Latest Odisha News

BREAKING NEWS

କବିତା ଲେଖିବା ସହଜ କିନ୍ତୁ କବି ହେବା ଆଦୌ ସହଜ ନୁହେଁ : କାମଦେବ ମହାରଣା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ କାମଦେବ ମହାରଣା। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର ବିଭବକୁ ନେଇ ଭାବ ଓ ଭାଷାର ସମ୍ମିଳନରେ ସଜେଇ ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା । ଗଦ୍ୟ ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ ।

କବି , କଫିବଗିଚା , ଛାଇସହ ସବୁଦିନ ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ କବିତା ଓ ଗଳ୍ପର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସେବା ପାଇଁ ସେ ଅନେକ ସାହିତ୍ୟ ସଂସଦ ତଥା ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

କବି କାମଦେବ ମହାରଣାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ “ଆଳାପ”

ଜୀବନର କେଉଁ ଉପାଦାନ ଆପଣଙ୍କୁ ସାହିତ୍ୟ ମନସ୍କ କଲା ?

ଅସ୍ତରଙ୍ଗ ଅଞ୍ଚଳର ନଈ ସମୁଦ୍ର ସଙ୍କୁଳ ଏକ ନିପଟ ନିରୀହ ବଡଗୋଲା ଗ୍ରାମ ମୋ ଜନ୍ମସ୍ଥାନ। ଶୈଶବରୁ କୈଶୋର ଯାତ୍ରାରେ ପ୍ରକୃତି ଅଜାଡ଼ି ଦେଇଥିବା ଅସରନ୍ତି ସୌନ୍ଦର୍ଯ୍ୟ ମତେ ବାରମ୍ବାର ମୁଗ୍ଧ ଓ ଅନ୍ୟମନସ୍କ କରିଛନ୍ତି।ଆମ ଗାଁ ଶେଷ ପ୍ରାନ୍ତରୁ ଉଦୟକଣୀ (ଉଦୟକଣ) ଗାଁ ମୁଣ୍ଡରେ ସଘନ ଝାଉଁ ବୁଦା ଭିତରୁ ସୁବର୍ଣ୍ଣ ଦିପ୍ତ ବାଲିବନ୍ତର କିଛି ଅଂଶ ମୋର ପିଲା କାଳରୁ ପରୀ ରାଇଜର ଏକ ଅଂଶ ରୂପେ ପ୍ରତୀତ ହୋଇଛି। ସେ ଅନୁଭୂତି କଳ୍ପନା ପ୍ରବଣତାର ଆଦ୍ୟ ଭୂମି। ମୁଁ ପିଲାଦିନେ ଅନେକ ସମୟଧରି ପୃଥିବୀର ସେଇ ପୁଳାକ ସୌନ୍ଦର୍ଯ୍ୟରେ ଅନେକ ରୁପବନ୍ତ ପରୀ ଓ ବୁଢୀ ଅସୁରୁଣୀ ବିଷୟରେ କଳ୍ପନା କରୁଥିଲି। ଯାହା ପରବର୍ତ୍ତୀ ସମୟରେ ସାହିତ୍ୟ ସାଧନାର ପ୍ରମୁଖ ଉପାଦାନର ରୂପ ନେଲେ।

ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଗାଁର ଜଣେ ସମ୍ପର୍କୀୟ ଭିଣୋଇ ତାଙ୍କ ଘରକୁ ଡ଼ାକି ପ୍ରଜାତନ୍ତ୍ର ସାପ୍ତାହିକ, ଝଙ୍କାର ଓ ସଚିତ୍ର ବିଜୟା କେତୋଟି ଭେଟିଦେଲେ। ଯାହା ପରବର୍ତ୍ତୀ କାଳରେ ମତେ ପ୍ରଚୁର ପଠନ ମନସ୍କ କଲା। ହାଇସ୍କୁଲ୍ ପଢ଼ିବା ବେଳେ ସ୍କୁଲ ଲାଇବ୍ରେରୀର ଅଧିକାଂଶ ଓଡ଼ିଆ ବହି ପଢି ଦେଇଥିଲି। ଯାହା ମୋର ଭାଷାଜ୍ଞାନ ଓ ଶବ୍ଦ ଆୟତ୍ତରେ ସହାୟକ ହେଲା।

ସାମ୍ପ୍ରତିକ ସମସ୍ୟା ନେଇ ଆପଣଙ୍କ କବିତା କେତେ କଥା କହେ ?

