ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି। କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ। କିନ୍ତୁ ଅନୁବାଦ ଏତେ ସହଜ ନୁହେଁ। ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ କଷ୍ଟସାଧ୍ୟ। ସେହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଖୁବ ସୁନ୍ଦର ଭାବରେ ନିର୍ବାହ କରୁଛନ୍ତି ଲେଖିକା କନକ ମଞ୍ଜରୀ ସାହୁ। ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସେ ସର୍ବଦା ଚେଷ୍ଟିତା।
ତାଙ୍କ ଅନୁବାଦ ପୁସ୍ତକ ନିର୍ବାଚିତ ଗଳ୍ପ , ଆବୁ ଖାଁର ଛେଳି , ଦେଶ ବିଦେଶର ଲୋକକଥା , ବତ୍ରିଶ ସିଂହାସନ, କାଠଘର ଓ ଅନ୍ୟାନ୍ୟ ଗଳ୍ପ , ମଲାଲା , ସୁଦୂର ଝରଣା ପାଣିରେ, ଆଖିର ପରିଭାଷା, ଳଘୁକଥା ସଂଗ୍ରହ, ରାଧାକୃଷ୍ଣ ଆଦି ପାଠକଙ୍କ ଦ୍ୱାରା ବେଶ ଆଦୃତ। ଏହା ସହ ତାଙ୍କ ରଚିତ ଗଳ୍ପ ସଙ୍କଳନ ଅସ୍ତରାଗ ଓ ନିସ୍ତବ୍ଧ ପୃଥିବୀ ସାଉଁଟି ପାରିଛି ବିପୁଳ ପାଠକୀୟ ଆଦର।
ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ , ଗଞ୍ଜାମ ଜ଼ିଲ୍ଲା ଲେଖିକା ସାମୁଖ୍ୟ ସମ୍ମାନ ,ଉପେନ୍ଦ୍ର ଭଞ୍ଜ ଫାଉଣ୍ଡେସନ ସମ୍ମାନ, କସ୍ତୁରୀ : ଆମ ଅସ୍ମିତା ସମ୍ମାନ, ବିଭାବନା ସମ୍ମାନ, ଗୋକର୍ଣ୍ଣିକା ଅନୁବାଦ ପୁରସ୍କାର , ଦକ୍ଷିଣ ଓଡିଶା ସାରସ୍ୱତ ସମ୍ମାନ, ଶ୍ରେଷ୍ଠ ସାପ୍ତାହିକ ଗଳ୍ପ ପୁରସ୍କାର , ପୁର୍ନେନ୍ଦୁ ମିଶ୍ର ସ୍ମାରକୀ ପୁରସ୍କାର, ଦ ଡଟର ଅଫ ହିମାଳୟ ( ନେପାଳ ) ସମ୍ମାନ , ପ୍ରମୋଦ କୁମାର ମହାନନ୍ଦିଆ ଫାଉଣ୍ଡେସନ ପୁରସ୍କାର, ତୀରତରଙ୍ଗ ଅନୁବାଦ ପୁରସ୍କାର , ଶ୍ରୀଚନ୍ଦନ ଏକାଡେମୀ ଅନୁବାଦ ପୁରସ୍କାର , ସୃଜନଗାଥା ଅନୁବାଦ ସମ୍ମାନ, (ବେଜିଙ୍ଗ), ସୃଜନଗାଥା ସମ୍ମାନ , (ଆନ୍ତର୍ଜାତୀୟ ହିନ୍ଦୀ ସମ୍ମୀଳନୀ, ଶ୍ରୀଲଙ୍କା ), ଭୁବନେଶ୍ୱର ପୁସ୍ତକ ମେଳା ଶିଶୁ ସାହିତ୍ୟ ପୁରସ୍କାର , ପଞ୍ଚଦଶ ରାଜଧାନୀ ପୁସ୍ତକ ମେଳା ଅନୁବାଦ ପୁରସ୍କାର ଓ ବିଷୁବ ମିଳନ ଝଙ୍କାର ଅନୁବାଦ ଭାରତୀ ପୁରସ୍କାରରେ ସେ ସମ୍ମାନିତା ଓ ସମ୍ବର୍ଦ୍ଧିତା।
ଲେଖିକା କନକ ମଞ୍ଜରୀ ସାହୁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।
ଅନୁବାଦ କରିବା ପଛରେ ଆପଣଙ୍କର କେଉଁ ଆଭିମୁଖ୍ୟ ଥାଏ ?
