Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୧

ଡକ୍ଟର ମିସେସ୍ ସୁଲକ୍ଷଣା ବସା ଆରମ୍ଭ କଲେ କଥା। ସବୁଦିନ ଆମ ଓଡିଶା ଟିଭି ଚ୍ୟାନେଲରେ ସକାଳ ସାତଟାରେ  ପ୍ରସାରିତ ହୁଏ ତାଙ୍କ ଦାର୍ଶନିକ ବାର୍ତ୍ତା। ଅସଂଖ୍ୟ ଦର୍ଶକ ଉପଭୋଗ କରନ୍ତି ତା’କୁ। ମିଠାସ୍ବର, ଅପୂର୍ବ ବର୍ଣ୍ଣନା ଚାତୁରୀ, ସରଳ ଶବ୍ଦ ସଂଯୋଜନା ପାଇଁ ବେଶ ହୃଦୟଗ୍ରାହୀ ହୁଏ  ତାଙ୍କ କଥା। ଜଣେ ଡାକ୍ତର ପୁଣି କହିବେ ମନର କଥା, ଲୋକେ ମନ ଦେଇ ଦେଖିବେ ଓ ଶୁଣିବେ ନିଶ୍ଚୟ।

ଆରମ୍ଭ ହେଲା କଥା, ସାମାନ୍ୟ ଟିକିଏ ଉପକ୍ରମଣିକା ସହ । ଦେହ ଖୋଳପା ଟିଏ। ମନ ଚଲାଏ ତା’କୁ। ଅନେକ ଯନ୍ତ୍ରର ସମାହାର ଏ ଦେହ।ମନ ଚାଳକ ଆସନରେ ବସି ଗାଡିକୁ ନିଜ ଇଚ୍ଛାରେ ନେଇଯାଏ  ସମୁଦ୍ରେ ଅନ୍ଧାର ଆଡକୁ, କେବେ ଆଲୋକର ବନ୍ୟାକୁ। ସେ ପୁଣି,  ଅନ୍ତରୀକ୍ଷରେ କେବେ ଉଡେ ତ ଅତଳ କୂଅରେ କେବେ ବୁଡେ ।  ଆଧ୍ୟାତ୍ମିକ ଦିଗରୁ ଦେଖିଲେ ମନ, ଅମନ, ବିମନ, କୁମନ, ସୁମନ  ଏମିତି ଅନେକ ଭାଗରେ ….ପୁଣି  ବୈଜ୍ଞାନିକ ଦିଗରୁ ମନକୁ  ସଚେତନ,ଅଚେତନ ଓ ଅବଚେତନ  ଭାବରେ ତିନିଭାଗରେ ବିଭକ୍ତ କରାଯାଇଛି। ବ୍ୟକ୍ତିତ୍ବ ଗଠନରେ ଏସବୁ  ଆମର ସହାୟକ। ଆମର ଅଧିକାଂଶ କ୍ରିୟାକଳାପ ଅଚେତନ ମନର ପ୍ରତ୍ୟକ୍ଷ ଫଳ।

ମନକୁ ସଂଯତ କରେ ବିବେକ। ଭୁଲ ଠିକ ସହ ପରିଚିତ ହୋଇଥିବା ମନ ଧ୍ୟାନ, ପ୍ରାର୍ଥନାର ମୂଲ୍ୟ ବୁଝିପାରେ।ଯୋଗ, ପ୍ରାଣାୟାମରୁ ଜୀବନୀଶକ୍ତି ଆହରଣ କରେ। ଶୈଶବରୁ ଲାଳନ ପାଳନ ସହ ବିଶେଷଭାବରେ ମନର ଯତ୍ନ ନେଇଥିବା ପରିବାରର ପିଲା ଆକର୍ଷଣୀୟ ବ୍ୟକ୍ତିତ୍ବର ଅଧିକାରୀ ହୋଇପାରିଥାନ୍ତି। ଗପ ଛଳରେ ନୈତିକ ଶିକ୍ଷା ସେଇଥିପାଇଁ  ଆମ ପୁରାଣ ସାହିତ୍ୟରେ ରହିଛି ବେଦ, ଉପନିଷଦ,  ଗୀତା, ଭାଗବତ,  ବାଇବେଲ, କୋରାନ ,ତ୍ରିପିଟକ ସବୁଠି ମାନବିକତାର ଜୟଗାନରେ ଶତମୁଖ ଗ୍ରନ୍ଥକାର। ସବୁଠି ସେଇ ସ୍ନେହ ସୌହାର୍ଦ୍ଦପୂର୍ଣ୍ଣ  ସହାବସ୍ଥାନ କଥା, ମନ ଓ ବିବେକର ସଂଘର୍ଷ ବାର୍ତ୍ତା। ଅନାବିଳ ପ୍ରେମର ପରିପୂର୍ଣ୍ଣ ପ୍ରକାଶ।

