Latest Odisha News

ଅନୁବାଦ ଗଳ୍ପ : ଦଙ୍ଗା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪

ମୂଳ ଇଂରାଜୀ : ଖୁସୱନ୍ତ ସିଂ 

ମୁୁହଁ ଅନ୍ଧାର । ସାରା ସହରଟା ନିସ୍ତେଜ । ଚାରିଆଡ଼େ ଦୋକାନ ବଜାର ପଡ଼ି ଯାଇଛି । ରାସ୍ତାକଡ଼ ବତୀଖୁଣ୍ଟରୁ ଆଲୁଅ ସବୁ ଜଳି ଉଠିଲାଣି । ରାସ୍ତା ଶୂନଶାନ୍ । କେବଳ ଯାହା କାଁ ଭାଁ କେଇଜଣ ପହରାଦାର ପୁଲିସ ରାସ୍ତା ଉପରେ ଯାହା ପଇଁତରା ମାରୁଛିନ୍ତି । ସେମାନଙ୍କ ମୁଣ୍ଡରେ ଲୁହାର ହେଲ୍‌ମେଟ୍ ଓ କାନ୍ଧରେ ଗୁଳିଭରା ରାଇଫଲ୍ ଝୁଲୁଚି । ଏଇ ନିସ୍ତବ୍ଧତାକୁ ବିଦୀର୍ଣ୍ଣ କରି ଶୁଭୁଛି କେବଳ ପିଚୁରାସ୍ତା ଉପରେ ଚାଲୁଥିବା ଲୁହା ପାତିଆର ଆବାଜ ।

ଚାହୁଁ ଚାହୁଁ ଅନ୍ଧାର ଘୋଟିଆସୁଚି ଚାରିଆଡ଼େ । ମୁଣ୍ଡ ଉପର ଆକାଶର ଚନ୍ଦ୍ର ଦିଶୁଚି ଦା’ ପାତିଆଟିଏ ଭଳି । ନିସ୍ତବ୍ଧ ସହରର ରାସ୍ତା ଉପରେ ଫିକା ଜହ୍ନ ଆଲୁଅ ସାମାନ୍ୟ ଟିକେ ଯାହା ବାରି ହେଉଛି ମାତ୍ର । ବସନ୍ତ ସନ୍ଧ୍ୟାର ସୁଲୁସୁଲିଆ ପବନରେ ରାସ୍ତାକଡ଼ର କିଛି କାଗଜ ଟୁକୁଡ଼ା ପିଚୁରାସ୍ତାର ଗୋଟିଏ ପଟୁ ଉଡ଼ିଯାଇ ପୁଣି ଚାଲିଯାଉଛି ଆରକଡ଼କୁ । ପବନ ସାମାନ୍ୟ ଥଣ୍ଡା ଲାଗିଲେ ବି, ଯେମିତି ସେଥିରେ ବସନ୍ତର ସବୁ ବାସ୍ନା ଭରି ରହିଛି । କେଉଁ ଗୋଟାଏ ଗଳି ଭିତରୁ ପୁଞ୍ଜାଏ ପାଞ୍ଚଟା ବୁଲା କୁକୁର ବାହାରି ଗୋଟିଏ ଲାଇଟ୍ ଖୁଣ୍ଟ ପାଖରେ ରୁଣ୍ଡ ହେଲେଣି ।

ସେଇ ଲାଇଟ୍ ଖୁଣ୍ଟ ପାଖଦେଇ ସେତିକିବେଳେ କେଇଜଣ ପୁଲିସବାଲା ଚାଲିଗଲେ । କୁକୁରଗୁଡ଼ାଙ୍କ ଆଡ଼କୁ ଚାହିଁ ସେମାନଙ୍କ ଭିତରୁ ଜଣେ ହସିଦେଲା । ଆଉ ଜଣେ ତା’ ଦେଖାଦେଖି ନିମ୍ନ ସ୍ୱରରେ କିଛି ଗୋଟିଏ ଅଶ୍ଳୀଳ ମନ୍ତବ୍ୟ ଦେଲା । ତୃତୀୟ ପୁଲସିବାଲାଟି ଏସବୁ ଦେଖି ରାସ୍ତାକଡ଼ରୁ ମିିଛିମିଛିକା ଟେକାଟିଏ ଉଠେଇ ଫୋପାଡ଼ିଲା ଭଳି ହାତ ଉଞ୍ଚାଇଲା । କୁକୁରଗୁଡ଼ାକ କିଲିବିଲିଆ ହୋଇ ଯିଏ ଯୁଆଡ଼େ ପାଇଲେ ଦୌଡ଼ିବାକୁ ଲାଗିଲେ । କିଛି ଦୂରରେ ପୁଣି ଏକଜୁଟ ହୋଇ ସେମାନଙ୍କ ପ୍ରେମାଳାପ ଆରମ୍ଭ କରିଦେଲେ । ଏ ସହରର ବୁଲା କୁକୁରଙ୍କ ଭିତରେ ‘ରାଣୀ’ କୁତ୍ତିର କଥା ପୁରାପୁରି ନିଆରା ।