ପ୍ରାୟତଃ ମୁଁ ହିନ୍ଦୀ ଏବଂ ବଙ୍ଗଳା ଭାଷାରୁ ଅନୁବାଦ କରିଥାଏ । ଅନ୍ୟ ଭାଷାଭାଷୀ ଲେଖକମାନଙ୍କର ଉନ୍ନତ ମାନର ଲେଖା ସବୁ, ଯାହା ମୋ ମନକୁ ଛୁଏଁ, ସେସବୁକୁ ଅନୁବାଦ କରି, ଆମ ଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚେଇବାକୁ, ମୁଁ ଚେଷ୍ଟା କରିଥାଏ। ଏହା ହିଁ ମୋର ଉଦ୍ଦେଶ୍ୟ ।
କେଉଁ ଲେଖକଙ୍କ ସୃଷ୍ଟିକୁ ଅନୁବାଦ କରି ଆପଣ ଅପେକ୍ଷାକୃତ ଅଧିକ ଆତ୍ମତୃପ୍ତି ପାଇଛନ୍ତି ଏବଂ କାହିଁକି ?
ହିନ୍ଦୀ ଏବଂ ବଙ୍ଗଳା ଭାଷାର ଅନେକ ଲେଖକଙ୍କର ଗଳ୍ପ ଏବଂ ଉପନ୍ୟାସକୁ ଅନୁବାଦ କରି, ମୁଁ ଆତ୍ମତୃପ୍ତି ପାଇଛି। ସମସ୍ତଙ୍କର ନାଁ ତ ଏଠାରେ ଉଲ୍ଲେଖ କରିବା ସମ୍ଭବପର ହେବନି। ଯେଉଁ ଲେଖକମାନଙ୍କର ଗଳ୍ପ ଏବଂ ଉପନ୍ୟାସରେ ନୂତନ ଚିନ୍ତାଧାରା ଥାଏ ଏବଂ ଲେଖା ଭାବଗର୍ଭକ ହୋଇଥାଏ, ତାକୁ ଅନୁବାଦ କରିବା ପାଇଁ ମୁଁ ଆଗେଇଥାଏ ।
ଅନୁବାଦ ଓ ଅନୁସୃଜନ ଭିତରେ କି ପାର୍ଥକ୍ୟ ଅଛି ବୋଲି ଆପଣ ମନେ କରନ୍ତି ?
ଉତ୍ତମ ଅନୁବାଦ ଏକ ଅନୁସୃଜନ। ଜଣେ ସଫଳ ଅନୁବାଦକ ତା ଅଜାଣତାରେ ମୂଳ ଲେଖାକୁ ତାଙ୍କର ସୃଜନଶୀଳତା ମାଧ୍ୟମରେ ପ୍ରକାଶ କରିଥାନ୍ତି। ପ୍ରତ୍ୟେକ ଅନୁବାଦକଙ୍କ ଭିତରେ ଏକ ସୃଜନଶୀଳ ଲେଖକ ଥାଏ। ସୃଜନଶୀଳତା ନ ଥିଲେ ଜଣେ ସଫଳ ଅନୁବାଦକ ହେବା ଅସମ୍ଭବ ।
ଜଣେ ସଫଳ ଅନୁବାଦିକା ହେବାର ସୂତ୍ର କଣ?
ଜଣେ ଅନୁବାଦିକା ହିସାବରେ ମୁଁ ମୂଳ ଲେଖକଙ୍କର ଭାବକୁ ଆହରଣ କରେ। ସେହି ଭାବକୁ ଅକ୍ଷୁଣ୍ଣ ରଖି, ଲେଖାଟିକୁ ସ୍ୱକୀୟ ଶୈଳୀରେ ମୋ ଭାଷାରେ ପ୍ରକାଶ କରିଥାଏ ।
ଅନୁବାଦ ସାହିତ୍ୟ ଓଡ଼ିଶାର ପାଠକଙ୍କ ଦ୍ୱାରା କେତେ ମାତ୍ରାରେ ଆଦୃତ ବୋଲି ଆପଣ ମନେ କରନ୍ତି ?
