ସୁକାନ୍ତ ପଣ୍ଡା
ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଶୀତଳ ଷଷ୍ଠୀ ଅନ୍ୟତମ ପ୍ରଧାନ ଯାତ୍ରା। ଜଗନ୍ନାଥ ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ,ଲିଙ୍ଗରାଜ ମହାପ୍ରଭୁଙ୍କର ଚଉଦ ଯାତ୍ରା ।
ଶିବବିବାହ ପରଦିନ ଦେବଦମ୍ପତିଙ୍କ ମନ୍ଦିରକୁ ବାଣ ରୋଷଣୀ ସହ ପ୍ରତ୍ୟାବର୍ତ୍ତନ ହେଉଛି ଶୀତଳଷଷ୍ଠୀ । ଓଡ଼ିଶାର ସମ୍ବଲପୁର ସମେତ ପୁରୀ ଜିଲ୍ଲାର ବ୍ରାହ୍ମଣ ଶାସନମାନଙ୍କରେ ମଧ୍ୟ ଶୀତଳଷଷ୍ଠୀ ବହୁ ଆଡ଼ମ୍ବର ସହ ପାଳନ କରାଯାଏ ।ବ୍ରାହ୍ମଣ ଶାସନ ମାନଙ୍କରେ ଶୂନ୍ୟଚକ୍ରୀ ଆଦି ଦେଶୀ ବାଣର ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ଥାଏ । ଏକାମ୍ର କ୍ଷେତ୍ର ଭୁବନେଶ୍ବରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୁଏ ମଙ୍ଗଳକୃତ୍ୟ ଅର୍ଥାତ ଶିବବିବାହ ପୂର୍ବ ଦିନ ରାତିରୁ ।
ଲିଙ୍ଗରାଜ ମନ୍ଦିର ପକ୍ଷରୁ ଏକାମ୍ର କ୍ଷେତ୍ରରେ ଥିବା ଅଷ୍ଟଚଣ୍ଡୀ ଭାବରେ ଖ୍ଯାତ ଗୌରୀ ,ଅମ୍ବିକା ଉତ୍ତରେଶ୍ବରୀ ,କପାଳୀ ରାମାୟଣୀ ,ମୋହିନୀ , ବିନ୍ଧ୍ୟ ବାସିନୀ ଓ ଦ୍ବାରବାସିନୀ ଆଦି ଦେବୀ ମାନଙ୍କର ପୂଜାର୍ଚ୍ଚନା କରାଯାଏ । ଘଣ୍ଟ ,କାହାଳୀ ଓ ମଶାଲ ସହ ପୂଜାପଣ୍ଡା, ପତ୍ରି ଓ ବଡୁ ସେବାୟତ ମାନେ ଉପରୋକ୍ତ ଦେବୀ ମନ୍ଦିର ମାନଙ୍କୁ ଯାଇ ଦେବୀ ମାନଙ୍କର ମାଜଣା କରି ନୂଆ ବସ୍ତ୍ର ଓ ଫୁଲ ଚନ୍ଦନ ପ୍ରଦାନ କରନ୍ତି । ତା ସହିତ ସାଥିରେ ନେଇ ଥିବା ଶ୍ରୀ ଲିଙ୍ଗରାଜଙ୍କ ମହାପ୍ରସାଦ ଖେଚୁଡ଼ି ଭୋଗ ଠାକୁରାଣୀମାନଙ୍କୁ ସମର୍ପଣ କରନ୍ତି ।
