି ଏ ପ୍ରକାର ପ୍ରୋଗ୍ରାମଟିର ନାମକରଣ କରିଛି ବୋଲି ବିରକ୍ତି ପ୍ରକାଶ କରିଥିଲି ।

ସାଙ୍ଗେ ସାଙ୍ଗେ ତାଙ୍କ ଆଙ୍କର ଜଣକ କହିଥିଲେ ମାଡ଼ାମ କିଛିଟା ତଥ୍ୟ ଅଛି ସେଇ ଆଧାରରେ ଆମେ ଏଇ ଭଳି ନାମକରଣ କଲୁ । ତାପରେ ଆଲୋଚନା ଆଗକୁ ବଢିଥିଲା ଏବଂ ସାଙ୍ଗରେ ସାଇବର ଏକ୍ସପର୍ଟ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଲୋଚନାଟି କିଛି ତଥ୍ୟକୁ ନେଇ ଏଇ ଭଳି ପର୍ଯ୍ୟବେଷିତ ଥିଲା ଯେ କିଛି ସମୟ ପୂର୍ବରୁ ମୁଁ ସେ ପ୍ରୋଗ୍ରାମର ଟାଇଟେଲକୁ ନେଇ ଯାହା ଅସନ୍ତୋଷ ପ୍ରକାଶ କରିଥିଲି କିଛି ତଥ୍ୟର ଆଧାରରେ କିଛି ମହିଳାଙ୍କ କାର୍ଯ୍ୟକଳାପ ଉପରେ ଜଣେ ମହିଳା ହିସାବରେ କଛି ସମୟ ପାଇଁ ନିଜକୁ ଲଜ୍ଜା ଅନୁଭବ ହେଲା । ସତରେ ଆମ ସମାଜ ଏବେ ଏତେ ତଳକୁ ଖସିଗଲାଣି ଯେ ଉଭୟ ପୁରୁଷ ଏବଂ ନାରୀ ଦୁଇଜଣ ନିଜର ମର୍ଯ୍ୟାଦାକୁ ଭୁଲିଯାଇ ସୋସିଆଲ ମିଡ଼ିଆର ଦୁରୁପଯୋଗ ପ୍ରବଳ ମାତ୍ରାରେ କରୁଛନ୍ତି । ଦୁଇଟି ଉଦାହରଣ ଏଠାରେ ଦେବାକୁ ଚାହିଁବି ।

ସାତଦିନ ତଳରକଥା । ହଠାତ ଖୋର୍ଦ୍ଧା ଶିଶୁ ମଙ୍ଗଳ ୟୁନିଟର ଅଧିକାରିଣୀ କାନ୍ତା ଫୋନ କଲେ । ସେପଟୁ ସ୍ୱରରେ ତାଙ୍କର ବ୍ୟସ୍ତତା ଥିଲା । ପ୍ରୀତି କଣ କରୁଛ କି ମୁଁ କହିଲି ହଁ କୁହ ମୁଁ ଫ୍ରି ଅଛି । କହିଲେ ଗୋଟେ ଅସୁବିଧା ହେଇ ଯାଇଛି ପାଖବସ୍ତିରୁ ଗୋଟିଏ ନାବାଳିକା ସତର ବର୍ଷର ଝିଅଟିଏ କୁଆଡ଼େ ଗାଏବ ହେଇଯାଇଛି । ଆଉ ପରିବାର ଲୋକ ତାଙ୍କ ପାଖରେ ଆସି ପହଂଚିଛନ୍ତି । ଝିଅଟିର ସୁରକ୍ଷାର କଥା, ସବୁଆଡ ଖୋଜି ସାରିଲେଣି ହେଲେ କିଛି ବି ପତ୍ତା ମିଳୁନି । ତାପରେ କଣ କରିବେ ବୋଲି ଚିନ୍ତା କରି ସାଙ୍ଗେ ସାଙ୍ଗେ ମହିଳା ଥାନାକୁ କାନ୍ତା ପରିବାରକୁ ପଠେଇ ଦେଲେ ଅଭିଯୋଗ କରିବା ପାଇଁ ।