କବିତା ଚିରକାଳ ଏକ କାଳଖଣ୍ଡର ସାଂସ୍କୃତିକ, ସାମାଜିକ ତଥା ରାଜନୈତିକ ରୂପରେଖ ଓ ତାର ପରିଣାମର ସାକ୍ଷୀ। ସମଗ୍ର ପୃଥିବୀରେ ମଣିଷ ନାମକ ପ୍ରାଣୀଟି ଭିତରେ ନାନା ପ୍ରକାରର ସମସ୍ୟା ସର୍ବଦା ବିଦ୍ୟମାନ। ଆଉ ସାମ୍ପ୍ରତିକତା ବୋଇଲେ ଏହାଏକ ଚଳକ୍ଷମ ବର୍ତ୍ତମାନ। ମୁଁ ସମସ୍ୟାର ମୂଳଭିତ୍ତି ପର୍ଯ୍ୟନ୍ତ ନଯାଇ ତତ୍କ୍ଷଣ ପ୍ରତିକ୍ରିୟା ପର୍ଯ୍ୟାୟ କବିତାରେ ବିଶ୍ୱାସ କରେନା। ଏପରି କବିତା ଲେଖିବାକୁ ମତେ ଅନେକ ସମୟ ଲାଗେ।

ସବୁ ଗଣମାଧ୍ୟମରେ ଆଫଗାନିସ୍ଥାନ ନାରୀକୁ ନେଇ ଯେଉଁ ପ୍ରକାରର ପ୍ରତିକ୍ରିୟା ଆସୁଛି , ସେଥିରେ ଆପଣଙ୍କ କବି ପ୍ରାଣ କ’ଣ କହେ ? ଲାଗେନି କି ମାନବବାଦର ହତ୍ୟା ହେଇଛି ?

ଆଫଗାନିସ୍ଥାନରେ ସଦ୍ୟ କ୍ଷମତାସୀନ ତାଲିବାନ ସହିତ ଏହି ହତଭାଗ୍ୟ ଦେଶଟିର ରକ୍ତରଞ୍ଜିତ ବିପୁଳ ଇତିହାସ ବିଦ୍ୟମାନ। ଏଥିପାଇଁ ଋଷ୍ ଆମେରିକା ଭଳି ଶୋଷକ ଦେଶମାନେ ଅଳ୍ପ ବହୁତେ ଦାୟୀ।ଆଉ ରହିଲା ସେ ଦେଶର ନାରୀମାନଙ୍କ କଥା। ଉତ୍କଟ ଧାର୍ମିକ ମତବାଦ ଓ ବର୍ବରତା ପ୍ରବଣ ସେହି ହତଭାଗ୍ୟ ଦେଶଟିରେ ନାରୀର ବ୍ୟକ୍ତିଗତ ଇଚ୍ଛା ବୋଲି କିଛିନାହିଁ। ସେଠାରେ ନାରୀ କହିଲେ ଏକ ସଜୀବ ବସ୍ତୁ ଯାହା ସେହି ବର୍ବର ଆତତାୟୀ ମାନଙ୍କ ପାଇଁ ଯୌନକ୍ଷୁଧା ମଣ୍ଟେଇବା ତଥା ସନ୍ତାନ ଜନ୍ମ କରିବାର ଏକ ଜୀବନ୍ତ ମେସିନ୍। ଏ କଥା ଭାବିଲେ ହୃଦୟ କୋରି ହୋଇଯାଏ। ଏକ ନିର୍ଦ୍ଧିଷ୍ଟ ଧାର୍ମିକ ଆଇନ ଭିତରେ ନାରୀର ଜୀବନ ନର୍କଠୁ ବି ଆହୁରି ଦୟନୀୟ। ନାରୀ ଶିକ୍ଷା ଓ ସ୍ଵାଧୀନତା କଥା ସେଠି ନିଷିଦ୍ଧ ମାନବବାଦର ଅର୍ଥ ହିଁ କିଛି ନାହିଁ ।

ବିଶ୍ୱର ଯେ କୌଣସି କୋଣରେ ବିତ୍ପାତ ବି ସାମାଜିକ ସଂଘାତ ବେଳେ ସାହିତ୍ୟର ଭୂମିକା କ’ଣ ହେବା ଉଚିତ ?