ଏତଦବ୍ୟତୀତ ଲିଙ୍ଗରାଜ ମନ୍ଦିର ବେଢ଼ାରେ ଥିବା ଅଷ୍ଟ ଚଣ୍ଡୀ ଏବଂ ଅଷ୍ଟ ଶମ୍ଭୁଙ୍କୁ ମଧ୍ୟ ବିବାହ ନିମନ୍ତ୍ରଣ ଦିଆଯାଏ । ତା’ ପରଦିନ ଅର୍ଥାତ ଶିବବିବାହ ଦିନ ରାତିରେ ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କୁ ସାଥିରେ ଧରି ସୁସଜ୍ଜିତ ବିମାନରେ ଶ୍ବେତ ଓ କୃଷ୍ଣ ଛତ୍ର ତ୍ରାସ ଆଲଟ ଘଣ୍ଟ କାହାଳୀ ମଶାଲ ,ତ୍ରିଶାଖା ଏବଂ ବିବିଧ ବାଦ୍ୟ ସହ ବରଯାତ୍ରୀ ଶ୍ରୀ ବାସୁଦେବ ଓ ଶ୍ରୀ କପିଳନାଥଙ୍କ ସହ ବିବାହ ନୀତି ପାଇଁ କେଦାର ଗୌରୀ ମନ୍ଦିରକୁ ଯାତ୍ରା କରିଥାନ୍ତି । କେତେକ ବିବାଦ ଯୋଗୁଁ ଶ୍ରୀ କପିଳନାଥ ଏବେ କିଛି ବର୍ଷ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହେଇ ପାରୁ ନାହାନ୍ତି । ଶୀତଳଷଷ୍ଠୀ ବ୍ୟତୀତ ଲିଙ୍ଗରାଜଙ୍କ ବାଇଶ ଦିନ ବ୍ୟାପୀ ଚନ୍ଦନ ଯାତ୍ରାରେ ମଧ୍ୟ କପିଳନାଥ ଯୋଗ ଦେଇଥାନ୍ତି । ତେଣୁ ଏବେ ବରଯାତ୍ରୀ ଭାବରେ କେବଳ ଶ୍ରୀ ବାସୁଦେବ ତାଙ୍କ ପାଲିଙ୍କିରେ ବିବାହ ସ୍ଥଳୀକୁ ଯାଇଥାନ୍ତି ।
ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଏକାମ୍ର କ୍ଷେତ୍ରର କ୍ଷେତ୍ରପାଳ ହୋଇଥିବା ବେଳେ ଶ୍ରୀ ବାସୁଦେବ ହେଉଛନ୍ତି ଏକାମ୍ର କ୍ଷେତ୍ରରକ୍ଷକ । ପୁରୀରେ ଶ୍ରୀ ଜଗନ୍ନାଥ କ୍ଷେତ୍ରପାଳ ଓ ଶ୍ରୀ ଲୋକନାଥ ହେଉଛନ୍ତି କ୍ଷେତ୍ରରକ୍ଷକ । ଭୁବନେଶ୍ୱରରେ ଲୋକାମୁଖରେ ଶ୍ରୀ ଲିଙ୍ଗରାଜଙ୍କୁ ରାଜାଧିରାଜ ଭାବରେ ବର୍ଣ୍ଣନା କରାଯାଉଥିବା ବେଳେ କପିଳନାଥଙ୍କୁ ମନ୍ତ୍ରୀ ଭାବରେ ବର୍ଣ୍ଣନା କରାଯାଇଥାଏ ।
ମହାପ୍ରଭୁଙ୍କ ଶୋଭାଯାତ୍ରା ମନ୍ଦିରରୁ ବାହାରି ବଡଦାଣ୍ଡ ସାହି ,ତିନିମୁଣ୍ଡିଆ ମନ୍ଦିର(ବୈତାଳ) ଛକ ,ବିନ୍ଦୁସାଗର ପଶ୍ଚିମ ପାର୍ଶ୍ଵ ରାସ୍ତା ଦେଇ କେଦାର ଗୌରୀ ମନ୍ଦିର ଅନତି ଦୂରରେ ଥିବା ପର୍ଶୁରାମେଶ୍ବର ମନ୍ଦିର ସମ୍ମୁଖରେ ଆସୀନ ହୁଅନ୍ତି । ପର୍ଶୁରାମେଶ୍ବର ମନ୍ଦିର ଷଷ୍ଠ ଶତାବ୍ଦୀର ଏବଂ ଏହା ଓଡ଼ିଶାର ପ୍ରାଚୀନ ତମ ମନ୍ଦିର । ସେଠାରୁ ଦେବୀ ପାର୍ବତୀ ସେବାୟତମାନଙ୍କ ଗହଣରେ ବିଜେ କରି ମା ଗୌରୀଙ୍କ ମନ୍ଦିରରେ ଉପବେଶନ କରନ୍ତି । କେଦାର ଗୌରୀ ମନ୍ଦିରର ପାଳିଆ ସେବାୟତ , ମନ୍ଦିର ପୁରୋହିତ ଓ ଅନ୍ୟମାନଙ୍କ ଗହଣରେ ମହାପ୍ରଭୁଙ୍କୁ ବାଟବରଣ କରି କେଦାର ଗୌରୀ ମନ୍ଦିରସ୍ଥିତ ବିବାହ ମଣ୍ଡପରେ ବିଜେ କରାନ୍ତି ।
