Latest Odisha News

BREAKING NEWS

ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ନିର୍ବାଚନୀ ପ୍ରଚାର ଆରମ୍ଭ ହେବ ।

ଏଠାରେ ବିଜେପି ଓ କଂଗ୍ରେସ ପୂର୍ବରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇସାରିଛନ୍ତି ।

ଦଳର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି, ମୁଖ୍ୟମନ୍ତ୍ରୀ ନବୀନ ଭୁବନେଶ୍ୱରରୁ ଦିନ ୩ଟା ୫ରେ ଯାଇ ବ୍ରହ୍ମପୁର ସହର ଉପକଣ୍ଠସ୍ଥ କାଇଁସିଠାରେ ଦିନ ୩ଟା ୫୫ରେ ପହଞ୍ଚିବେ । ସେଠାରେ ସେ ଏକ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ସେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ ।

ପରେ କାଇଁଶୀରୁ ଦଳୀୟ ସ୍ୱତନ୍ତ୍ର ପ୍ରଚାର ଗାଡ଼ିରେ ନବୀନ ବ୍ରହ୍ମପୁର ସହର ମଧ୍ୟରେ ଏକ ରୋଡ଼ ଶୋ’ରେ ଯୋଗଦେବେ । ସେଠାରେ ସେ ଦଳୀୟ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ଲାଗି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ରହ୍ମପୁରରେ ନିର୍ବାଚନ ପ୍ରଚାର କାର୍ଯ୍ୟ ସାରି ନବୀନ ଛତ୍ରପୁର ଅଭିମୁଖେ ଯାତ୍ରା କରିବେ । ଛତ୍ରପୁରରେ ନବୀନ ଏକ ରୋଡ଼ ଶୋ’ ମାଧ୍ୟମରେ ବିଜେଡ଼ି ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଲୋକସଭା ଆସନ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ଲାଗି ଗଞ୍ଜାମ ଓ ରମ୍ଭାଠାରେ ନିର୍ବାଚନ ପ୍ରଚାର କରିବେ । ରମ୍ଭାଠାରେ ରାତି ୮ଟା ୪୦ରେ ରୋଡ଼ ଶୋ’ ଦ୍ୱାରା ନିର୍ବାଚନ ପ୍ରଚାର କାର୍ଯ୍ୟ ସାରି ସେ ସଡ଼କ ପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ବାଚନୀ ଗସ୍ତ ପରିପ୍ରେକ୍ଷୀରେ ପୋଲିସ ପକ୍ଷରୁ ନିରାପତ୍ତା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୧ ତାରିଖରେ ୧ମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.