ସାହିତ୍ୟ ସବୁବେଳେ ସମାଜର କଥା ହିଁ କୁହେ। ଆଧୁନିକ ବିଶ୍ୱରେ ସାମାଜିକ ସଂଘାତ ମୌଳବାଦ, ଦେଶଦେଶ ଭିତରେ ଆର୍ଥିକ ତଥା ରାଜନୈତିକ ପ୍ରତିଯୋଗିତା ହିଁ ସବୁ ମାନବୀୟ ସଂକଟର ସୂତ୍ରଧର। ଏ ସମୟରେ ଜଣେ ସାହିତ୍ୟିକର ଭୂମିକା ରାଜନୈତିକ ବିଚାର ବର୍ଜିତ ସମଦ୍ରଷ୍ଟା ହେବା ଉଚିତ୍। ଏଥି ପାଇଁ ଲୋଡା ନିର୍ଭୀକ ବୈଚାରିକ ଉଦାରତା ଓ ଆର୍ଥିକ ଲାଳସାହୀନ ବ୍ୟକ୍ତିତ୍ଵ। ବିଶ୍ଵ ଇତିହାସରେ ସଂଘଟିତ ପ୍ରାୟ ପ୍ରତ୍ୟେକ ଗଣତାନ୍ତ୍ରିକ ଆନ୍ଦୋଳନରେ ସାହିତ୍ୟର ଭୂମିକା ଅବର୍ଣ୍ଣନୀୟ।

ଆପଣଙ୍କ ଗଦ୍ୟ ରଚନାରେ ରୁଚି ରଖନ୍ତି, ତାଙ୍କୁ ନେଇ ଭବିଷ୍ୟତ ଯୋଜନା କ’ଣ ?

ବାସ୍ତବରେ କବିତା ଲେଖିବା ଭିତରେ ବେଳେବେଳେ ମୁଁ ଗଦ୍ୟ ଲେଖେ। ଗଦ୍ୟ ରଚନାରେ ଏକ ଆତ୍ମତୃପି ମିଳେ ।ଯେତେବେଳେ ମୁଁ ଯେଉଁ କଥା ମୁଁ କବିତାରେ ବ୍ୟକ୍ତ କରିପାରେନା ସେତେବେଳେ ଗଳ୍ପର ସାହାଯ୍ୟ ନିଏ। ମୁଁ ଭାବେ ପ୍ରତି କବି ଭିତରେ ଏକ ଗାଳ୍ପିକ ଓ ପ୍ରତି ଗାଳ୍ପିକ ଭିତରେ ଏକ କବିସତ୍ତା ଲୁଚି ରହିଥାଏ। କବିତା ଓ ଗଳ୍ପ ବ୍ୟତୀତ ମୁଁ କେତୋଟି ଗଳ୍ପ ଓ କବିତା ବହିର ପାଠକୀୟ ଆଲୋଚନା କରିଛି। ମୋର ଅନେକ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ଛପା ହୋଇଛି ମଧ୍ୟ।

ଏମିତିରେ ଆପଣଙ୍କ କବିତାର ସ୍ୱର ରୋମାଣ୍ଟିକ କିନ୍ତୁ ଆପଣ ନିଜକୁ ସବୁବେଳେ ବିଷାଦ ଘେରରେ ରଖନ୍ତି ବୋଲି ଅନେକ କହନ୍ତି , ଏମିତି କାହିଁକି ?

ବିଷାଦ ବୋଧହୁଏ କବିତାର ଆଦ୍ୟଭୂମି। କ୍ରୌଞ୍ଚ ପକ୍ଷୀର ବିରହ ବିଳାପ ପାଇଁ ବାଲ୍ମୀକି ରାମାୟଣ ରଚନା କଲେ। ବିଷାଦଗ୍ରସ୍ଥ ଅର୍ଜୁନଙ୍କୁ ନୀତିବାକ୍ୟ ମାଧ୍ୟମରେ ଶ୍ରୀକୃଷ୍ଣ ଭେଟିଦେଲେ ଶ୍ରୀମଦ୍ ଭାଗବତ ଗୀତା, ଯାହା ସମଗ୍ର ମାନବ ଜାତି ପାଇଁ ଜ୍ଞାନର ଏକ ଅସରନ୍ତି ଭଣ୍ଡାର। ମଣିଷଟିଏ ହିସାବରେ ମୋର ବିଷାଦ ସମୟ ଓ ପରିସ୍ଥିତି ସୃଷ୍ଟ। ତାପରେ ବିଷାଦ ଏକ ଆପେକ୍ଷିକ ଶବ୍ଦ। ଯାହା ବେଳେବେଳେ ଆତ୍ମମଗ୍ନ କରେ।