ବିଧିମତେ ମନ୍ଦିର ପୁରୋହିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ।ବରଯାତ୍ରୀ ଭାବରେ ଯାଇଥିବା ଶ୍ରୀ ବାସୁଦେବ ବିବାହ ମଣ୍ଡପ ସମ୍ମୁଖସ୍ଥ ଗଣେଶ ମନ୍ଦିରରେ ସ୍ଵତନ୍ତ୍ର ଆସନରେ ବିବାହ ଶେଷ ପର୍ଯ୍ୟନ୍ତ ଉପବେଶନ କରିଥାନ୍ତି।ବିବାହ ପରେ ବର କନ୍ୟା ଓ ବରଯାତ୍ରୀ କେଦାରେଶ୍ବରଙ୍କ ମନ୍ଦିରକୁ ଯାଇ ସେଠାରେ ସ୍ବତନ୍ତ୍ର ଆସନରେ ଉପବେଶନ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।
ଶୀତଳ ଷଷ୍ଠୀ ଦିନ ରାତିରେ ସନ୍ଧ୍ୟାଧୂପ ପରେ ମହାପ୍ରଭୁ ଠାକୁରାଣୀଙ୍କୁ ସାଥିରେ ଧରି ଶ୍ରୀ ବାସୁଦେବଙ୍କ ସହ ବିରାଟ ପଟୁଆରରେ ବାଣ ରୋଷଣୀ ବିବିଧବାଦ୍ଯ ନୃତ୍ଯ ଆଦି ସହ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଫେରିବା ସମୟରେ ମହାପ୍ରଭୁ ବିନ୍ଦୁସାଗର ପଶ୍ଚିମ ପାର୍ଶ୍ବ ରାସ୍ତା ବଦଳରେ ପରମ୍ପରା ଅନୁଯାୟୀ ବିଲ ମଧ୍ୟରେ ଆଣ୍ଠୁଏ କାଦୁଅରେ ପଶି ଆସନ୍ତି ।ଏବେ ସେଠାରେ ପକ୍କା ରାସ୍ତା ,ଶୀତଳଷଷ୍ଠୀ ରାସ୍ତା ନାମରେ ନାମିତ । ।
ଶୀତଳଷଷ୍ଠୀ ଶୋଭାଯାତ୍ରାର ଅନ୍ୟତମ ପାରମ୍ପରିକ ଆକର୍ଷଣ ହେଉଛି ଐରାବତ, ଯାହାକୁ ଲୋକ ମୁଖରେ ଇନ୍ଦିରା ହାତୀ ବୋଲି କହନ୍ତି। ଛୋଟ ଶଗଡ ଉପରେ ନଡାରେ ଧଳା କନା ଗୁଡେଇ ହାତୀ ତିଆରି କରାଯାଏ । ହାତୀର ସୁନ୍ଦର ମୁଖା ଲଗାଯାଏ। ମହାପ୍ରଭୁ ଶୀତଳଷଷ୍ଠୀ ରାସ୍ତା ଦେଇ ବଡଦାଣ୍ଡକୁ ଆସିବା ପରେ ଇନ୍ଦିରା ହାତୀ ଶୋଭାଯାତ୍ରାରେ ଠାକୁରଙ୍କ ଆଡ଼କୁ ମୁହଁ କରି ପଛେଇ ପଛେଇ ଯାଏ । ହାତୀ ଉପରେ ରାଜା ସେବା କରୁଥିବା ମହାପାତ୍ର