ତା’ର ପିଲା କବିଲାମାନେ ସହରର ହରେକ ଗଳିରେ ଦେଖିବାକୁ ମିଳିବେ । ରାଣୀ ବୁଢ଼ୀ ହୋଇଗଲାଣି । ତା’ ଦେହର ଚମଡ଼ା ଉପରୁ ଅରାଏ ଅରାଏ ରୁମ ଉଲୁରି ଗଲାଣି । ଜୀର୍ଣ୍ଣଶୀର୍ଣ୍ଣ କଙ୍କାଳସାର ଚେହେରାରେ ସୁଦ୍ଧା ସେ ଅନ୍ୟ ବୁଲା କୁକୁରମାନଙ୍କଠାରୁ ପୁରା ବାରି ହୋଇପଡ଼ିବ । ତା’ ଦେହର ଲୋମ ଗୋଟାପଣେ ଧଳା । ହେଲେ ଯେଉଁଠୁ ଲୋମ ଉତୁରି ଯାଇଚି ସେ ଚକଡ଼ାଟାରୁ ମାଉଁସ ଦେଖାଯିବା ଭଳି ଲାଗେ । ତଳିପେଟ ପଞ୍ଜରା ଦେହରୁ ତା’ର ଶୁଖିଲା ଥନ ଯେମିତି ତଳକୁ ଓହଳି ପଡ଼ିଛି ! ଆଉ ଲାଞ୍ଜଟା ସବୁବେଳେ ପଛ ଦି’ଗୋଡ଼ ଭିତରେ ଜାକି ହୋଇ ରହିଥିବ । ଯେମିତି ଭୟ ଆଉ କ୍ଷୁଧାରେ ସେ ଚିର ଆତଙ୍କିତ !

ପହିଲି ଦଫା ଛୁଆ ଜନ୍ମ କଲାବେଳେ ହୁଏତ ରାଣୀ ଆରପୁର ଦେଖିଥାନ୍ତା । ହେଲେ ରାମ ଜୱାୟାର ଅଯାଚିତ ଦୟା ତାକୁ ପୁନର୍ଜନ୍ମ ଦେଇଥିଲା । ରାମ ଜୱାୟା ଜାତିରେ ହିନ୍ଦୁ । ବ୍ୟବସାୟ କରେ । ତା’ରି ଘର ଅଗଣାରେ ରାଣୀ ତା’ର ପହିଲି ମାତୃତ୍ୱକୁ ଜାହିର କରିଥିଲା ଆଠଟି ସନ୍ତାନ ଜନ୍ମକରି । ପରିବାରର ସବୁଲୋକ ରାଣୀ ଆଉ ତା’ ଛୁଆଗୁଡ଼ାକ ସାଙ୍ଗରେ ବେଶ୍ ଖେଳାଖେଳି କଲେ । ସେମାନଙ୍କ ଖାଇବା ପିଇବା ଦାୟିତ୍ୱ ସୁଦ୍ଧା ନେଇଥିଲେ । ହେଲେ ସାମାନ୍ୟ ବଡ଼ ହେବାମାତ୍ରେ ଛୁଆଗୁଡ଼ାକ ରାସ୍ତା ଉପରକୁ ଚାଲିଗଲେ ଯେଝା ଯେଝା ପେଟପାଟଣା ଖବର ନିଜେ ନିଜେ ସମ୍ଭାଳିବାକୁ । କେତେ ଦିନ ଅବା ସେମାନେ ଏଇ ଦୟାର୍ଦ୍ର ବ୍ୟବସାୟୀଟି ବେକରେ ଗଳ ଗ୍ରହ ହୋଇ ଝୁଲିଥାନ୍ତେ ? ହେଲେ ରାମ ଜୱାୟାର ନିଃସ୍ୱାର୍ଥପର କରୁଣା ରାଣୀକୁ ପରାନ୍ନଭୋଗୀ ପାଲଟାଇ ଦେଲା ସମ୍ପୂର୍ଣ୍ଣ ଭାବେ । ଫି ବର୍ଷ ବସନ୍ତର ପହିଲି ମଳୟ ବହିିବାକୁ ଆରମ୍ଭ କଲାମାତ୍ରେ ରାଣୀ ଯେଉଁଠି ଥାଉନା କାହିଁକି ମୁସଲମାନ ପରିବାଦୋକାନୀ ରମଜାନର ପରିବାଭାଡ଼ି ତଳେ ଆସି ହାଜର ହୋଇଯିବ । ଭାଡ଼ି ତଳର ପ୍ରଶସ୍ତ ସ୍ଥାନଟିରେ ମୋତିର ଅଖଣ୍ଡ ରାଜତ୍ୱ । ମୋତି ବେଶ୍ ହୁଷ୍ଟପୁଷ୍ଟ ଓ ବଳୁଆ ବି । କୁକୁର ହେଲେ ସୁଦ୍ଧା ପୁୁଷାକାରକୁ ନେଇ ଗର୍ବ କରିବାର ସବୁ ଲକ୍ଷଣ ତା’ଠାରେ ଯେମିତି ଭରି ରହିଚି । ଆଉ ପ୍ରତି ବର୍ଷ ଆରମ୍ଭ ହେବା ବେଳକୁ ରାଣୀ ରାମ ଜୱାୟାର ପରିବାରକୁ ଅଧ ଡଜନେ ବା ତା’ଠୁ ଅଧିକ ସଂଖ୍ୟକ ଛୁଆ ଉପହାର ଦେବ । ‘ମୋତି’ର ପିତୃତ୍ୱକୁ ଜାହିର କରିବା ପାଇଁ ରାଣୀ ସତେ ଯେପରି ଏକମାତ୍ର ମାଧ୍ୟମ ।