କେଉଁ ସ୍ରଷ୍ଟାଙ୍କ ରଚନାରେ ଆପଣ ଅଧିକ ଅନୁପ୍ରାଣିତ ହୋଇଛନ୍ତି ?

ଅତି ଅଳ୍ପ ବୟସରୁ ମୁଁ ଭାଗବତ,ରାମାୟଣ ଓ ମହା ଭାରତ ପଢ଼ିଛି। ସଜ୍ଞାତ ପଠନରେ ମନୋଜ ଦାସ ମୋର ପ୍ରିୟ ଲେଖକ। ମୁଁ ତାଙ୍କୁ ପଢ଼ି ଲେଖାଲେଖି ପ୍ରତି ଆକର୍ଷିତ ହୋଇଛି।

ପୁରସ୍କାର ଓ ପରିଚିତି ଜଣେ ଲେଖକଙ୍କୁ କିପରି ପ୍ରୋତ୍ସାହିତ କରେ ବୋଲି ଆପଣ ଭାବନ୍ତି ?

ଏଭଳି ଭୟଙ୍କର ପ୍ରଶ୍ନର ଉତ୍ତର ଦେବାର ବୟସ ମୋର ହୋଇନାହିଁ ବୋଲି ଭାବୁଛି। କିନ୍ତୁ ନିଜର ବ୍ୟକ୍ତିଗତ କିଛି ମନ୍ଦ ଅନୁଭୂତି ମତେ ଏଇ ପୁରସ୍କାର ଓ ପରିଚିତି ଜନିତ ଲାଳସା ମୁକ୍ତ କରିଛି। କବିଟିଏ ପାଇଁ ଅନ୍ଧାର ଆକାଶର ଅସୁମାରୀ ତାରା, ନିର୍ମଳ ପୁଷ୍କରିଣୀରେ ନିରୀହ କଇଁଫୁଲର ନିର୍ମଳ ହସ, ଦୁର୍ଗମ ବନଭୂମିର ଆଦିମ ନିରବତା ତଥା ସମୁଦ୍ରର ଅଶେଷ ଗର୍ଜନ କ’ଣ ଏକ ପ୍ରକାର ପ୍ରାକୃତିକ ପ୍ରୋତ୍ସାହନ ନୁହେଁ ?

ଲେଖାଲେଖି ସହ ଗଛଲତା ଉପରେ ଆପଣ ବିଶେଷ ରୁଚି ରଖନ୍ତି । ଏହା ଆପଣଙ୍କ ସାହିତ୍ୟିକ ଜୀବନକୁ କିପରି ପ୍ରଭାବିତ କରେ ?

ଗଛଲତାଙ୍କ ଭାବଗତ ସଂପର୍କ ମୋର ପିଲାଦିନରୁ ରହିଆସିଛି। ଆମ ଗ୍ରାମ ସଂଲଗ୍ନ ଛୋଟ ବଣ ଚେନାଏ ମୋର ଶୈଶବର କ୍ରୀଡା ଭୂମି। ପିଲାଦିନରୁ ହିଁ ଗଛ ଲଗେଇ ପ୍ରଥମ ଫୁଲର ପ୍ରସ୍ଫୁଟିତ ସୌନ୍ଦର୍ଯ୍ୟ ମତେ ସ୍ୱର୍ଗୀୟ ଆନନ୍ଦ ଦିଏ।ତାହା ମତେ ଲେଖାଲେଖିରେ ପ୍ରେରଣା ଯୋଗାଏ।

ଏକଦା ମହାନ ସାହିତ୍ୟିକ ମନୋଜ ଦାସ ଆପଣଙ୍କ ସହ ଦେଖା କରିବାକୁ ଆସିଥିଲେ । ସେ ସମୟର ଅନୁଭୂତି କିପରି ଥିଲା ?