ଉପାଧୀଧାରୀ ସେବାୟତ ଶ୍ବେତ ରାଜପୋଷାକ ସହ ଖଣ୍ଡା ଓ ଢାଲ ଧରି ଶେଷ ପର୍ଯ୍ୟନ୍ତ ବସିଥାନ୍ତି । ଲୋକ ମାନେ ଏହାକୁ ଦିଅଁଙ୍କ ଯୌତୁକ ହାତୀ ବୋଲି କହିଥାନ୍ତି । ଏ ହାତୀ ପାଣି ପିଇବା ପାଇଁ ମହାପାତ୍ର ସାହିରେ ଗୋଡ଼ିପୋଖରୀ ନାଆଁରେ ଗୋଟିଏ ପୋଖରୀ ମଧ୍ୟ ଖଞ୍ଜା ହୋଇଛି । ଫେରିବା ବାଟରେ ତିନି ନିଯୋଗ ପକ୍ଷରୁ ଦେବଦମ୍ପତିଙ୍କୁ ପଂକ୍ତି ଭୋଗ କରାଯାଏ । ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ବଡ଼ସିଂହାର ନୀତି ହୁଏ ।
ଚତୁର୍ଥୀ ଦିନ ମହାପ୍ରଭୁ ଠାକୁରାଣୀଙ୍କ ସହିତ ପାଲିଙ୍କିରେ ଅନନ୍ତ ବାସୁଦେବଙ୍କ ମନ୍ଦିରକୁ ଯାତ୍ରା କରନ୍ତି । ପ୍ରଥମେ ବିନ୍ଦୁସାଗର କୂଳରେ ବ୍ରହ୍ମା ଘାଟରେ ଖଟୁଲିରେ ବସି ଉଭୟ ସ୍ନାନ କରନ୍ତି । ସେଠାରେ ଆତସବାଜି ପ୍ରଦର୍ଶନ କରାଯାଏ । ପାଣିରେ ଫୁଟୁ ଥିବା ପାଣିକୁଆ ବାଣ ସେଠାରେ ମୁଖ୍ୟ ଆକର୍ଷଣ । ପରେ ଦେବଦମ୍ପତି ଅନନ୍ତ ବାସୁଦେବଙ୍କ ମନ୍ଦିରକୁ ଯାଆନ୍ତି । ସେଠାରେ ଚତୁର୍ଥୀ ହୋମ ଓ ପୂଜା ପରେ ମହାପ୍ରଭୁ ବଢେଇ ବାଙ୍କ ଛକରେ ଭାରତୀ ମଠ ପରିସରରେ ଥିବା କାମାକ୍ଷୀ ମନ୍ଦିରକୁ ଯାଆନ୍ତି । ବାଟ ସାରା କ୍ଷେତ୍ରବାସୀ ନିଯୋଗ ପଷରୁ ଶୂନ୍ୟଚକ୍ରୀ ବାଣ ଫୁଟାଯାଇ ନବଦମ୍ପତିଙ୍କୁ ସ୍ବାଗତ କରାଯାଇଥାଏ ।କାମାକ୍ଷୀ ଠାକୁରାଣୀଙ୍କୁ ଲିଙ୍ଗରାଜଙ୍କ ଭଉଣୀ ଭାବରେ ବିବେଚନା କରାଯାଏ । ତେଣୁ ଭଉଣୀ ପାଇଁ ଆଣି ଥିବା ଭାର ଦେବା ପାଇଁ ଲିଙ୍ଗରାଜ ଯାଇଥାନ୍ତି । ଭ୍ରାତୃ ଦ୍ବିତୀୟାରେ ମଧ୍ୟ ଲିଙ୍ଗରାଜ କାମାକ୍ଷୀ ମନ୍ଦିର ଯାଇଥାନ୍ତି । ଦୀପାବଳି ପରେ ପଡୁଥିବା ଭ୍ରାତୃ ଦ୍ବିତୀୟା ଦିନ ପୁରୁଣା ଭୁବନେଶ୍ୱରେ ଭାଇମାନେ ଭଉଣୀ ଘରକୁ ଯାଆନ୍ତି । ମନ୍ଦିର ଫେରିବା ପରେ ବେହରଣ ମଣ୍ଡପରେ ଗଇଁଠାଳ ଫିଟିବା ପରେ ବିବାହ ନୀତି ଶେଷ ହୋଇଥାଏ ।
Comments are closed.