Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୮

ନା ଡାକ୍ତର, ନା କବିରାଜ, ନା ଔଷଧ ନା ପାଣି…ଶୁଖିଲାରେ ବିତୁଥିଲା ଶିଉଳିର ଦିନ।   ସନିଆ ଭାଇ ଦିନେ ମୁଗୁନିକୁ କହିଲା, ‘ଚାଲ ତ ଶିଉଳିକୁ ଦେଖାଇ ଆଣିବା ଏଇ ପାଖରେ ଥିବା  ଡାକ୍ତରଖାନାରୁ।’ ଗାର  ଡେଇକି ସେ ଯେମିତି  ଅନେଇଲା  ଡର ଲାଗିଲା ଦେଖି। ଏଥର କହିଲା, ‘ଡବାରେ ମୋଟେ ଦୁଇଶହ ପଡିଚି। ସେତିକିରେ ହବକି ନାହିଁ କେଜାଣି ?’

ସେ ଜାଣିନଥିଲା ଯେ ଏବେ ପ୍ରସୂତି ପାଇଁ ସରକାରଙ୍କ ହାତ ଲମ୍ବି ଆସୁଚି ବୋଲି। କାନିରେ ଥିବା ଗହଣା ବିକିଦେଲେ ହୁଅନ୍ତା, କିନ୍ତୁ  କେମିତି, କୋଉଠି ହବ ଯେ। ସମସ୍ତେ କହିବେ ଚୋରି ଜିନିଷ, ତା’  ବାଦ ଏ ସହରରେ ନୂଆ ମଣିଷ ମୁଁ ଜାଣିବି କେମିତି କୋଉଠି, କଣ ଅଛି ବୋଲି। ମାଆର ହାତ ବାଜିଥିବା,ବାପାଙ୍କ ଝାଳବୁହା ଜିନିଷ ଏତିକି, ଏମିତି ସହଜରେ ହାତଛଡା କରିହବନି ତ। କବାଟ ସେମାନେ କିଳିଦେଲେ ବୋଲି ହୃଦୟ ମୁଁ  ବନ୍ଦ ରଖିବି ସେମାନଙ୍କ ପାଇଁ ନା,ନା . .. ଅସମ୍ଭବ।

ଭାବନାର ଦରଜା ମୋ’ର ବନ୍ଦ ହେଲା,ମୁଗୁନିର କଥାରେ। ‘ଆମ ମାଆମାନେ କେତେ ଯାଆନ୍ତି କି ଡାକ୍ତରଖାନା, କି ଉଷ ଖାଆନ୍ତି ସେମାନେ, ଆମେ ମଣିଷ ହେଲୁନି କି’…କେତେବଡ ପାଟିରେ କହୁଚି ମ, ତାଜୁବ ହେଲି ତା’ କଥାରେ। ଭାଇଟା ଚୁପ୍ ଏକବାରେ। ମୁହଁ ଖୋଲିଲାନି କି କହି ପାରିଲାନି ଗାଁରେ ଧାଈ ମାଆ ଥାଏ, ପୁରୁଖା ଥାଆନ୍ତି,  ଡାକ୍ତରଖାନା ଥାଏ, ଛୋଟିଆ ହୋଇଥିଲେ ବି। ଆଉ ମୋ’ର ଅଛି କିଏ, ହବ କ’ଣ ଆଗକୁ। ମାଡି ଆସୁଥିଲା ଭୟଙ୍କର ଧୂଳିଝଡ ଯେମିତି। ମନ ଦୋହଲି ଯାଉଥିଲା। କୋହ ଉଠୁଥିଲା, ଆଖି ହୋଇଯାଉଥିଲା ନଈ।  ନୀରବତା ମୋ’ର ଏକମାତ୍ର ଭାଷା ଥିଲା। ମନେ ମନେ କେବଳ ଏତିକି କହୁଥିଲି, ତୁ ହିଁ ତୋତେ ରକ୍ଷାକର ।

ସମୟ ବଦଳେ କେବଳ ବଡ ଲୋକଙ୍କ ପାଇଁ। ପଇସାବାଲାଙ୍କ ପାଇଁ …। ଆମର ସେଦିନ ଯେମିତି ଥିଲା, ଆଜିବି ସେମିତି ରହିଛି। ସେଇ ଅଭାବ, ସେଇ ଅସୁବିଧା, ସେଇ ଦୁର୍ଭାଗ୍ୟ, ସେଇ ପଙ୍କ …. ଲଟପଟ ଥରେ ହେଲେ ପାଦ ତଳକୁ ତଳକୁ। ଋଣରୁ ମୁକ୍ତି କାହିଁ…। ପ୍ରତିଷ୍ଠା ପାଇଁ  ହେଉ କି ଟଙ୍କା ପାଇଁ  ହେଉ, ଅସହାୟ ମଣିଷକୁ କବାଟ ବନ୍ଦ କରିଦେଲେ, ନିଜଲୋକେ। ଥରେ ଭାବିଲେନି, ଯିବ କୁଆଡେ ସେ, ଖାଇବ କ’ଣ, ରହିବ କେଉଁଠି …। ବସି କି କୋଉ ଖାଇଥାଆନ୍ତି ମ। ଦୁଇ ପାଇଟି କରିଥାଆନ୍ତି ନିଶ୍ଚୟ। ବଦଳରେ ମୁଠାଏ ଖାଇଥାଆନ୍ତି ଯାହା। ନିଆଶ୍ରୀ ଲାଗନ୍ତା ନି ତ ଆଉ।

ବାହାହେଲା ପରେ ଝିଅ କେମିତି ପର ହେଇଯାଏ ମ। ତା’ ପୂର୍ବରୁ ଅନେକ  ଆକଟ , ଅନେକ ସ୍ନେହ , ଅନେକ ଶୁଭକାମନା ଥାଏ ଯେ।କେଜାଣି କୁଆଡେ ସବୁ ଉଡିଯାଏ ଗୋତ୍ର ପରିବର୍ତ୍ତନ ସହିତ। ମନ ଅବିକଳ ସେମିତି ଥାଏ। ଦେହ ବଦଳୁଥାଏ ଭୌତିକ ଭାବରେ  …ନା ମ ସେଇ ରକ୍ତ ବହୁଥାଏ ଶିରା ଧମନୀରେ …। ପରିବାର ବଦଳି ଯାଏ। କେମିତି  ପଥର ହୋଇଯାଆନ୍ତି ରକ୍ତର ଲୋକେ…. ସମସ୍ତେ  …ମନତଳେ ଟିକିଏ ଦୟା, କ୍ଷମା ନଥାଏ …। ଯାଚନା କଲେ କୋଉ ମିଳେ..। ନିର୍ଲିପ୍ତ କି ବିତସ୍ପୃହ   ସେମାନେ ଯେମିତି  ସମସ୍ତେ ଏକସଙ୍ଗରେ ….। ଦୋଷ ନିଜର,ସମୟର  ,ନହଲେ  କାହିଁକି ଏମିତି ଘଟୁଥାଆନ୍ତା।

Comments are closed.