ଆଉ ମତେ ଫୋନ କରି କହିଲେ ମହିଳା ଥାନା ଅଧିକାରିଣୀ ବନିତାଙ୍କ ସାଙ୍ଗରେ କଥା ହେବା ପାଇଁ । କିଛି ସମୟ ପରେ ପରେ ମଧ୍ୟ ବନିତାଙ୍କର ଫୋନ ଆସିଲା । ସେ ଅଭିଯୋଗ କ୍ରମେ ଓ କିଛି ସଂଦେହକୁ ଭିତ୍ତି କରି ଗଞ୍ଜାମରୁ ଝିଅଟିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କଲେ । ତାପରେ ବୁଝୁବୁଝୁ ଜଣାପଡ଼ିଲା ଯେ ସେ ନାବାଳିକା ଝିଅଟି ଫେସବୁକରେ ଅଚିହ୍ନା ଯୁବକ ସାଙ୍ଗରେ ବନ୍ଧୁତା କରି ଏଇ ଭଳି ସମସ୍ୟାର ସମ୍ମୁଖୀନ ହେଇଛି । ଏଇ ଫେସବୁକ ଭଳି ସୋସିଆଲ ମିଡିଆର କିଛି ଆପ ଆଜିକାଲି ଯୁବବର୍ଗଙ୍କୁ ଅବାଟକୁ ନେଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଳ୍ପ ବୟସର ଯୁବକ ଯୁବତୀଙ୍କ କଥାଛାଡ଼ନ୍ତୁ ବିବାହିତ ମହିଳା ଓ ପୁରୁଷମାନେ ମଧ୍ୟ ଏଇ ରାସ୍ତାରେ ଯାଇ ନିଜର ସୁନ୍ଦର ପରିବାରକୁ ଭାଙ୍ଗି ଦେଉଛନ୍ତି । ମୋଟାମୋଟି କହିବାକୁ ଗଲେ ଏଇ ସୋସିଆଲ ମିଡ଼ିଆ ଯେ ପରିବାରକୁ ଭାଙ୍ଗି ସ୍ଵାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ବଢ଼ାଉଛି ଏଥିରେ ସନ୍ଦେହ ନାହିଁ ।

