Latest Odisha News

ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇଲା ନକଲି ମାଓବାଦୀ ଗିରଫ ମାମଲା

ଝାରସୁଗୁଡା: ମାଓବାଦୀ ନାଁରେ ଟଙ୍କା ହଡପ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ତଦନ୍ତ କରୁଥିବା ଝାରସୁଗୁଡା ପୋଲିସ ହାତରେ ଧରାପଡିଛି ମୁଖ୍ୟ କାର୍ପଟଦାର୍ ।

ବେଦାନ୍ତ ଆଲୁମିନା ଅଧିନରେ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ସାଇଟ୍ ଇଂଜିନିଅର ଅବୁତାର ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଚଳିତବର୍ଷ ଜୁଲାଇ ୨୯ ତାରିଖରେ ଆସିଥିବା ଚିଠିର ପ୍ରେରକ ଠିକଣା ପଶ୍ଚିମ ଓଡିଶା ମାଓବାଦୀ ସଙ୍ଗଠନ ବୋଲି ଉଲ୍ଲେଖ ରହିଥିଲା । ଚିଠିରେ ମୋଟା ଅଙ୍କର ଟଙ୍କା ଦାବି ସହ କିଛି ଯୁବକଙ୍କୁ କମ୍ପାନୀରେ ଚାକିରୀ ଦେବା ପାଇଁ ଖୁଲମଖୋଲା ଧମକ ମିଳିଥିଲା । ଏପରିକି ଯଥାଶୀଘ୍ର ଦାବି ପୂରଣ ନହେଲେ ଏକ ମୋବାଇଲ ନମ୍ବର (୯୪୩୯୮୬୯୮୨୪) ଅବୁତାର ଖାନଙ୍କୁ କ୍ରମାଗତ ଭାବେ ଆସୁଥିଲା ହତ୍ୟା ଧମକ ।

ମାଓବାଦୀ ନାଁରେ ବାରମ୍ବାର ଧମକପୂର୍ଣ୍ଣ ଫୋନ୍ କଲ ପାଇବା ପରେ ଅବୁତର ଖାନ ଭୟଭୀତ ହୋଇ ନିଜ ଘର କଟକ ଜିଲ୍ଲା ଓଡସିଙ୍ଗକୁ ପଳାଇଥିଲେ । ତେବେ ପରବର୍ତ୍ତୀ ସମୟରେ ସିମେନ୍ସ ଇଣ୍ଡିଆ କମ୍ପାନୀର ମାନବ ସମ୍ବଳ ଅଧିକାରୀ ରଂଜିତ ମହାପାତ୍ରଙ୍କୁ ଧମକପୂର୍ଣ୍ଣ ଚିଠି ଓ ଫୋନ କଲ ଆସିଥିଲା । ରଂଜିତଙ୍କ ପାଖକୁ ଆସିଥିଲା ଚିଠିରେ ମଧ୍ୟ ସମାନ ଦାବି ରହିଥିଲା । ହେଲେ ଏଥର ମାଓ ନେତା ଡିସି ମୁଗୁନର ନାଁ ସମେତ ଓ କିଛି ସ୍ଲୋଗାନ ମଧ୍ୟ ଉଲ୍ଲେଖ ରହିଥିଲା ।

ଏହି ଘଟଣାକୁ ନେଇ ରଂଜିତ ମହାପାତ୍ର ଥାନାରେ ଏତଲା ଦେବା ପରେ ବଡମାଳ ପୋଲିସ ତନାଘନା ଆରମ୍ଭ କରିଥିଲା । ଶେଷରେ ଧରାପଡିଥିଲା ଧମକପୂର୍ଣ୍ଣ ଚିଠି ପଛର ମୁଖ୍ୟ କାର୍ପଟଦାର୍ । ଜାଣି ଚକିତ ହେବେ ଗିରଫ ଅଭିଯୁକ୍ତ ଯୁଦ୍ଧିଷ୍ଟିର ପ୍ରଧାନ ଖୋଦ ସିମେନ୍ସ ଇଣ୍ଡିଆ କମ୍ପାନୀରେ ଫିଟର୍ ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ । ଗିରଫ ଅଭିଯୁକ୍ତଠାରୁ ପୋଲିସ ଗୋଟିଏ ମୋବାଇଲ ଫୋନ, ଦୁଇଟି ସିମ୍ କାର୍ଡ, ଏକ ଡାଇରୀ, ଆଧାରକାର୍ଡ, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ବେଦାନ୍ତ ଗେଟ୍ ପାସ୍ , ହିନ୍ଦୀରେ ଲେଖାହୋଇଥିବା ଏକ ଚିଠି ଜବତ କରିଥିଲା ହୋଇଛି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି ।

Comments are closed.