ଉତ୍ତମ ମୌଳିକ ଲେଖା ଭଳି ଉତ୍ତମ ଅନୁବାଦ ଲେଖା ମଧ୍ୟ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଥାଏ । ମୋ ଜାଣିବାରେ ପାଠକ ଏବଂ ବିଶେଷ ଭାବେ ଲେଖକମାନେ ଅନ୍ୟ ଭାଷାଭାଷୀ ଲେଖାମାନ ପଢନ୍ତି ଏବଂ ଏହାଦ୍ୱାରା ଅନୁପ୍ରାଣିତ ମଧ୍ୟ ହୁଅନ୍ତି। କେବଳ ନିଜ ଭାଷା ମଧ୍ୟରେ ସୀମିତ ନରହି, ବିଶ୍ୱ ସାହିତ୍ୟ ବିଷୟରେ ଜାଣିବା ପାଇଁ ଅନୁବାଦ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଓଡିଶାର ପାଠକମାନଙ୍କ ଦ୍ୱାରା ଅନୁବାଦ ସାହିତ୍ୟ ବେଶ୍ ଆଦୃତ ବୋଲି ମୁଁ ଅନୁଭବ କରେ। ଏଠାରେ ମୋ ନିଜ କ୍ଷେତ୍ରରେ ଯାହା ଅନୁଭୂତି ଅଛି, ତାହା ମୁଁ ଉଲ୍ଲେଖ କରିବାକୁ ଉଚିତ୍ ଭାବୁଛି। ପତ୍ରପତ୍ରିକାରୁ ମୋର ଅନୁବାଦ ଗଳ୍ପ ପଢି, ଅନେକ ପାଠକ ପାଠିକା ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଫୋନ ମାଧ୍ୟମରେ ତାଙ୍କର ମତାମତ ଦିଅନ୍ତି। କିନ୍ତୁ ଥରେ ସୁଧାମୂର୍ତ୍ତିଙ୍କ ଦ୍ୱାରା ଲିଖିତ ମୋର ଅନୁବାଦ ଗଳ୍ପ, ରବିବାର ସମ୍ବାଦରୁ ପଢି, ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶହେରୁ ଉର୍ଦ୍ଧ୍ବ ମୋ ପାଖକୁ ଫୋନ କଲ ଆସିଥିଲା। ଏଥିରୁ ଆପଣ ଜାଣି ପାରୁଥିବେ, ଓଡିଶାର ପାଠକମାନଙ୍କ ଦ୍ୱାରା ଅନୁବାଦ ସାହିତ୍ୟ କେତେ ଆଦୃତ।
ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ?
ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିନି। କାରଣ ମୁଁ ଜଣେ ଗୃହିଣୀ ହିସାବରେ ଘର ପରିବାରର ସମସ୍ତ ଜଞ୍ଜାଳ ବୁଝି, ସେଥିରୁ ସମୟ ବାହାର କରି, ସାହିତ୍ୟ ସୃଷ୍ଟିରେ ନିମଗ୍ନ ଥାଏ। ଯେହେତୁ ମୋ ସ୍ୱାମୀ ଜଣେ ଇଂରାଜୀ ଲେଖକ ଏବଂ ଔପନ୍ୟାସିକ, ତେଣୁ ସେ ମୋତେ ଭଲ ଭାବେ ବୁଝି, ମୋତେ ସହଯୋଗ କରନ୍ତି। ମୁଁ ବ୍ୟକ୍ତିଗତ ଜୀବନ ଏବଂ ସାହିତ୍ୟକୁ ସମାନ ଭାବେ ଗୁରୁତ୍ୱ ଦେଇଥାଏ।
ସାହିତ୍ୟରେ ନାରୀବାଦ କହିଲେ ଆପଣ କଣ ବୁଝନ୍ତି ?
କୌଣସି ଉଦ୍ଦେଶ୍ୟ ରଖି କିମ୍ବା କୌଣସି ମତବାଦର ବଶବର୍ତ୍ତୀ ହୋଇ ସାହିତ୍ୟ ସୃଷ୍ଟି କଲେ, ତାହାର ମାନ ବୃଦ୍ଧି ହୁଏ ନାହିଁ। ସେ ଯେଉଁ ବାଦ ହେଉ ନା କାହିଁକି ଯୋଉ ଲେଖାରେ ପ୍ରାୟତଃ ସମାଜ ପାଇଁ କିଛି ନା କିଛି ବାର୍ତ୍ତା ଥାଏ ଏବଂ ମୋ ହୃଦୟକୁ ତାହା ସ୍ପର୍ଶ କରେ, ତାକୁ ମୁଁ ଉତ୍ତମ ଲେଖା ବୋଲି ଭାବେ। ସାହିତ୍ୟ ଏକ ନିର୍ମଳ ସୃଷ୍ଟି। ତାହା ମଧ୍ୟରେ କୌଣସି ମତବାଦ ପଶିବା ଉଚିତ୍ ନୁହେଁ ବୋଲି ମୋର ମତ ।
ଦ୍ଵିତୀୟ ଗଳ୍ପ ସଂକଳନ ‘ନିସ୍ତବ୍ଧ ପୃଥିବୀ’ ବିଷୟରେ କିଛି କୁହନ୍ତୁ ?