କିଛି ଦିନ ତଳେ ମୋ ଟ୍ରଷ୍ଟର ଓକିଲଙ୍କ ପାଖକୁ ଗୋଟିଏ ଫୋନ ଆସିଲା, ଜଣେ ପୁରୁଷଙ୍କର । ସେପଟୁ ସେ ଭଦ୍ରଲୋକ ଜଣକ କହିଥିଲେ । ତାଙ୍କର ପାରିବାରିକ ସମସ୍ୟା ବହୁତ ଦେଖାଗଲାଣି ସେ କିଛି ପରାମର୍ଶ ଚାହୁଁଛନ୍ତି । ଯେ ହେତୁ ମୋର ଟ୍ରଷ୍ଟଟି କେବଳ ମହିଳାମାନଙ୍କ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ଉଦେଶ୍ୟରେ ଉଦ୍ଧିଷ୍ଟ ଥିଲା ତଥାପି ପାରିବାରିକ ସମସ୍ୟା ଥିବାରୁ ଆମ ଟ୍ରଷ୍ଟର ଓକିଲ ଜଣଙ୍କ ତାଙ୍କର ( ସେ ଭଦ୍ରବ୍ୟକ୍ତି ) ଙ୍କର ସମସ୍ତ କଥାକୁ ଶୁଣିଥିଲେ ଓ ସାଙ୍ଗେ ସାଙ୍ଗେ ମତେ ଫୋନରେ ଜଣେଇଥିଲେ । ମୁଁ ଯେତେବେଳେ ଆମୂଳଚୁଳ ଶୁଣିଲି ସମସ୍ୟା ବିଷୟରେ ମୁଁ ମୁଣ୍ଡରେ ହାତ ଦେଇ ସେ ଭଦ୍ରଲୋକ ଜଣଙ୍କୁ ଗାଳିଦେଇ ଫୋନଟିକୁ ରଖିଦେଲି । ଭଦ୍ରଲୋକ ଜଣଙ୍କ ମତେ ଫୋନରେ କହିଥିଲେ ଯେ ସେ ତାଙ୍କ ଧର୍ମପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ଆଉ ତାର ଏକମାତ୍ର କାରଣ ହେଲା ଏଇ ଫେସବୁକ । ଏଠାରେ କହି ରଖିବାକୁ ଚାହେଁ ଯେ ଭଦ୍ରବ୍ୟକ୍ତିଙ୍କର ପତ୍ନୀ ଜଣକ ଜଣେ ଶିକ୍ଷୟିତ୍ରୀ ଆଉ କବୟିତ୍ରୀ ମଧ୍ୟ । ସ୍ଵାମୀଙ୍କର ଏକମାତ୍ର ଅଭିଯୋଗ ହେଲା ପତ୍ନୀ ଜଣଙ୍କ ଘରର କାମରେ ଅବା ପରିବାରକୁ ଅବହେଳା କରି ସବୁବେଳେ ଫେସବୁକରେ ରହୁଛନ୍ତି । ଯାହା ଫଳରେ ପରିବାରରେ ଅଶାନ୍ତି ବଢୁଛି ଏବଂ ପତିଜଣଙ୍କ ମାନସିକ ଚାପରେ ଗତି କରୁଛନ୍ତି । ଫୋନରେ ସବୁ ଶୁଣିଲା ପରେ ମୁଁ କହିଲି ଏମିତି ଛୋଟ ଛୋଟ କଥାରେ ଘର ଭାଙ୍ଗିବା କଥା ନୁହେଁ । ଆପଣ ବରଂ ଖୁସି ହେବା କଥା ଯେ ଆପଣଙ୍କ ସ୍ତ୍ରୀ ଚାକରି କରିବା ସାଙ୍ଗରେ ଏତେ ସୁନ୍ଦର କବିତା ଲେଖି ସବୁଆଡ଼େ ପ୍ରଂଶସାର ପାତ୍ର ହେଇପାରୁଛନ୍ତି । ତେଣୁ ଏଇ ଛୋଟ କଥାରେ ଆପଣ ଦଶ ବର୍ଷର ସୁନାର ପରିବାରକୁ ଭାଙ୍ଗନ୍ତୁ ନାହିଁ ବରଂ ସ୍ତ୍ରୀଙ୍କୁ ଆଉ ପ୍ରେରଣା ଦିଅନ୍ତୁ ଲେଖିବା ପାଇଁ । ଏତିକି କହି ମୁଁ ଫୋନଟିକୁ ରଖିଲି ।