ମୋତିର ବଂଶାବଳୀ ବଡ଼ ବିଚିତ୍ର । ସିଏ ନିଉଫାଉଣ୍ଡଲାଣ୍ଡ୍ ଆଉ ସ୍ପାନିଏଲ ଭେରାଇଟିର ଗୋଟିଏ ସଫଳ ସମ୍ମିଶ୍ରଣ । ତା’ର ଛଉଛଉକା ଦେହର ରଙ୍ଗ, ଆଉ ବେପରୱା ଚାହାଣିକୁ ନେଇ ରମଜାନ୍ ବି ଗର୍ବ ଅନୁଭବ କରେ । ରମଜାନ୍ ମୋତିର ଲାଞ୍ଜ ଓ କାନକୁ ବେଶ୍କା ଇଦାରେ କାଟି ଦେଇଛି । ମୋତି ପୁରାପୁରି ବଡ଼ କୁକୁରଟିଏ ହେବା ପର୍ଯ୍ୟନ୍ତ ସେ ତାକୁ ଖୁଆଇ ପିଆଇ ବେଶ୍ ଯତ୍ନରେ ପାଳିଥିଲା । ସେଇଦିନୁ ଇଏ ସହରର କୁକୁରକୁଳର ମୋତି ହିଁ ସର୍ବଶ୍ରେଷ୍ଠ ଅପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧା । ଆଗରୁ ରାଣୀର ସାନ୍ନିଧ୍ୟ ଲାଭ କରିବାକୁ ଏ ସହରର କେତେକେତେ ବାରବୁଲା ଅଣ୍ଡିରା କୁକୁର ଡହଳ ବିକଳ ହେଉଥିଲେ । ହେଲେ ରାଣୀ ଦିନକୁ ଦିନ କେବଳ ମୋତି ପ୍ରତି ହିଁ ଅଧିକ ଆକୃଷ୍ଟ ହୋଇଥିଲା । ଆଉ ତା’ର ସାନ୍ନିଧ୍ୟ ପାଇଥିଲା ବି ରମଜାନ ମିଆଁ ପରିବା ଦୋକାନର କାଠଭାଡ଼ି ତଳେ ।

ଏଥର ବି ହରେକ ବର୍ଷ ଭଳି ବସନ୍ତ ଋତୁ ଆସିଛି ତା’ର ରଙ୍ଗର ପସରା ନେଇ । ହେଲେ ହିଂସା ଓ କର୍ଫ୍ୟୁ ସାରା ସହରଟାକୁ ଯେମିତି ଗୋଟିଏ ପକ୍ଷାଘାତ ରୋଗୀରେ ପରିଣତ କରିଦେଇଚି । ଦିନବେଳେ ସହରର ଗଳିକନ୍ଦିରେ କାଁ ଭାଁ କେଉଁଠି କେମିତି ଆଠ ଦଶଜଣ ଲୋକ ଏପଟ ସେପଟ ହେଉଥିବାର ଦେଖାଯାଉଚି । ସମସ୍ତେ ଯେମିତି ମୂକ ପାଲଟି ଯାଇଚନ୍ତି ୟା’ଭିତରେ । କଥା କହିଲାବେଳେ କାହାରି ପାଟିରୁ ଶବ୍ଦ ସ୍ଫୁରୁନି । କେବଳ ଯାହା କାନ ପାଖରେ ଟୁପୁରୁଟାପୁରୁ । ଦୋକାନ ବଜାର ସବୁ ବନ୍ଦ୍ ।ସନ୍ଧ୍ୟାବେଳେ କର୍ଫ୍ୟୁ ଲାଗୁ ହେବାର ଢ଼େର୍ ଆଗରୁ ଲେକେ ତାଟି କବାଟ କିଳି ଯେଝା ଯେଝା ଘରେ ପଶି ସାରିଥାନ୍ତି । କେବଳ ଯାହା ନିଛାଟିଆ ରାସ୍ତାଘାଟରେ କେଉଁଠି କେମିତି ଦି’ଚାରିଟା ବୁଲା କୁକୁର, ନୋହିଲେ କିଛି ବନ୍ଧୁକଧାରୀ ପୁଲିସବାଲାଙ୍କୁ ଭେଟିହେବ ।

