ଭାରତୀ ସରିତା ମହାନ୍ତି
ମନ ପ୍ରଜାପତି ଉଡି ବୁଲୁଥିଲା
ଡେଣା ଦୁଇ ହେଲା ଚ୍ୟୁତ
ରଙ୍ଗହୀନ ଦେହ ତୁଟାଇଲା ମୋହ
ଝୁରେ ବସି ସେ ଅତୀତ।
ଜହ୍ନ ଆଲୁଅରେ କୁଞ୍ଜ ବନେ ନିତି
ଫୁଲର ସୌନ୍ଦର୍ଯ୍ୟ ଦେଖେ
ରଙ୍ଗହୀନ ସେହି ଜୀବନକୁ ନେଇ
କେମିତି ବଞ୍ଚିବ ସୁଖେ?
ଫଗୁଣର ରଙ୍ଗ ପଡିଗଲା ଫିକା
ଚାନ୍ଦରେ ଲାଗେ କଳଙ୍କ
ବିକୃତ ରୂପ ତା’ ପାଏ ଅବସୋସ
ଜୀବନ ଜଟିଳ ଅଙ୍କ।
ଇନ୍ଦ୍ରଧନୁ ରଙ୍ଗ ଦେଖି ଶୋଭାବନ
ରଙ୍ଗ ତା’ ଦେଖିବା ମନା
ଶ୍ରାବଣର ବାରି ମନ କରେ ଚୋରି
ହୁଏ ପୁଣି ଆନମନା।
ସ୍ଵପ୍ନ ଭିଜା ଆଖି ମୋଦି ହୁଏ ଯେବେ
ପ୍ରୀତି ରଙ୍ଗ ଦେହେ ବୋଳେ
ଦୁନିଆକୁ ଡରି ସଂକଳ୍ପ ସେ କରି
ବସେ ଲତାର ଗହଳେ।
ମଉଳା ଗଜରା ବାସ୍ନା ମହକାଇ
ଲୋକ ଲୋଚନକୁ ଆସେ
ସାହସ ସଞ୍ଚରି ସ୍ଵପ୍ନ ସତ କରି
ବଗିଚାରେ ଯାଇ ବସେ।
ବାଲିଆପାଳ
ବାଲେଶ୍ୱର
Comments are closed.