Latest Odisha News

BREAKING NEWS

ଗପ : କରୋନା ଟିକା

ସତ୍ୟନାରାୟଣ ଗନ୍ତାୟତ 
କରୋନା ଟିକା ନେଲଣି ? କଲୋନୀର ମାଉସୀ ପଚାରିଲେ।
 ହଁ ମାଉସୀ ! କହିଲା ରୀନା । ପୁଣି ମାଉସୀଙ୍କ ପ୍ରଶ୍ନ : ପ୍ରଥମ ଡୋଜ ନା ଦୁଇଟା ଯାକ ଡୋଜ ନେଇ ସାରିଚ ?
 : ନା ପ୍ରଥମ ଡୋଜ୍ ହିଁ ନେଇଛି ମାଉସୀ ।
ଶୁଣୁଶୁଣୁ ମାଉସୀ ପୁଣି କହିଲେ : ମୁଁ ଦି’ଟା ଯାକ ଡୋଜ ନେଇ ସାରିଚି । ଲାଗୁଚି, ତୁମେ ଉହୁଁ ଉହୁଁ ହୋଇ ପହିଲା ଡୋଜ ନେବାରେ ଡେରି କରି ଦେଇଥିବ !  ନୋହିଲେ ତ ଏତେ ବେଳକୁ ଦ୍ୱିତୀୟ ଡୋଜ ବି ନେଇ ସାରିବା କଥା ! ନା, ମାଉସୀ  ଟିକା ନେବାକୁ ଉହୁଁ ଉହୁଁ କିଆଁ ହେବି  ଯେ  ? କହିଲା ରୀନା ।
ମାଉସୀ କହିଲେ :  କଥା କ’ଣ କି ମାଆ , ଆଗ ଆଗ ଆମ ଭଳି ଷାଠିଏ ବର୍ଷିଆଙ୍କୁ ଯେବେ ଟିକା ଦେବା ଆରମ୍ଭ ହେଲା ସେତେବେଳେ ତୋ ମଉସା ମୋତେ ନେଇ  ଯେମିତି ହେଲେ ନା,ଆଉ କହନି !
କହିଲେ କ’ଣ ନା ତାଙ୍କ “ଏଭର୍ ୟଙ୍ଗ୍ ପେନସନର୍ ଗ୍ରୁପ୍”ର ସାଙ୍ଗ ମାନେ କୁଆଡେ କହିବେ : ଭାଉଜ ଏବେ କେମିତି ଦେବେ, ତାଙ୍କ ଭଳି ପଇଁଚାଳିଶି ବର୍ଷିଆଙ୍କ ପାଇଁ କଣ  ଟିକା ଆସିଚି ? ହେଃ ହେଃ ଜାଣୁନୁ କି ମାଆ ରୀନା !  ମୋତେ ସିନା ପାର୍ଲର ଯିବା ଭଲ ଲାଗେନି,ତଥାପି ଆମ କଲୋନୀରେ ହିଁ “ଶ୍ରୀୟା ବିଉଟି ସାଲୋନ୍” ଖୋଲା ହେବା ପରଠୁ ତୋ ମଉସାଙ୍କ ଜିଦ୍ ଲାଗି ସେଠିକି ମଝିରେ ମଝିରେ ମୁଁ ବି ଯାଏ ତ’ ! ତା’ ପରଠୁ କେହି ମୋ ବୟସ ବାଷଠି ବର୍ଷ ବୋଲି ସହଜେ ମାନୁ ନାହାଁନ୍ତି ପରା ! ଠିକ୍ ସେମିତି  ପଇଁଚାଳିଶି ବର୍ଷିଆଙ୍କ ପାଇଁ ଟିକା ଆରମ୍ଭ ବେଳେ ମୋ ସାନ ଜାଆ ଝୁନୁ ବି କଣ କମ୍ କୁନ୍ଥୁକୁନ୍ଥୁ ହେଉଥିଲା କି ! କେତେ ବୁଝାସୁଝା କରିବା ପରେ ଯାଇ ପ୍ରଥମ ଡୋଜ ନେଲା । କାଳେ ତୋ ଟିକା ନେବା ବେଳେ ବି ସେଇଆ ହୋଇଥିବ ଭାବି ପଚାରି ଦେଲି !
“ଓଃ  ମାଉସୀ ,  ମୋ ବଡଝିଅ ଶୁଭ୍ରା ପରା ପିଜି କରୁଛି ! ଆଉ ତା ମାଆ ଭାବେ ମୋ ବୟସ ଜଣା ପଡିଲେ କି ନ ପଡିଲେ ଏବେ ଆଉ  କଣଟା ଆଲୁଅ ହୋଇଯିବ କହୁ ନାହାଁନ୍ତି ? ହଁ, ମୋର ପ୍ରଥମ ଡୋଜ ଟିକା ମୁଁ ଠିକଣା ଦିନ ହିଁ ନେବାକୁ ଯାଇଥାନ୍ତି ମାଉସୀ । ହେଲେ ସେ କଥା ଉଠିବା ବେଳକୁ ମୋ ସାନଝିଅ ରାକ୍ଷୀ ପରା କହିଲା :  ମାମା,ଦିନା କେତେ ସବୁର୍ କରି ଯାଅ । କାରଣ ନେଟରୁ ଜଣା ପଡିଲାଣି ଯେ ଖୁବ୍ ଶୀଘ୍ର ଅଠର ବର୍ଷିଆଙ୍କ ପାଇଁ ବି ଟିକା ଆସିଯିବ । ତେଣିକି ନାନୀ ଓ ତୁମେ ଏକା ଥରକେ ପ୍ରଥମ ଡୋଜ୍ ଟିକା ଦେଇ ଆସିବ ଯେ ସୁବିଧା ହେବ।”
 “ଓହୋ,ଏମିତି କଥା ? ତୋର ସେଇ ସାନ ଛଟକିଟି ସତରେ ଖଣ୍ଡେ ଲୋ ମାଆ ! ” କହିବା ସହ ଯାଉ ଯାଉ ପୁଣି ମାଉସୀ ପଚାରିଲେ  : ଆଉ ତମ ଟିକା ଦେବା ବେଳର ଫଟୋ ପଠାଇବୁଟି ମୋତେ ! ମୁଁ ବି ପଠାଇବି ଯେ ଟିକା ନେବା ପାଇଁ ଆମେ ଦୁହେଁ ଘରୁ ବାହାରିବାଠୁ ଆରମ୍ଭ କରି ଟିକା ନେଇସାରି ଘରେ ଆସି ପହଞ୍ଚିବା ଯାଏ  ତୋ ମଉସା ଉଠାଇ ଥିବା ଆମ ଦୁହିଁଙ୍କର ସବୁତକ ଫଟୋ !
“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା: ୭୬୫୦୦୧
୯୪୩୭୯୦୯୬୭୫
Leave A Reply

Your email address will not be published.