ଆଜି ରାତିରେ ମୋତିର ବି ଦେଖାନାହିଁ । ସତ କହିଲେ, କର୍ଫ୍ୟୁ ଲାଗିଲା ଦିନୁ ରମଜାନ ତାକୁ ଘରେ ପୂରାଇ ରଖିଥିଲା । ମୋତିକୁ ବାନ୍ଧି ପକେଇଥିଲା ଘରେ ପଡ଼ିଥିବା ଗୋଟିଏ ଖଟ ଗୋଡ଼ରେ । ରାସ୍ତାରେ ବୁଲା କୁକୁରଙ୍କ ସାଥିରେ ବୁଲିବା ଅପେକ୍ଷା ଘରଟାକୁ ତ ଜଗିପାରିବ । ମୋତି ଥିଲେ ରମଜାନର ଢେର୍ ସାହସ ଅଛି । ରାଣୀ ବୁଲିବୁଲି ଆସି ରମଜାନ ମିଆଁର ଦୋକାନ ତଳେ ଉଣ୍ଡିଲା ଓ ଦୀର୍ଘଶ୍ୱାସଟିଏ ପକାଇଲା । ଗଲା କେତେଦିନ ହେଲା ମୋତି ଦୋକାନ ତଳ ମାଡ଼ି ନଥିଲା । ମୋତିକୁ ନପାଇ ରାଣୀର ମନ ମରିଗଲା । ବର୍ଷକୁ ଥରେ ବସନ୍ତ ଆସିବ କେଇଦିନ ଲାଗି, ଆଉ କୁଆଡ଼େ ମିଳେଇଯିବ । ଋତୁ କାହାକୁ ଅପେକ୍ଷା କରିବନି । ବସନ୍ତ ଆଗମନ ଉପରେ କର୍ଫ୍ୟୁର କିଛି ପ୍ରଭାବ ନାହିଁ । ପୁଣି ଏମିତିକା ସମୟରେ ବସନ୍ତ ଆସିଛି ଯେତେବେଳେ ସହରଟା ସାରା ସିଏ ନିର୍ବିଘ୍ନରେ ଘୂରି ପାରୁଛି । କେହି
ତାକୁ ଘଉଡ଼ାଇ ଦେବାକୁ ସୁଦ୍ଧା ନାହାନ୍ତି । ଏମିତିକ ସୁଯୋଗ ସେ ଆଗରୁ କେବେ ପାଇନଥିଲା । ଯେମିତି ସାରା ସହରଟା ତା’ର ହୋଇଯାଇଛି କେବଳ ତା’ର । ଆଉ ଏଥିରେ ତା’ ସାଙ୍ଗରେ ଭାଗ ବସେଇବାକୁ କେହି ନାହିଁ । ମୋତି ଆଶା ଛାଡ଼ି ରାଣୀ ରାସ୍ତା ଉପରକୁ ଉଠି ସିଧା ରାମ ଜୱାୟା ଘରଆଡ଼େ ଗୋଟିଏ ଗୋଟିଏ ଚାଲିଲା । ରାଣୀ ପଛେ ପଛେ ଦଶ ବାରଟା ଅଣ୍ଡିରା କୁକୁର ବି
ଚାଲିଥାନ୍ତି ।