ମୋର ଦ୍ୱିତୀୟ ଗଳ୍ପ ସଂକଳନ ‘ନିସ୍ତବ୍ଧ ପୃଥିବୀ’ ବିଷୟରେ କହିବାକୁ ଗଲେ, ଟିକେ ପଛକୁ ଫେରିବାକୁ ପଡିବ। ମୁଁ ପ୍ରଥମେ ଗଳ୍ପ, କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ ଏମିତି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିଲି। କାଦମ୍ବିନୀ, ସୁଚରିତା, ଅମୃତାୟନ, ସାନନ୍ଦା, ସୁଧନ୍ୟା, କସ୍ତୁରୀ, ଅନୁପମ ଭାରତ, ସମୟ, ଧରିତ୍ରୀ, ଏମିତି ଆହୁରି ଅନେକ ପ୍ରମୁଖ ପତ୍ରପତ୍ରିକାରେ ମୋର ମୌଳିକ ଲେଖାମାନ ପ୍ରକାଶ ପାଉଥିଲା। ମୋର ପ୍ରଥମ ଗଳ୍ପ ସଙ୍କଳନ ‘ଅସ୍ତରାଗ’ ସର୍ଜ୍ଜନା ପବ୍ଲିକେଶନ, ବ୍ରହ୍ମପୁର ଦ୍ୱାରା ୨୦୦୧ ମସିହାରେ ପ୍ରକାଶିତ ହୋଇଥିଲା। ଅନୁବାଦ ସାହିତ୍ୟ ଦିଗରେ ପଶିବା ପରେ ମଧ୍ୟ ମଝିରେ ମଝିରେ ଇଚ୍ଛା ହେଲେ ଗପଟିଏ ଲେଖିଦିଏ । କିଛି ପ୍ରକାଶିତ ଏବଂ କିଛି ଅପ୍ରକାଶିତ ଗଳ୍ପଗୁଡିକୁ ଏକାଠି କରି ପ୍ରାୟ ପଚିଶିଟି ଗଳ୍ପର ସମାହାର ‘ନିସ୍ତବ୍ଧ ପୃଥିବୀ’। ଏହାକୁ ପ୍ରକାଶ କରିଛନ୍ତି ‘ବ୍ଲାକ ଇଗଲ ବୁକ୍ସ’, ଓହିଓ, ଆମେରିକାର ପ୍ରକାଶକ ଶ୍ରୀଯୁକ୍ତ ସତ୍ୟ ପଟ୍ଟନାୟକ। ତାଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଦେବି, ମୁଁ ଜଣେ ଅନୁବାଦିକା ହିସାବରେ ଜଣାଶୁଣା ହେଲେ ବି ମୋର ମୌଳିକ ଲେଖାକୁ ସେ ଆଦରର ସହିତ ଗ୍ରହଣ କରିଛନ୍ତି ।
ସାହିତ୍ୟ କ୍ଷେତ୍ରରେ ସମ୍ମାନ ଓ ସ୍ୱୀକୃତି ଜଣେ ସ୍ରଷ୍ଟାଙ୍କୁ କିପରି ଅନୁପ୍ରେରିତ କରେ?
ଜଣେ ସ୍ରଷ୍ଟା, ସମ୍ମାନ ବା ସ୍ୱୀକୃତି ପାଇଁ ଲେଖି ନଥାଏ । କିନ୍ତୁ ତାକୁ ପୁରସ୍କାର ବା ସ୍ୱୀକୃତିଟିଏ ମିଳିଲେ, ସେ ଖୁସି ଅନୁଭବ କରିଥାଏ ଏବଂ ତାହା ତାକୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଏ। କିନ୍ତୁ ମୋ ମତରେ ପାଠକୀୟ ସ୍ୱୀକୃତି ଜଣେ ସ୍ରଷ୍ଟାକୁ ଅଧିକ ଅନୁପ୍ରେରିତ କରେ ।
ଭାରତୀୟ ଭାଷା ସାହିତ୍ୟରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଭାବ କିପରି ?
