Latest Odisha News

ପ୍ରଶାନ୍ତ କିଶୋରଙ୍କ ନାଁରେ ୫ କୋଟି ଲୁଟିଲେ : ଠକାମୀର ଶିକାର ହେଲେ ପଞ୍ଜାବ କଂଗ୍ରେସ ନେତା

ଲୁଧିଆନା- ଆସନ୍ତାବର୍ଷ ପଞ୍ଜାବ ନିର୍ବାଚନ ଥିବା ବେଳେ କଂଗ୍ରେସର ଅନ୍ତଃକନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା। ଠିକ୍ ଏହି ସମୟରେ ପ୍ରଶାନ୍ତ କିଶୋରଙ୍କ ନାଁ କହି କଂଗ୍ରେସ ନେତାଙ୍କଠାରୁ ୫ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ଆସିଛି। ପୁଲିସ ଏହି ଠକ ଗ୍ୟାଙ୍ଗର ଏକାଧିକ ସଦସ୍ୟଙ୍କୁ ଗିରଫ କରିଛି। ଏମାନଙ୍କ ମୁଖ୍ୟ ଗୌରବ ଶର୍ମା ମଧ୍ୟ ଗିରଫ ହୋଇଥିବା ପୁଲିସ କହିଛି। ଏହି ଗ୍ୟାଙ୍ଗ ଅତି କମରେ ୪୦ ଜଣ କଂଗ୍ରେସ ନେତାଙ୍କୁ ସେମାନଙ୍କ ପାଲରେ ପକାଇଥିବା ପୁଲିସ କହିଛି। ଏହି ଠକ ଗ୍ୟାଙ୍ଗ କଂଗ୍ରେସ ବିଧାୟକ କୁଲଦୀପ ସିଂହ ବୈଦଙ୍କୁ ଫୋନ୍ କରି ଟଙ୍କା ମାଗୁଥିଲେ। ତେବେ ସେମାନଙ୍କ କଥାବାର୍ତ୍ତାକୁ ନେଇ ସନ୍ଦେହ ହେବାରୁ ସେ ପୁଲିସକୁ ଜଣାଇଥିଲେ ଓ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାମ କରୁଛନ୍ତି। ଆସନ୍ତା ବର୍ଷ ନିର୍ବାଚନ ଥିବା ବେଳେ କାହାକୁ ଟିକଟ ମିଳିବ ଓ ନ ମିଳିବା ଉଚିତ ସେ ସମ୍ପର୍କରେ ଏକ ସର୍ଭେ ଚାଲିଥିବା କହି ଏହି ଠକ ଗ୍ୟାଙ୍ଗ  ୩୦ ରୁ ୪୦ ଆଶାୟୀଙ୍କୁ ଫୋନ୍ କରିଥିଲେ। ନିଜକୁ ପ୍ରଶାନ୍ତ କିଶୋରଙ୍କ ଟିମର ସଦସ୍ୟ ବୋଲି ପରିଚୟ ଦେବା ସହ ସେମାନଙ୍କ ସପକ୍ଷରେ ସର୍ଭେ ରିପୋର୍ଟ ଦେବାକୁ ପ୍ରଲୋଭିତ କରିଥିଲେ। ଏଥିପାଇଁ ଅର୍ଥ ଦାବି ମଧ୍ୟ କରିଥିଲେ। ତେବେ କୁଲଦୀପ ସନ୍ଦେହ କରି ପୁଲିସକୁ ଜଣାଇଥିଲେ। ଏହାପରେ ସେମାନେ ଗିରଫ ହୋଇଥିଲେ। ଏହି ଠକ ଗ୍ୟାଙ୍ଗ ବିଭିନ୍ନ କଂଗ୍ରେସ ନେତାଙ୍କଠାରୁ ଅତି କମରେ ୫ କୋଟି ଟଙ୍କା ଠକି ନେଇଥିବା ପୁଲିସ କହିଛି। ତେବେ କେଉଁ ନେତା ଏମାନଙ୍କୁ ଅର୍ଥ ଦେଇଛନ୍ତି ସେ ସମ୍ପର୍କରେ ପୁଲିସ କହିନାହି।

ଏ ଘଟଣା ସମ୍ନାକୁ ଆସିବା ପରେ କଂଗ୍ରେସ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃ଼ଷ୍ଟି ହୋଇଛି। ଗୋଟିଏ ପଟେ ଅନ୍ତଃକନ୍ଦଳକୁ ଦୂର କରିବା ପାଇଁ ପଞ୍ଜାବ କଂଗ୍ରେସ ଉଦ୍ୟମ ଚଳାଇଛି। ଅନ୍ୟପଟେ ଟିକଟ ପାଇଁ କଂଗ୍ରେସ ନେତାମାନେ ଏମିତି ବୋକାମୀ କରିବା ଶୀର୍ଷ ନେତୃତ୍ୱଙ୍କ ପାଇଁ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.