Latest Odisha News

BREAKING NEWS

କବିତା : ଶ୍ରଦ୍ଧାଞ୍ଜଳି

ଆରତୀ ପଟ୍ଟଯୋଷୀ 

( ରଘୁନାଥ ମହାପାତ୍ରଙ୍କ ସ୍ମରଣେ )

ପାଷାଣେ ଜୀବନ
ଦେଉ ଦେଉ ଶିଳ୍ପୀ
ତୁମେ ହୋଇଲ ପଥର,
ସନ୍ତାନ ସହିତ
ସରଗେ ରହିଲ
ଛିଣ୍ଡାଇ ସମ୍ପର୍କ ଡୋର।

ଗୁମୁରୀ କାନ୍ଦୁଛି
କୋଣାରକ ଏଠି
ତୁମ ହାତ ଛୁଆଁ ପାଇଁ,
ଆଉ ସେ ସାହାସ
କିଏ ବା କରିବ
କାନ୍ଦେ ଶିଳା କଇଁ କଇଁ।

ପାଷାଣ ପ୍ରତିମା
ମନ ପ୍ରାଣ ଦେଇ
ଗଢିଲ ଭକତି ଭରେ,
କେହି ନଶୁଣିଲେ
ବଧିର ହୋଇଲେ
ସଂସାର ଏଠି ଗୁମୁରେ।

ପୁରୁଷ ବିହୀନ
ସାରା ପରିବାର
ସିନ୍ଦୁର ଶୂନ୍ୟ ଯୁବତୀ,
ହସ ଲିଭିଗଲା
ସବୁଦିନ ପାଇଁ
ଦିବସ ସାଜିଲା ରାତି।(୪)

ଏକା ବୋଧେ
ରହି ପାରିବନି ଭାବି
ସନ୍ତାନଙ୍କୁ ଡାକିନେଲ,
ସୃଷ୍ଟି କରିଥିବା
ତୁମ ମନ୍ଦିରରେ
ନିରବିଛି କୋଳାହଳ।

ନିସ୍ତବ୍ଦ ରାତିରେ
ଶୁଭିବନି ଆଉ
ତୁମ ସେ ନିହାଣ ଶବ୍ଦ,
ଅପାସୋରା ଦିନ
ଝୁରିବାକୁ ବାକି
ଛିଣ୍ଡା ଘୁଙ୍ଗୁରର ନାଦ।

ଦ୍ଵିତୀୟ କୋଣାର୍କ
କାନ୍ଦୁଛି ଗୁମୁରୀ
ଛାତିରେ ଛାତିଏ କୋହ,
ପ୍ରତୀକ୍ଷା କରିଛି
ତୁମ ପରଶକୁ
ଆଖିରେ ଉତ୍ତପ୍ତ ଲୁହ।

ନର୍ତ୍ତକୀର ହସ୍ତେ
ଭଗ୍ନ ମୁକୁର
କରେ ସ୍ମୃତି ରୋମନ୍ଥନ,
ତୁମେ ଯେ ଧରମା
ହେ ବୀର ପୁଙ୍ଗବ
କୋଣାର୍କ ହୋଇଲା ସ୍ୱପ୍ନ।

ଫେରିଆସ ଶିଳ୍ପୀ
ତନ୍ଦ୍ରା ତୁଟିଯାଉ
ତୁମ ମୃତ୍ୟୁ ସ୍ୱପ୍ନ ହେଉ,
ପୁନଶ୍ଚ ଜୀବନ
ଭର ପାଷାଣରେ
କୋଣାର୍କ ଜୀବନ ପାଉ।

ପଦ୍ମ ଉପାଧିରେ
ହେଲ ବିଭୂଷିତ
ଜଗତ କଲ୍ୟାଣ ପାଇଁ,
ଆଜି ପଦ୍ମପାଦେ
ହୋଇଲ ବିଲୀନ
ଜଗତ ଜନେ କନ୍ଦାଇ।

ବିଭୂ ଉପାସକ
ମାଆର ପୂଜକ
ସଭିଏଁ ବୁଜିଲେ ଆଖି,
କେମିତି ସହିଲା
ହୃଦୟ ତାଙ୍କର
ସନ୍ତାନର ଦୁଃଖ ଦେଖି।(୧୧)

ପଥର ପ୍ରତିମା
ପଥର ହେଲକି
ଅବା ଭଲ ପାଇଗଲ,
ଯିଏ ଗଢିଥାନ୍ତା
ସୁନ୍ଦର ପୃଥିବୀ
ତାକୁଇ ପାଷାଣ କଲ।

କାର ଦୁଃଖ ଦେଖି
ଯଦି ତୁମେ ସୁଖୀ
ବିନତି ଜଗତ ସାଇଁ,
ତୁମ ଇଚ୍ଛା ପୂର୍ଣ
ହେଉ ମହାବାହୁ
ବୃଥା ଆଶା କରୁ ନାହିଁ।

 

Leave A Reply

Your email address will not be published.