ତାପର ଦିନ ପୁଣି ଥରେ ଫୋନ ସେ ବ୍ୟକ୍ତିଙ୍କର ଏଇ ଥର କିନ୍ତୁ ଟିକେ ବିରକ୍ତି ଭରା ସ୍ୱରରେ ମୁଁ କହିଲି ଆପଣ ଏମିତି ଅଯଥା କଥାରେ କାହିଁ ବାରମ୍ବାର ଫୋନ କରୁଛନ୍ତି ସମାଧାନର ବାଟ ନିଜେ ବାହାର କରନ୍ତୁ । କିନ୍ତୁ ସେ ପୂର୍ବ ଭଳି ସେଇ ଏକା ଅଭିଯୋଗ । ତାପରେ ମୁଁ ବାଧ୍ୟ ହେଇ ଆମ ଟ୍ରଷ୍ଟର ଫାମିଲି କାଉନସେଲରଙ୍କ ପାଖକୁ ପଠେଇଲି ଓ ମୁଁ ନିଜେ ମଧ୍ୟ ଫୋନରେ ଯୋଗାଯୋଗରେ ରହିଲି । କିଛି ସମୟ ପରେ ଯାହା ଜାଣିବାକୁ ପାଇଲି ତାହା ମୋ ବିଶ୍ୱାସର ବାହାରେ ଥିଲା । ସେ ଭଦ୍ରବ୍ୟକ୍ତିଙ୍କ ପତ୍ନୀ ଜଣକ ରାତିରାତି ଅଜଣା ଯୁବକମାନଙ୍କ ସହ କଥାବାର୍ତ୍ତା ହେଇ ନିଜର କବିତାକୁ ଲାଇକ ଆଉ କମେଣ୍ଟ ଦେବାକୁ ଅନୁରୋଧ କରୁଛନ୍ତି । ଯାହାକି ତାଙ୍କ ସ୍ଵାମୀଙ୍କୁ ମାନସିକ ସ୍ତରରେ ବହୁତ ଅସ୍ତବ୍ୟସ୍ତ କରୁଥିଲା । ଆଉ ତାହା ମଧ୍ୟ ହେବା ସ୍ୱାଭାବିକ । ତାପରେ ମୁଁ ନିଜେ ସେ ମହିଳାଙ୍କ ସାଙ୍ଗରେ ଯୋଗାଯୋଗ କରି କଥାବାର୍ତ୍ତା ପରେ ତାଙ୍କୁ କାଉନସେଲିଂ ପାଇଁ ଡାକିଲି । ସେ ଯେତେବେଳେ ଆସିଲେ ଆଉ ବସି ତାଙ୍କ କଥା ଯେତେବେଳେ ଶୁଣିଲି ମୋ ଗୋଡ଼ତଳୁ ମାଟି ଖସିଗଲା ମହିଳା ଜଣଙ୍କ ତ ପ୍ରଥମେ ଭୁଲ ଯାହା କରିଛନ୍ତି ଅଜଣା ଅଚିହ୍ନା ଲୋକଙ୍କ ସହ ଫେସବୁକରେ ବନ୍ଧୁତା କରି ଆଉ ପୁଣି ମଧ୍ୟ ସେ ନିଜେ କୋଉଭଳି ବ୍ଲାକ ମେଲିଙ୍ଗର ଶିକାର ହେଇ ନିଜ ସ୍ୱାମୀଙ୍କୁ ସବୁକଥା ଲୁଚେଇଛନ୍ତି । ସାଙ୍ଗେସାଙ୍ଗେ ମୁଁ ତାଙ୍କୁ ପରାମର୍ଶ ଦେଲି ସାଇବର ଥାନାରେ ଅଭିଯୋଗ କରିବା ପାଇଁ ଓ କିଛି ଘଣ୍ଟା ମଧ୍ୟରେ ସେ ଯୁବକ ଜଣକ ମଧ୍ୟ ପୋଲିସ ଦ୍ୱାରା ଧରାପଡିଲା ।