ସେଦିନର ଅନୁଭୂତି ଏବେ ମତେ ସ୍ବପ୍ନ ପରି ଲାଗେ। ତାଙ୍କର ବିଭିନ୍ନ ବହି ପଢ଼ିପଢ଼ି ତାଙ୍କୁ ଦେଖା କରିବାର ଅଭିଳାଷ ଅନେକ ଥର କରିଛି। ମୋ ମୁକ୍ତ ଏବଂ ନିରୀହ ମନର ପ୍ରାର୍ଥନା ବୋଧେ ସେ ଅନୁଭବ କଲେ ଏବଂ ମୋ ଭଳି ଏକ ଅକିଞ୍ଚନକୁ ଦେଖାକରିବାକୁ ଆସିଲେ। ସେ ଯେତିକି ସମୟ ମୋ ପାଖରେ ରହିଲେ ଓ ମୁଁ କରିଥିବା ପ୍ଲାଷ୍ଟିକ ବୋତଲ ବଗିଚା ଦେଖିଲେ ସେ ସମୟତକ ମୋ ଜୀବନ ପାଇଁ ଅମୂଲ୍ୟ ଅନୁଭବ।ତାଙ୍କ ବ୍ୟବହାର,କଥା ବାର୍ତ୍ତାର ନୈସର୍ଗିକ ଆନନ୍ଦର ତରଙ୍ଗ ଥାଏ। ସେ ଉପହାର ରୂପେ ଦେଇଥିବା ପାଞ୍ଚଟି ଚକୋଲେଟର ଜରି ମୁଁ ଅମୂଲ୍ୟ ସମ୍ପଦ ରୂପେ ସାଇତି ରଖିଛି।

ଆପଣଙ୍କ ଜୀବନରେ ସାହିତ୍ୟ ନଥିଲେ ଜୀବନର ଗତିପଥ ବଦଳି ଯାଇଥାନ୍ତା କି ?

ସାହିତ୍ୟ ମଣିଷ ଜୀବନର ଏକମାତ୍ର ଅବଲମ୍ବନ ନୁହେଁ।ଆଉ ସାହିତ୍ୟ କଦାପି ଏକ ମାନସିକ ପ୍ରଚାର ପ୍ରବଣ ଭାବାବେଗ ନୁହେଁ ବରଂ ମୁଁ ଯଦି ମଣିଷ ହୋଇନଥାନ୍ତି ? ଯଦି ସାହିତ୍ୟ କରୁନଥାନ୍ତି ମୁଁ ଚାଷ କରିଥାନ୍ତି।

ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ଏହା ବର୍ତ୍ତମାନ କାଳଖଣ୍ଡର ଏକ ସାଧାରଣ କିନ୍ତୁ ମାରାତ୍ମକ ପ୍ରଶ୍ନ। ସମସାମୟିକ ସାହିତ୍ୟ ରାଜ୍ୟରେ ସମସ୍ତେ ରାଜା ଆଉ ଭିକାରୀ। ବହୁଳ ପ୍ରଚାରର ମାଧ୍ୟମ, ବ୍ୟବସାୟିକ ଗୋଷ୍ଟିବାଦ ଆଉ ଚାଟୁକାରିତା ନବପ୍ରଜନ୍ମର ଅନେକ ସମ୍ଭାବନାକୁ ପାଳିତ କବି ଭାବେ ଗଢି ତୋଳୁଛି। ଏବେ ସାହିତ୍ୟକୁ ଏକ ଟାଇମ୍ ପାସ୍ ଭାବେ ବିବେଚନା କରାଯାଉଛି।

ଅଳ୍ପଜ୍ଞାନ ସତ୍ତ୍ବେ ଏତିକି କହିବି, ସମସ୍ତେ ପ୍ରଚୁର ପଢନ୍ତୁ, ବାଦ, ବିବାଦ ମୁକ୍ତ ହୁଅନ୍ତୁ। କବିତା ଲେଖିବା ସହଜ ମାତ୍ର କବି ହେବା ନୁହେଁ! ସମସ୍ତେ ସୃଜନଶୀଳ ସାହିତ୍ୟ ପ୍ରତି ଆକୃଷ୍ଟ ହୁଅନ୍ତୁ।

Comments are closed.