ରାମ ଜୱାୟା ଘର ସାମ୍ନାରେ ପହଁଚି ରାଣୀ ଚାହିଁଲା ପଛକୁ, ତା’ରି ଉଷୁମ ପରଶ ଟିକେ ପାଇବା ପାଇଁ ପଛେ ପଛେ ଆସିଥିବା ତା’ ପ୍ରେମ ଭିକାରୀମାନଙ୍କୁ । ପରସ୍ପର ଭିତରେ ସେମାନେ କାମୁଡ଼ା ରାମ୍ପୁଡ଼ା ଓ କଳିଗୋଳ ଆରମ୍ଭ କରିଦେଇଥିଲେ । ରାଣୀ ସେମାନଙ୍କ ଆଡ଼େ ଚାହିଁ ରହିଥାଏ ଉଦ୍ଦେଶ୍ୟହୀନ ଭାବେ । ଦେଖୁଥାଏ କିଏ ଜିତୁଚି ଏଇ ଲଢ଼େଇରେ । କେଇ ମିନିଟ ଭିତରେ ଗୋଟାଏ ହୁଷ୍ଟପୁଷ୍ଟ କାଳିଆ ହିଁ ବିଜୟୀ ହେଲା । ରାଣୀ ଏଇଟିକୁ ଗଲା କେଇବର୍ଷ ତଳେ ଜନ୍ମ ଦେଇଥିଲା । ଅନ୍ୟମାନେ ପରାଜୟର ଗ୍ଳାନିରେ ପଳେଇଲେଣି ଗୋଟି ଗୋଟି ହୋଇ । ଗଲା କେଇଦିନ ହେଲା ରମଜାନ ମିଆଁର ଘର ଭିତରେ ଖଟତଳେ ବନ୍ଧା ହୋଇ ଶୋଇ ଶୋଇ ମୋତି ଅଣନିଃଶ୍ୱାସୀ ହୋଇ ସାରିଲାଣି । ବାହାରର ବସନ୍ତର ହାୱା ତା’ ଦେହ ଆଉ ମନରେ କେଇଦିନ ହେଲା ଯେମିତି କିଛି ଗୋଟାଏ ଅଜଣା ଉଚ୍ଚାଟ ଆଣିଛି । ରାସ୍ତା ଉପରେ କୁକୁରମାନଙ୍କ ଭୁକିବା ସ୍ୱର ସେ ଶୁଣିପାରୁଚି । ରାଣୀ ଦେହର ବାସ୍ନା ଯେପରି ତା’ ଚାରିପଟ ବାୟୁମଣ୍ଡଳରେ ସେ ଅନୁଭବ କରିପାରୁଚି । କିନ୍ତୁ ଯେତେ ଯାହା ହେଲେ ବି ରମଜାନ ମୋତିକୁ ବାହାରକୁ ଛାଡ଼ିବାକୁ
ନାରାଜ । ବେକରେ ବନ୍ଧା ହୋଇଥିବା ଦଉଡ଼ାଟିକୁ ସେ ଟାଣିଲା,  ଏପଟ ସେପଟ ହୋଇ ବୁଲି ବଡ଼ ପାଟିରେ ଚିତ୍କାର କଲା । ହେଲେ ରମଜାନ ତାକୁ ଗୋଟାଏ ଶକ୍ତ ଚାପୁଡ଼ା କଷିଦେଲା ।

କିଛି ସମୟ ପରେ ସେ ପୁଣି ଥରେ ଉଚ୍ଚସ୍ୱରରେ ଭୁକିବାକୁ ଆରମ୍ଭ କଲା । ସମ୍ଭବତଃ ଏଇଟା ଥିଲା ତା’ର ବିଦ୍ରୋହ ଘୋଷଣାର ଏକମାତ୍ର ଉପାୟ । ଗଲା କେଇଦିନ ଧରି ରମଜାନ ଆଖିରେ ପଲକ ସୁଦ୍ଧା ପକାଇ ନଥିଲା । ଏଇ କେଇ ମିନିଟ ହେବ ନିଦରେ ତା’ ଆଖିପତା
ନଇଁ ଆସିଚି । ସେ ଘୁଙ୍ଗୁଡ଼ି ମାରୁଛି । ମୋତି ଆହୁରି ଜୋର୍‌ରେ ଚିତ୍କାର କଲା । ଯେପରି ତା’ର ପ୍ରେମିକା ରାଣୀକୁ ସେ ଏଇ ସ୍ୱରରେ ସଙ୍କେତ ଦେଉଥିଲା ଯେ ସେ ଘର ଭିତରେ ଏବେ ବନ୍ଦୀ । ଭିଡ଼ି ଟାଣି ଓଟାରି ହୋଇ ସେ ବାରମ୍ବାର ଚିତ୍କାର କରି ଚାଲିଥାଏ । ହଠାତ୍ ରମଜାନର ନିଦ ଭାଙ୍ଗିଗଲା । ଖଟ ଉପରୁ ଉଠିଆସି ସେ ମୋତିକୁ ବାଡ଼େଇବାକୁ ଧାଇଁଗଲା । ମୋତି ଏକଥା ଜାଣିପାରି ସାଙ୍ଗେସାଙ୍ଗେ
କବାଟ ଆଡ଼କୁ ଉହୁଙ୍କିଗଲା ଓ ଦଉଡ଼ିଆ ଖଟଟା ତା’ସାଙ୍ଗରେ କେଇ ହାତ ଟାଣି ହୋଇଗଲା । ମୁଣ୍ଡରେ କବାଟଟିକୁ ସାମାନ୍ୟ ଖୋଲି ସେ ନିଜକୁ ବାହାର କରିନେଲା ଏଇ ବନ୍ଦୀଶଳାରୁ ।

