Latest Odisha News

BREAKING NEWS

ଶ୍ରାଦ୍ଧରେ ଶ୍ରଦ୍ଧାଞ୍ଜଳି : ରମାଦେବୀ

ସେବା, ସଂଗ୍ରାମ, ସଂସ୍କାର, ସ୍ନେହ, କରୁଣା ଓ ତ୍ୟାଗର ପ୍ରତୀକ ମା’ ରମାଦେବୀ । ୧୮୯୯ ଡ଼ିସେମ୍ବର ୩ ତାରିଖରେ ଜନ୍ମିତା ମା’  ରମାଦେବୀ ଇହଲୀଳା ସମ୍ବରଣ କଲେ ୧୯୮୫ ଜୁଲାଇ ୨୨ ତାରିଖରେ। ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ସାନ ଭାଇ ଗୋପାଳ ବଲ୍ଲଭ ଦାସଙ୍କ ସୁପୁତ୍ରୀ ରମାଦେବୀ ବିବାହ କରିଥିଲେ ବିଶିଷ୍ଟ ଓକିଲ ଗୋକୁଳାନନ୍ଦ ଚୌଧୁରୀଙ୍କ ସୁପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କୁ । ଉଭୟ ପରିବାରରୁ ଉତ୍ତରାଧିକାରୀ ସୂତ୍ରରେ ସେ ହାସଲ କରିଥିଲେ ଦେଶ ପ୍ରେମର ଅମୃତଧାରା ।

୨୦ ବର୍ଷ ବୟସରୁ ସ୍ୱାଧୀନତା ଆନ୍ଦୋଳନ ପ୍ରତି ରମାଦେବୀ ଆକର୍ଷିତା ହେଲେ ଏବଂ ତାଙ୍କ ପରିବାର ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିଲା। । ଗାନ୍ଧୀଜୀଙ୍କ ୧୯୨୧ର ପ୍ରଥମ ଓଡିଶା ଗସ୍ତ ବେଳେ କଟକ ବିନୋଦବିହାରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉତ୍ସାହରେ ଯେଉଁ ପ୍ରଥମ ମହିଳା ସଭା ଅନୁଷ୍ଠିତ ହୋଇଥିଲା । ସେଠାରେ ଗାନ୍ଧୀଜୀଙ୍କୁ ରମାଦେବୀ ନିଜ ହାତ କଟା ସୂତା ମୋଡାଟିଏ ଭେଟି ଦେବା ପରଠାରୁ ତାଙ୍କ ଜୀବନର ମୋଡ ବଦଳିଗଲା । ଜମିଦାର ପରିବାରର ବୋହୂ ଗହଣାଗାଣ୍ଠି ଛାଡି ହାତବୁଣା ଧଳା ଖଦି ପିନ୍ଧି ପରଦା ଆଢ଼ୁଆଳରୁ ସଂଗ୍ରାମର ମଇଦାନକୁ ଆସି ଲବଣ ସତ୍ୟାଗ୍ରହରୁ ଭାରତଛାଡ ଆନ୍ଦୋଳନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ନିଭାଇ ବାରମ୍ବାର ଜେଲ ଗଲେ । କ୍ଷମତା ରାଜନୀତିରୁ ଦୂରରେ ରହି ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମରେ ସେ ସମର୍ପିତା ହେଲେ । ୧୯୩୪ରେ ଗାନ୍ଧୀଜୀଙ୍କ ଓଡ଼ିଶାରେ ପଦଯାତ୍ରା ଓ ୧୯୩୮ର ବେରବୋଇ ଅଧିବେଶନର ସେ ଥିଲେ ଅନ୍ୟତମ ସଞ୍ଚାଳିକା । କଟକ ବାଖରାବାଦସ୍ଥିତ ତାଙ୍କ ଘର ଥିଲା ସ୍ୱାଧୀନତା ସଂଗ୍ରାମୀଙ୍କ କେନ୍ଦ୍ରବିନ୍ଦୁ । ବରୀରେ ସେବାଘର ଓ ସତ୍ୟଭାମାପୁରରେ କସ୍ତୂରବା ଗାନ୍ଧୀ ରାଷ୍ଟୀୟ ସ୍ମାରକ ଟ୍ରଷ୍ଟର ଓଡିଶା ଶାଖା ତାଙ୍କର ହାତଗଢ଼ା ଅନୁଷ୍ଠାନ । ଗାନ୍ଧୀ, ଗୋପବନ୍ଧୁ, ବିନୋବା, ଜୟପ୍ରକାଶ ଆଦିଙ୍କ ନିକଟ ବଳୟରେ ସେ କାମ କରିଛନ୍ତି ଓ ଏହି ମହା ମନିଷୀମାନଙ୍କ ଦ୍ୱାରା ବାରମ୍ବାର ପ୍ରଶଂସିତା ହୋଇଛନ୍ତି । ଭୂଦାନ ଆନ୍ଦୋଳନ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସେ ଥିଲେ ଅଗ୍ରଗଣ୍ୟା ନେତ୍ରୀ ।

ଗୁଳିଗୋଳା ବିନିମୟ ଭିତରେ ସୀମାନ୍ତରେ ଚୀନ୍ ଓ ବାଂଲାଦେଶ ଯୁଦ୍ଧଠାରୁ ରାଜ୍ୟ ଭିତରେ ଓ ବାହରେ ଶାନ୍ତି, ସଦ୍ଭାବନା ଓ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ‘ସମାଜ’ ପରିବାର ସହ ସେ ମୂଳରୁ ଜଡିତ । ତାଙ୍କ ନାମରେ ଭୁବନେଶ୍ୱରରେ ସ୍ଥାପିତ ରମାଦେବୀ ମହିଳା କଲେଜ ଏବେ ବିଶ୍ୱ ବିଦ୍ୟାଳୟରେ ପରିଣତ ହୋଇଛି । କେନ୍ଦ୍ର ସରକାର ନୌବାହିନୀର ଏକ ତଟରକ୍ଷୀ ଜାହାଜକୁ ରମାଦେବୀଙ୍କ ନାମରେ ଉତ୍ସର୍ଗ କରିଛନ୍ତି । ଉତ୍କଳ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ  ଡିଲିଟ୍ ଉପାଧି ପ୍ରଦାନ କରିଥିବା ବେଳେ ଜାତୀୟ ସ୍ତରରେ ଯମୁନାଲାଲ ବଜାଜ ପୁରସ୍କାର ଭଳି ବହୁ ସମ୍ମାନ ତାଙ୍କ ଉପରେ ଅଜାଡି ହୋଇ ପଡିଥିଲା । ସପରିବାର ସ୍ୱେଚ୍ଚାକୃତ ଦାରିଦ୍ର୍ୟ ବରଣକରି ମା’ ରମାଦେବୀ ସେବା ଓ ସାମାଜିକ ବିପ୍ଳବ କ୍ଷେତ୍ରରେ ଯେଉଁ କ୍ରାନ୍ତି ଆଣିଛନ୍ତି ତାହା ଅବିସ୍ମରଣୀୟ । ତାଙ୍କ ଜୀବନପଥର ପଥିକ ହୋଇ ଅନେକ ସଂଗ୍ରାମୀ ଓ କର୍ମୀ ସୃଷ୍ଟି ହୋଇଛନ୍ତି । ଏହି ବିରଳ ସାଧିକାଙ୍କ ପବିତ୍ର ପୂଣ୍ୟ ତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

Leave A Reply

Your email address will not be published.