ଛୋଟିଆ କମର୍ସିଆଲ ବିରତି  ପରେ ଆରମ୍ଭ ହେଲା ନୂତନ ପ୍ରସ୍ଥ। ପ୍ରଥମରୁ ସଠିକ ଯତ୍ନ ନେଲେ ଅଚଳ ଦେହ ସଚଳହେବ।   ଅକାମୀ  ମନ ଷ୍ଟିଅରିଂ ଧରିବ।  ପୁଣି  ସ୍ବଚ୍ଛନ୍ଦ ହେବ ଅସ୍ବାଭାବିକ ମନ  । ନହେଲେ ଭାବନାଶକ୍ତି ରହିତ ହୋଇ ମଣିଷ ସନ୍ତୁଳନ ହରାଇ ବସିବ।ଜୀବନରେ କେତେ କେତେ ଧକ୍କା, କେତେ କେତେ  ଆଘାତ ଆସେ। ଅସହ୍ୟ ହୁଏ ସେସବୁ। ପଙ୍ଗୁ ହୋଇଯାଏ ମନ, ଦେହ। ତୁଚ୍ଛ ଲାଗେ ପ୍ରିୟ ମଣିଷ, ପ୍ରିୟ ଜିନିଷ। ସେହି ସମୟକୁ ବୁଝି ନିୟମିତ ଉପଚାର କଲେ ସୁଫଳ ବହୁତ ଶୀଘ୍ର  ମିଳିଥାଏ। ରୋଗୀ ତ ବୁଝିପାରେନି ଏ କଥା । ସମ୍ପର୍କୀୟମାନେ ବୁଝି ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଆଣିଲା ବେଳକୁ ଅନେକ ଡେରି ହୋଇଯାଇଥାଏ। ଯତପରୋନାସ୍ତି ଚେଷ୍ଟା ଚାଲେ। ରୋଗୀକୁ  ପରାମର୍ଶ ଅନୁସାରେ ଚିକିତ୍ସା  ଚଳାଇଲେ ଧିରେ ଧିରେ ସୁସ୍ଥ ହୁଏ ସେ। ମାତ୍ର, କ୍ରୋଧ, ନାସ୍ତିସୂଚକ କଥା, ବିଦ୍ରୁପ ସେମାନଙ୍କୁ  ଉପଶମ ନକରି  ବେଶି ମାତ୍ରାରେ ତଳକୁ ଟାଣିନିଏ। ସେମାନେ ଜିଦ୍ଦିଆ ହୁଅନ୍ତି।  କେହି କେହି  ବୀତସ୍ପୃହ ହୋଇ ନାନାଦି କୁକର୍ମ କରିପକାନ୍ତି। ଏଇଠାରେ ଘର ଲୋକମାନଙ୍କର ଦାୟିତ୍ୱ ଅନେକ ବଢିଯାଏ ।  ସେଇଥିପାଇଁ ଯଥେଷ୍ଟ ଧୈର୍ଯ୍ୟ ଦରକାର। ଅକୃତ୍ରିମ ସ୍ନେହ ଦରକାର। ଦରକାର  ଅସରନ୍ତି ଯତ୍ନ। ମିଠା କଥା , ଖୁସି ଲାଗୁଥିବା ପରିବେଶ ସୃଷ୍ଟି କରିବା ପାଇଁ ପଡେ। ସଠିକ ନିର୍ଣ୍ଣୟ ନେଇ ଡାକ୍ତର ଓ ସାହଯ୍ୟକାରୀ ରୋଗୀ ସହିତ ସମନ୍ବୟ ରକ୍ଷା କଲେ ବହୁତ ଭଲ ଫଳାଫଳ ମିଳିଥାଏ। ପାହାଚ ପରେ ପାହାଚ ଧିରେ ଧିରେ ଅତିକ୍ରମ କରିବାକୁହୁଏ।

ରୋଗୀର ମନକୁ ନେଇ ନିଦାନ ନିରୂପଣ କରିବାକୁ ପଡିଥାଏ।  ତା’ ବୀତସ୍ପୃହ ଓ ଅମନଯୋଗୀ ହେବାର କାରଣ ଜାଣିବାକୁ ପଡିଥାଏ। ଆଉ ,ଏଇ କାହିଁକିର ଉତ୍ତର ପାଇଗଲେ ସରଳ ହୁଏ ଚିକିତ୍ସା। ସାବଲୀଳ ହୁଏ ଜୀବନଯାତ୍ରା। ସେଇଥି ପାଇଁ ଦରକାର ଅସୀମ ଧୈର୍ଯ୍ୟ ସହିତ ସହଯୋଗ , ଏକାଗ୍ରତା ସହିତ   ସହମତି…। ସବୁ ଠିକ୍ ହବ ବୋଲି ଆଶା ଓ ବିଶ୍ବାସ ରଖି ଡାକ୍ତର ଓ ସହଯୋଗୀ ଆଗେଇ ଚାଲନ୍ତି। ଦୃଢ ଭରସା ରଖି  ଅଥଳ ଜଳରେ ଡଙ୍ଗା ବାହିବାକୁ ପଡେ। କେବେ, କେମିତି, କେଉଁଠି, କେତେ ବେଳେ ଲାଗିବ କୂଳରେ ନାଆ , ନା’ ଜାଣିଥାଏ ନାଉରୀଆ ନା’ ଜାଣିଥାଏ ଯାତ୍ରୀ। ଇଏ ତ ଆଉ ଜ୍ବର ହୋଇନି ଯେ ପାରାସିଟାମଲ୍ ଦିଅ, ଥର୍ମୋମିଟରରେ ମାପ ….ଏକ ଅଦୃଶ୍ୟ ଜଗତର ଅଦ୍ଭୁତ ବ୍ୟାପାର।  ସୁଦୃଢ ଆତ୍ମବିଶ୍ବାସରେ ଆଗେଇବା କଥା। ବାରମ୍ବାର  ‘ହଁ ହବ,ନିଶ୍ଚିତ ହବ’ କହି ଆଗେଇଲେ ଦିନେ ସତରେ ଫଳବତୀ ହୁଏ କାମ। ଟିଭି ଚ୍ୟାନେଲରୁ  ଏଇ କେତୋଟି ମିନିଟ୍ ପାଇଁ ଡକ୍ଟର  ମିସେସ୍ ବସା ଯେଉଁ ସୁନ୍ଦର ଭାବରେ ମନର  ଉପାଦେୟ କଥା ବ୍ୟକ୍ତକରନ୍ତି ତାହା ସମସ୍ତଙ୍କୁ ଛୁଏଁ।

Leave A Reply

Your email address will not be published.