ହେଲେ ଖଟଟା ଲାଖିଗଲା କବାଟରେ । ସେଥି ସହିତ ମୋତି ବେକରେ ବନ୍ଧା ହୋଇଥିବା ଦଉଡ଼ା ଖଣ୍ଡକ ଭିଡ଼ି ହୋଇଗଲା । ସେ ତା’ର ସବୁତକ ଜୋର୍ ଖଟାଇ ଗୋଟାଏ ଓଟରା ଦେଲା ଦଉଡ଼ିଟିକୁ । ସମ୍ଭବତଃ ମୁକ୍ତି ପାଇଁ ଇଏ ଥିଲା ତା’ର ଶେଷ ପ୍ରୟାସ । ପାପରା ଦଉଡ଼ାଟା ହଠାତ୍ ଛିଣ୍ଡିଗଲା । ଗୋଟାଏ କୁଦାରେ ମୋତି ଯାଇ ରାସ୍ତା ଉପରେ ହାଜର । କିଛି ଉପାୟ ନପାଇ ରମଜାନ୍ ଘର ଭିତରୁ ଛୁରିଟିଏ ଆଣି ସାର୍ଟତଳେ ପୁରାଇ ଏକମୁହାଁ ଦୌଡ଼ିଚାଲିଲା ମୋତି ପଛେ ପଛେ । ରାମ ଜୱାୟା ଘର ଆଗରେ ରାଣୀ ଓ ସେଇ ବୁଲା କୁକୁରଟା ମନଭରି ଉପଭୋଗ କରୁଥିଲେ ବସନ୍ତର ସେଇ ନିର୍ଜନ ପରିବେଶକୁ । ବୈଧ ଅବୈଧ ସବୁ ତାଙ୍କ ପାଇଁ ଏକାକାର ହୋଇଯାଇଥିଲା । ଏଇ ଦୃଶ୍ୟ ମୋତି ଆଖିରେ ପଡ଼ିବା ମାତ୍ରେ ତା’ ମୁଣ୍ଡକୁ ହଠାତ୍ ଯେମିତି ପିତ୍ତ ଚହଟିଗଲା । ସେ କୁଦିପଡ଼ିଲା ରାଣୀର ସେଇ ଅବୈଧ ପ୍ରେମିକ ଉପରକୁ । ରାଣୀ ଯେ ସମ୍ପୂର୍ଣ୍ଣ ତା’ର ।

ରାମ ଜୱାୟା ବି ଗଲା କେଇରାତି ହେବ ଆଖିରେ ପଲକ ପକେଇନଥିଲା । ବାହାରେ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ହୋହଲ୍ଲା ସାଙ୍ଗକୁ ସେ ବି ଚିତ୍କାର କରି ଚାଲିଥିଲା । କିନ୍ତୁ ଅଳ୍ପ ସମୟ ଧରି ନିଦ୍ରାହୀନତା ତା’ ଦେହକୁ ଗୋଟାପଣେ ଅବଶ କରି ପକାଇଥିଲା ।
ତା’ ଦେହରୁ ସେଇ ହିଂସ୍ର ଚେହେରାଟି ମଉଳି ଯାଇଥିଲା । ଶୋଇବା ପୂର୍ବରୁ କିନ୍ତୁ ସେ ତା’ ଖଟ ତଳେ କେଇଖଣ୍ଡ ଢ଼େଲା ପଥର, କେଇଟା ଏସିଡ଼ ଭରା ସୋଡା ବୋତଲ ରଖିବାକୁ ଭୁଲି ନଥିଲା । ବାହାରେ ପାଟିତୁଣ୍ଡ ଶୁଭିବାକ୍ଷଣି ତା’ନିଦ ହଠାତ୍‌ ଭାଙ୍ଗିଗଲା ।

ଖଟତଳୁ ଗୋଟିଏ ଢ଼େଲା ହାତରେ ଧରି ରାମ ଜୱାୟା ଧୀରେ ତା’କବାଟର କିଳିଣି ଫିଟାଇଲା । ବଡ଼ ପାଟିରେ ଗୋଟିଏ ଚିତ୍କାର ଛାଡ଼ି ସେ ଆଖି ପିଛୁଡ଼ାକେ ଢେଲାଟା ଛାଡ଼ିଦେଲା କୁକୁରଗୁଡ଼ାଙ୍କ ଉପରକୁ । ଏତିକିବେଳେ ହଠାତ୍‌ ରାସ୍ତାର କଣମୁଣ୍ଡରୁ ଜଣେ ଅଜଣା ଲୋକ ବାହାରି ଆସିଲା । ଢେଲାଟା ସିଧା ଯାଇ ବାଜିଲା ଲୋକଟିର ତଳିପେଟରେ । ଢେଲାଟା ରମଜାନ ଉପରେ ବାଜିଲେ ସୁଦ୍ଧା ତାକୁ ବିଶେଷ ଆଘାତ ପହଞ୍ଚାଇନଥିଲା । କିନ୍ତୁ ଏତେ ଜଲଦି ଜଣେ କିଏ ତା’ଉପରକୁ ଢେଲାଟିଏ ଫିଙ୍ଗିପାରିବ ସେକଥା ଭାବି ତାକୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା । ‘ମାରି ପକେଇଲା’ ବୋଲି ସିଏ ଗର୍ଜନଟାଏ ଛାଡ଼ିଲା ଓ ପର ମୁହୂର୍ତ୍ତରେ ନିଜ କମିଜ ତଳୁ ଧାରୁଆ ଛୁରୀଟାକୁ ବାହାର କରି ହାତରେ ଧରିଲା । ରମଜାନ୍ ମିଆଁ ଓ ରାମ ଜୱାୟା ଦୁହେଁ ଦୁହିଁଙ୍କୁ ସେମିତି ଚାହିଁ ରହିଲେ । ପୁଣି କେଇଟା ମୁହୂର୍ତ୍ତ ପରେ ଲେଉଟି ଗଲେ ଆପଣା ଆପଣା ଘରକୁ ଗାଳିବର୍ଷଣ କରି କରି ।