ଭାରତୀୟ ଭାଷା ସାହିତ୍ୟରେ, ଓଡିଆ ଭାଷା ସାହିତ୍ୟର ପ୍ରଭାବ ମଧ୍ୟ ଅଧିକ ରହିଛି। ଫକୀର ମୋହନ ସେନାପତିଙ୍କଠାରୁ ଆରମ୍ଭ କରି ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ; ଏମିତି ଅନେକ ଲବ୍ଧପ୍ରତିଷ୍ଠ ଲେଖକ ଏବଂ ଲେଖିକାଙ୍କର ପୁସ୍ତକ ସବୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ହୋଇ ପ୍ରସିଦ୍ଧି ଲାଭ କରିଛି। ତେଣୁ ଅନ୍ୟ ଭାରତୀୟ ଭାଷାର ଲେଖକ ଏବଂ ପାଠକମାନେ, ଆମ ଓଡିଆ ଭାଷାର ଲେଖକମାନଙ୍କୁ ଜାଣନ୍ତି ଏବଂ ସେମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ।
ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ। ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ପ୍ରକୃତରେ ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ। ପ୍ରଥମେ ଯାହା ମୋ ମନକୁ ଆସେ, ମୁଁ ଲେଖିଦିଏ। ଲେଖାଟିଏ ଲେଖିବା ପରେ, ଯେତେବେଳେ କିଛି ସମୟ ବ୍ୟବଧାନରେ ସେଇ ଲେଖାଟିକୁ ପଢେ, ସେତେବେଳେ ମୁଁ ମୋ ନିଜ ଲେଖାର କିଛି ଦୋଷ ତ୍ରୁଟି ଦେଖିପାରେ। ବିଶେଷ ଭାବେ ଭାଷାଗତ, ଭାବଗତ ତ୍ରୁଟି। ବେଳେବେଳେ ଗୋଟିଏ ଗୋଟିଏ ଶବ୍ଦ ମୋ ମନକୁ ନ ଛୁଇଁଲେ, ପରବର୍ତ୍ତୀ ସମୟରେ ଆହୁରି ତା’ଠାରୁ ଭଲ ଶବ୍ଦଟିଏ ଭାବି, ମନକୁ ଆସିଲେ ତାକୁ ବଦଳେଇଥାଏ । ମୋଟାମୋଟି ଭାବେ ଲେଖାଟିକୁ ଅଧିକ ମାର୍ଜିତ କରିବାକୁ ଚେଷ୍ଟା କରେ ।
ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ପୂର୍ବେ ଲେଖକଟିଏ ତା’ର ପୁସ୍ତକଟିକୁ ପ୍ରକାଶ କରିବାକୁ, ତାକୁ ବହୁତ ସଂଗ୍ରାମ କରିବାକୁ ପଡୁଥିଲା। ପ୍ରକାଶକମାନେ ଲେଖାର ଉତ୍କୃଷ୍ଟତା ଦେଖି ପୁସ୍ତକ ଛାପୁଥିଲେ। କିନ୍ତୁ ଆଜିକାଲି ପ୍ରକାଶନ ସଂସ୍ଥାମାନଙ୍କର ବୃଦ୍ଧି ଘଟିବା ଫଳରେ, ଯିଏ ଆଜି ଲେଖୁଛି, କାଲି ସିଏ ଅର୍ଥ ଦେଇ ପୁସ୍ତକ ଛାପୁଚି। ତଦ୍ଦ୍ୱାରା ନୂତନ ଲେଖାର ମାନ ବୃଦ୍ଧି ଘଟୁନି। ନୂତନ ଲେଖକମାନଙ୍କୁ ମୁଁ ଏହି ବାର୍ତ୍ତା ଦେବାକୁ ଚାହିଁବି ପ୍ରଥମେ ସେମାନେ ବରିଷ୍ଠ ବା ବିଶିଷ୍ଟ ଲେଖକମାନଙ୍କର ଲେଖା ସବୁ ପ୍ରଚୁର ପଢନ୍ତୁ । ତା’ପରେ ଲେଖାଟିଏ ଲେଖି ତା’ର ସମୀକ୍ଷା ନିଜେ କରନ୍ତୁ । ଧିରେ ଧିରେ ଲେଖାର ମାନ ବୃଦ୍ଧି ପାଇଲେ, ପୁସ୍ତକ ପ୍ରକାଶ କରନ୍ତୁ ।
Comments are closed.