Latest Odisha News

BREAKING NEWS

ଅନୁଗୁଳ ହସ୍ପିଟାଲ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼, ପୋଲିସ ସାଜିଲା ଦେଖଣାହାରୀ

ଅନୁଗୁଳ: ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଆଗରେ ଠକେଇ କରିଥିବା ଯୁବକଙ୍କୁ ଯିଏ ଯେମିତି ପାରିଲା ପିଟିଲା ।

ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦା ଅଞ୍ଚଳର ଲିପୁନ ସାହୁ ନାମକ ଜଣେ ଯୁବକ ତାଙ୍କ ବାପାଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଆଜି ସକାଳେ ଡାକ୍ତର ତାଙ୍କୁ ଗୋଟିଏ ଔଷଧ କିଣି ଆଣିବାକୁ କହିଥିଲେ । ଏହି ସମୟରେ ପାଖରେ ଥିବା ଅନ୍ୟ ଜଣେ ଯୁବକ ଲିପୁନଙ୍କୁ ଔଷଧ ଆଣିଦେବାକୁ ୫ ଶହ ଟଙ୍କା ମାଗି ନେଇଥିଲେ ।

ପରେ ଔଷଧ ଆଣିଲେ ନାହିଁ କି ଟଙ୍କା ବି ଫେରସ୍ତ କଲେ ନାହିଁ । ଟଙ୍କା ନେଇ ଛୁ ମାରିଥିଲେ । କିଛି ସମୟ ପରେ ସଂପୃକ୍ତ ଯୁବକ ଜଣଙ୍କ ଡାକ୍ତରଖାନା ପରିସରରେ ବୁଲୁଥିବା ଦେଖିଥିଲେ ସୁରକ୍ଷାକର୍ମୀ । ଲିପୁନକୁ ଡାକି ଉକ୍ତ ଯୁବକକୁ ଚିହ୍ନଟ କରିଥିଲେ । ଟଙ୍କା ଫେରସ୍ତ ମାଗିବାରୁ ସେହି ଟଙ୍କାରେ ମଦ ପିଇ ଦେଇଥିବା ଯୁବକ କହିବା ପରେ ଆରମ୍ଭ ହୋଇଥିଲା ମାଡ ।

ଡାକ୍ତରଖାନାର କିଛି କର୍ମଚାରୀ ଓ ଅନ୍ୟ ଲୋକ ମିଶି ଯୁବକଙ୍କୁ ପିଟିବା ସହ ବସ୍ଉଠ କରାଇଥିଲେ । ସେତେବେଳେ ଫାଣ୍ଡିରେ ଥିବା ପୋଲିସ କର୍ମଚାରୀ ଦେଖଣାହାରୀ ସାଜିଥିଲେ । କେହି ଅଟକାଉ ନଥିଲେ । ଶେଷରେ ଅନୁଗୁଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଅଟକ ରଖିଛି ।

ଟଙ୍କା ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ଦଣ୍ଡ ଦେବା ପୋଲିସର କାମ । ଫାଣ୍ଡି ଆଗରେ ପୋଲିସ ଉପସ୍ଥିତିରେ ତାଙ୍କୁ ଏମିତି ନିର୍ଦ୍ଦୟ ଭାବରେ କିଛି ଲୋକ ମାଡ଼ ମାରିବା ଓ ନିର୍ଯାତନା ଦେବା କଣ ଠିକ୍ ? ଯୁବକ ଜଣଙ୍କ ତାଙ୍କ ଭୁଲ ସ୍ୱୀକାର କରିବା ପରେ ବି ତାଙ୍କୁ ପିଟିବା କଣ ଠିକ୍ ? ପୋଲିସ ନିରବଦ୍ରଷ୍ଟା ସାଜିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି । ଏନେଇ ଅନୁଗୋଳ ପୋଲିସର ପ୍ରତିକ୍ରିୟା ମିଳି ପାରି ନାହିଁ ।

Leave A Reply

Your email address will not be published.