ବାସ୍‌, ଏତିକି ହିଁ ଯଥେଷ୍ଟ ଥିଲା ବାରୁଦ ଗଦାରେ ନିଆଁ ଝୁଲ ପକାଇବା ପାଇଁ । ଆତଙ୍କିତ ସହରଟା ହଠାତ୍ କୋଳାହଳମୟ ହୋଇ ଉଠିଲା ମାତ୍ର କେଇ ମିନିଟ ଭିତରେ । ଅଧିକରୁ ଅଧିକ ଚିତ୍କାର, ହୋହଲ୍ଲା । ଶିଖ୍‍ମାନଙ୍କ ଗୁରୁଦ୍ୱାରାରୁ ଶୁଭିଲା ଡ୍ରମ୍‌ ମାଡ଼ । ସତେ ଯେମିତି ରଣ ଦୁନ୍ଦୁଭି! ଲୋକମାନେ ଘରୁ ବାହାରି ଆସି ପରସ୍ପର ଭିତରେ ପଚରା ପଚରି ଆରମ୍ଭ କରିଦେଲେ । ହିନ୍ଦୁ ବା ମୁସଲମାନ , କାହା ଉପରେ ପ୍ରଥମେ ଆକ୍ରମଣ ହୋଇଛି ? କିଏ ଆକ୍ରମଣ କରିଛି ଇତ୍ୟାଦି ଇତ୍ୟାତି । କିଏ ଜଣେ କହିଲା, ‘କାହାକୁ ଜଣକୁ ଅପହରଣ କରିନେଇ ହାଣି ଦେଇଚନ୍ତି । ଗୁଣ୍ଡାଦଳେ କେଉଁଠି କାଳେ ଗଣ୍ଡଗୋଳ ଭିଆଇବାକୁ ଯାଉଥିଲେ । କୁକୁରମାନେ ସେମାନଙ୍କୁ ଦେଖି ଭୁକିଉଠିଲେ । ’ ଆଉ ଦଳେ କହିଲେ,  ‘ପ୍ରକୃତପକ୍ଷେ ସେମାନେ ଜଣେ ସ୍ତ୍ରୀଲୋକ ପ୍ରତି ଖରାପ ବ୍ୟବହାର କରିଛନ୍ତି । ତା’ ଛୁଆଟକୁ ମାରି ପକାଇଛନ୍ତି । ସେତିକିବେଳେ ହୁଏତ ଟଣାଓଟରା, ବାଦ ପ୍ରତିବାଦ ହୋଇଥାଇପାରେ!’ ହଁ, ସମ୍ଭବତଃ ଘଟଣାଟି ସେଇଆ । ପାଞ୍ଚଜଣଙ୍କ ଏଇ କଥାରେ ଆଉ ଦଶଜଣ ସ୍ୱର ମିଳାଇଲେ । ତା’ପରେ ଆଉ ଦଶଜଣ । କଥାଟା କାନକୁ କାନ ଏତେ ଦୂର ବ୍ୟାପିଗଲା ଯେ ମାତ୍ର କେଇ ମିନିଟ ଭିତରେ କେଇଶହ ଲୋକ ହାତରେ ଠେଙ୍ଗା, ବାଡ଼ି,ଖଣ୍ଡା, ଛୁରୀ, ବର୍ଚ୍ଛା କିରୋସିନ ଟିଣ ହାତରେ ଧରି ଚାଲିଲେ ରାମ ଜୱାୟା ଘର ଆଡ଼େ ।