ମୋ ଅନୁଭୂତିରୁ ଏଇ ଦୁଇଟି ଉଦାହରଣ ମୁଁ ଏଇଠି ଦେଲି କିନ୍ତୁ ଯଦି ତଥ୍ୟ ଦେଖି ବା ତା ହେଲେ ବହୁତ ଘଟଣା ଏମିତି ହେଉଛି । ଏନସିଆର ବିର ତଥ୍ୟ ଅନୁସାରେ ୨୦୧୬ ରେ ୧୨,୩୧୭ ଟି ସାଇବର ଅପରାଧ ଥାନାରେ ପଞ୍ଜିକରଣ ହେଇଥିଲା ବେଳେ ୨୦୧୯ – ୨୦ ରେ ଏହା ବୃଦ୍ଧି ପାଇ ୪୪,୫୪୬ ରେ ପହଂଚିଯାଇଛି । ଅର୍ଥାତ ଏହା ୬୫ ପ୍ରତିଶତ ବଢ଼ିଛି । ଲକଡାଉନ ସମୟରେ ଏଇ ଅପରାଧିକ ମାମଲା ବହୁତ ବଢୁଛି ବୋଲି ପୋଲିସ ପକ୍ଷରୁ ମଧ୍ୟ ସୂଚନା ମିଳିଛି । ଯାହାପାଇଁ ଏବେ ଏକ୍ସପର୍ଟମାନେ ମଧ୍ୟ କୋଉ ଭଳି ଭାବରେ ସୋସିଆଲ ମିଡ଼ିଆକୁ ସୁରକ୍ଷିତ ରଖିବେ ତାହା ପାଇଁ ପରାମର୍ଶମାନ ସବୁ ଫୋରମରେ ଦେଲେଣି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆମେ କିପରି ନିଜକୁ ନିଜେ ସୁରକ୍ଷିତ ରଖିବା । ଅଯଥାରେ ନିଜ କବିତାକୁ ସୋସିଆଲ ମିଡ଼ିଆରେ ଲୋକପ୍ରିୟ କରିବା ଆଳରେ ଅଜଣା ଅଚିହ୍ନା ଲୋକଙ୍କ ସାଙ୍ଗରେ ବନ୍ଧୁତା ସ୍ଥାପନ କରି ବିପଦକୁ ନିଜ ଆଡକୁ ଡାକିବା । ତେଣୁ ବେଳ ହୁଁ ସାବଧାନ । ମହିଳା ହୁଅନ୍ତୁ କି ପୁରୁଷ ହୁଅନ୍ତୁ ସୋସିଆଲ ମିଡ଼ିଆର ବହୁତ ସଦୁପଯୋଗ ଅଛି ଦୟା କରି ତାର ଉପଯୁକ୍ତ ଫାଇଦା ଉଠାନ୍ତୁ । ଆଉ ଯାହାବି କିଛି ସମସ୍ୟା ଦେଖାଦେଉଛି ଉପରୋକ୍ତ ଘଟଣା ଭଳି ଲୁଚେଇ ରଖନ୍ତୁ ନାହିଁ । ସ୍ଵାମୀ ଓ ସ୍ତ୍ରୀ ପରସ୍ପରର ମଧ୍ୟ ସେ ସମସ୍ୟାଟିକୁ ଭଲ ଭାବରେ ଆଲୋଚନା କରନ୍ତୁ । ଆଉ ପରିବାରକୁ ପରସ୍ପର ଯୋଡି ରଖିବାକୁ ଚେଷ୍ଟା କରନ୍ତୁ ।

ଆମେ ଏବେ ବି ଲକ୍ଷ୍ୟ କରିବା ବହୁତ ଜଣ ଅଛନ୍ତି କିଛିଟା ଶସ୍ତା ଲୋକପ୍ରିୟତା ପାଇଁ ଅନେକ ଅଜଣା ଲୋକଙ୍କ ସାଙ୍ଗରେ ବନ୍ଧୁତା ସ୍ଥାପନ କରୁଛନ୍ତି । ଏବଂ ପରବର୍ତୀ ଅବସ୍ଥାରେ ନିଜେ ଅସୁବିଧାରେ ପଡି ନିଜର ମର୍ଯ୍ୟାଦାହାନି ସାଙ୍ଗରେ ପରିବାରର ମଧ୍ୟ ମର୍ଯ୍ୟାଦାହାନି କରୁଛନ୍ତି । ନେଡ଼ିଗୁଡ଼ କହୁଣୀକୁ ବୋହିବାକୁ ଦିଅନ୍ତୁ ନାହିଁ । ଯାହାବି ଅସୁବିଧା ହେଉଛି ପରିବାରର ଲୋକଙ୍କ ସହ ଖୋଲା ଖୋଲି କଥା ହୁଅନ୍ତୁ କିମ୍ବା ସାଇବର ଥାନା ସାଙ୍ଗରେ ଯୋଗାଯୋଗ କରନ୍ତୁ । ତେଣୁ ପୁଣିଥରେ କହିବି ବେଳ ହୁଁ ସାବଧାନ । ଏଈ ଦୁଇଟି ଘଟଣାରେ ଦୁଇଜଣ ପୀଡ଼ିତା ଅର୍ଥାତ ଦୁଇଜଣ ମହିଳା । ତେଣୁ ବେଶୀ ସଜାଗ ଆମେ ହିଁ ରହିବା ଦରକାର ।

Leave A Reply

Your email address will not be published.