ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୫
ବସ୍ତି ବୋଲି କିଛି ନଥିଲା। ଏଇ ସଞ୍ଜନା ଯାହାକୁ ସଞ୍ଜୁ ଅପା କହୁଚୁ, ସେ ଜରି, ବସ୍ତା, ଟିଣ, ଡାଳ, କାଠ, କାଗଜ, ଜାଲି, ଯାହା ପାଇଲା ସେଥିରେ ଆରମ୍ଭ କରିଥିଲା ଘର।ଆଜି ସେଇଠି ଠିଆ ହୋଇଚି ‘ଗଙ୍ଗା ଯମୁନା’ କଲୋନୀ।
ଅସୁବିଧା ସମୟରେ ନିଜଲୋକ ପାଖରୁ ମଣିଷ ଆଶା କରେ ସହଯୋଗ ଟିକିଏ। ସେମାନେ ପର କରିଦେଲେ ହଠାତ୍ ସହି ହୁଏନା। ଧୈର୍ଯ୍ୟ ଓ ସ୍ଥୈର୍ଯ୍ୟ ସେବେଳରେ ସହାୟତା କରନ୍ତି। ସଞ୍ଜୀବନ ପଟ୍ଟନାୟକ ମାଆର ଫାଳେ ଶାଢୀକୁ ଜାବୋଡି, ଖଣ୍ଡେ ଲୁଗାରେ ଘରୁ ତଡାଖାଇଥିଲା ଏକରକମ। ନା ବାପା,ନା ଭାଇ,ନା ଭଉଣୀ କେହି ଜଣେ ବି ସାଲିସ କରିନଥିଲେ। ଅଜସ୍ର କାହିଁକି ଶତସହସ୍ର କଣ୍ଟା ଭଳି ଫୋଡିଯାଉଥିଲା ଦେହରେ ମନରେ। ରକ୍ତ ବି ଏମିତି ପରକରିଦିଏ ରକ୍ତକୁ! ବହୁତ କାନ୍ଦିଥିଲା, ବହୁତ ଗାଳିଦେଇଥିଲା ପ୍ରଭୁଙ୍କୁ। କାହିଁକି ଏମିତି ଜୀବନଟେ ମୋତେ ଦେଲ , ଯାହା ସବୁବେଳେ ଅନ୍ୟକୁ ଲଜ୍ଜାକର ଓ ନିଜକୁ ଦୁର୍ବିସହ ଲାଗୁଛି କହି ନୀରବରେ ଲୁହ ଢାଳିବା ସହ ଅସ୍ଫୁଟ ସ୍ବରରେ ବିରକ୍ତି ପ୍ରକାଶ କରିଥିଲା ସେଦିନ।
ହୃଦୟରେ ବହଳେ ଆକ୍ରୋଶ ରଖି ପରିବାରକୁ ସିଧାସଳଖ ପଛ କରି ଦେଇଥିଲା।ସାହାରା କିଏ ଥିଲା ମ। ନିଜେ ହିଁ ନିଜର କେବଳ।ସମ୍ବଳହୀନ …ହାତ ଶୂନ୍ୟ,ଛାତିଏ ଉଷ୍ଣ ଦୀର୍ଘଶ୍ବାସ ଓ କୋହ କେବଳ ।
ଲୋକେ ଖାଦ୍ୟ ଡଷ୍ଟବିନରେ ଢାଳିଦେବେ ପଛେ ହାତ ଉଠେଇ ଦେବେନି ଜମା। ଖାଲିପାଣି ପିଇ ବଞ୍ଚିବା କଷ୍ଟକର ଥିଲା। କୋଉଠି ହାତ ପାତିବାକୁ ଭୀଷଣ ସଂକୋଚ ଲାଗୁଥିଲା। ଦିନେ ପାଉଁରୁଟିବାଲା ଗଜିଭାଇ ଖଣ୍ଡେ କାଢି ବଢେଇଦେଲା। ଭୋକରେ ପେଟ ଜଳୁଥିବା ବେଳେ ହିତାହିତଜ୍ଞାନ ରହେନା। ଖାଇଲାପରେ ପଇସା କଥା ଭାବି ଦେହ ଝାଳେଇଗଲା। ଭଲ କି ଭେଲ ଜାଣେନା, ଦେଲା ଯାହା ମାଗିଲାନି ପ୍ରତିବଦଳରେ କିଛି। କହିଲା, ‘ମୋର ଛୋଟିଆ କାମଟେ କରିଦବୁ?’ ଏଥର ‘ହଁ ‘ ହେବାକଥା ଉତ୍ତର। ଖାଇଚ ମାନେ ଶୁଝିବା କଥା। ଦୋସ୍ତି ହେଲା ସେଇଠୁ। କାମଟା ସହଜ ନଥିଲେ ବି କଠିନ ନଥିଲା। ତା’ ସାନଭାଇ ହକର କାମ କରୁଥିଲା । କ’ଣ ଟିକିଏ କଥାରୁ ରାଗିମାଗି ଗାଁକୁ ପଳେଇଲା। ପେପର ବଣ୍ଟା ଓ ପାଉଁରୁଟି ବିକା ଦୁଇଦୁଇଟା କାମକୁ ସମୟ ଠିକରେ ଦେଇ ନ ପାରିବାରୁ ସମସ୍ତେ ଅସନ୍ତୁଷ୍ଟ।
ପେଟ ପୋଷିବ, ଘର ଚଳେଇବ, ସମସ୍ତଙ୍କୁ ଖୁସି ବାଣ୍ଟିବ … ସହଜ କଥାନୁହେଁ। ଦଦରା ସାଇକେଲ ସହ ଅଜଣା ଜାଗାରେ ପେପର ବଣ୍ଟା ବଡ କଷ୍ଟକର ଥିଲେ ବି ଖାଇବାକୁ ମିଳିବାର ପ୍ରତିଶ୍ରୁତି ଅସହାୟ କଲା ପୁଣିଥରେ। କାଗଜରେ ଲେଖି ନେବାକୁ ପଡୁଥିଲା ଠିକଣା , ପ୍ରଥମେ ଦୁଇଚାରିଦିନ ସାଙ୍ଗ ଦେଲା ଭାଇଟି, ତଥାପି ସବୁ ଭୁଲହୋଇ ଯାଉଥିଲା। ଗାଳି ମିଳୁଥିଲା ପ୍ରତିବଦଳରେ । ଭାବୁଥିଲି, ମାସେ ଭିତରେ ସୁଧୁରିଯିବ ସବୁ। ଭାବନା କିନ୍ତୁ ସତ ହେଲାନି। ଲୋକେ ପେପର ଠାରୁ ଦେହସହ ଖେଳିବାକୁ ପସନ୍ଦ କଲେ।
ଟାହି ଟାପରା କଲେ। ଏ ଦେହଟାରେ ଅଛି କ’ଣ ଯେ ଲୋକଙ୍କ ନଜର ଯାଇ ରହେ ସେଇଠି ! ଭୀଷଣ ବିରକ୍ତିକର ଥିଲା ସେସବୂ ଦିନ। ଲୋକଙ୍କୁ ଧରା ନଦେଲେ କେତେ କଟୂକ୍ତି, କେତେ କଟାକ୍ଷ, କେତେ ଅପଶବ୍ଦ… ହଜମହେଉନଥିଲା ଆଉ, ଭାବୁଥିଲି ଏମାନେ ମଣିଷ ନା ସୁଧୁ ମଣିଷ ଦେହଧାରୀ ପଶୁ… ନାଃ ,ନରରାକ୍ଷସ କେବଳ। ଖାଇଯିବେ ଗୋଟାପଣେ, ରକ୍ତାକ୍ତକରି । ଡରବୋଲି କିଛି ନାହିଁ ସେମାନଙ୍କର। ଲାଜଲଜ୍ଜା ଆଦୌ ନାହିଁ । କି ହୀନ ମାନସିକତା!
କ୍ରମଶଃ ….
Comments are closed.