ବାଟରେ ସେମାନଙ୍କୁ କେଇଟା ଢେଲା, ଏସିଡ଼ ଓ ସୋଡ଼ା ବୋତଲ ଫିଙ୍ଗାର ସାମ୍ନା କରିବାକୁ ପଡ଼ିଲା । ସେମାନେ ବି ଆଖିବୁଜା ଏଇ ଆକ୍ରମଣର ଜବାବ ଦେଲେ । ତା’ ପରେ ଚାଲିଲା ଟିଣ ଟିଣ କିରୋସିନ ଢଳା ଓ ଅଗ୍ନିସଂଯୋଗ । ରାମ ଜୱାୟା ଘର ଜଳିଲା ହୁତ୍‌ହୁତ୍ ହୋଇ । ଆଉ ଅଳ୍ପ ସମୟ ଭିତରେ ନିଆଁଟା ଚରିଗଲା ପାଖଆଖ ସାଇପଡ଼ିଶାଙ୍କ ଘର ଚାଳକୁ । କେହି ଚିନ୍ତା କରିନାହାନ୍ତି କାହା ଘରେ
ନିଆଁ ଲାଗୁଛି ସିଏ ହିନ୍ଦୁ ନା ମୁସଲମାନ କିମ୍ବା ଶିଖ୍ । କି ହିନ୍ଦୁ କି ମୁସଲମାନ ଅବା ଶିଖ୍‌, ଚାହୁଁ ଚାହୁଁ ସେ ଇଲାକାଟାରେ ସମସ୍ତେ ବାସଶୂନ୍ୟ ହୋଇ ଦାଣ୍ଡରେ ଠିଆହେଲେ ମାତ୍ର କେଇଟା ଘଣ୍ଟା ଭିତରେ ନିଜ ପିଲାଛୁଆଙ୍କୁ ଧରି । ସାଙ୍ଗେ ସାଙ୍ଗେ ସଶସ୍ତ୍ର ପୁଲିସ ଆସି ଆରମ୍ଭ କରିଦେଲେ ଫାୟାରିଂ । ପୁଲିସ ଗାଡ଼ି କେଇଟା ଓ ଦମକଳ ଗାଡ଼ି ଆସି ସତର୍କ ହୋଇ ଠିଆହେଲା ଛକ ଉପରେ । ସେମାନେ ଶୂନ୍ୟକୁ ପାଣି ପିଚକାରୀ ମାରି ଚାଲିଲେ । ହେଲେ ସେତେବେଳକୁ ସହରର ଅନ୍ୟ ଅଗ୍ନିଶମ ବାହିନୀ କେଉଁଆଡ଼େ ଯିବେ ବା ନିଆଁ ଲିଭାଇବେ କିଛି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିଲେ । ଏତେ ଦମକଳ ଅବା ଆସିବ କୁଆଡ଼ୁ?

ସେଦିନ ରାତିତମାମ ଓ ପରଦିନ ଯାକ ନିଆଁ ସେମିତି ଜଳିଚାଲିଲା । ଘର ପରେ ଘର ପାଉଁଶ ହେଲା, ଲୋକମାନେ ଛେଳିମେଣ୍ଢାଙ୍କ ଭଳି ହଲାଲ ହୋଇ ଚାଲିଲେ । ରାମ ଜୱାୟାର ଘର ପୋଡ଼ି ସାରିଥିଲା ଅନେକ ବେଳୁ । ସ୍ତ୍ରୀପିଲାଙ୍କ ସହ ସିଏ ବହୁ କଷ୍ଟରେ ପ୍ରାଣ ବଞ୍ଚାଇ କେଉଁ ଗୋଟାଏ ଅଜ୍ଞାତ ସ୍ଥାନରେ ମୁଣ୍ଡ ଗୁଞ୍ଜିଥିଲା । ସେଇ ପାଉଁଶଗଦା ଭିତରୁ କୁହୁଳା ଧୂଆଁ ଉଠିଥିଲା କେଇଦିନ ପର୍ଯ୍ୟନ୍ତ । କେଇଟା ଦିନ ଆଗରୁ କର୍ମଚଞ୍ଚଳ ଦିଶୁଥିବା ସହରଟା ଏବେ ଦିଶୁଥିଲା କେଇ କୁଢ଼ ପାଉଁଶ ଗଦା ପରିି ।

ଏଇ ଘଟଣାର କେଇ ମାସ ପରେ ସହରରେ ପୁଣି ଯେତେବେଳେ ସ୍ୱାଭାବିକ ଅବସ୍ଥା ଫେରିଲା, ଦିନେ ରାମ ଜୱାୟା ଆସିଲା ତା’ର ଉଜୁଡ଼ା ଘରଟିକୁ ପରଖିବାକୁ । ଗଦାଏ ପାଉଁଶ ଭିତରୁ ଇଟା କାନ୍ଥଗୁଡ଼ାକ ମୁଣ୍ଡ ଟେକିଥାନ୍ତି । ଖୋଲା ବାରଣ୍ଡାରେ ସେଇ ପାଉଁଶଗଦା ଭିତରେ କିଛି ସ୍ଥାନ ବେଶ୍ ସଫା ଦିଶୁଥିଲା । ରାଣୀ ସେଇଠି ଶୋଇଥିଲା ଆରାମରେ । ତା’ ଶୁଖିଲା ଥନକୁ ଝୁଣି ଚାଲିଥିଲେ କେଇଟା
ସଦ୍ୟଜାତ ସନ୍ତାନ । ଆଉ ପାଖରେ ଠିଆହୋଇ ମୋତି ଜଗି ରହିଥିଲା ତା’ର ସେଇ ଅବୈଧ ସନ୍ତାନଗୁଡ଼ାଙ୍କୁ ।

ରୂପାନ୍ତରଣ: ସୁଭାଷ ଶତପଥୀ 

Leave A Reply

Your email address will not be published.