ତିନୋଟି କବିତା
ସସ୍ମିତା ରାଉତ
୧. ତୃଷ୍ଣା
ବେପରୁଆ ଆଞ୍ଜୁଳେ ଶବ୍ଦକୁ
ଉଚ୍ଛାଳିଲି ଆକାଶକୁ
କିଛି ତ, ଖାଲି ଖାଲି ବାଦଲ !
ମୋ ଛାତିରେ ଭରି ତୃଷ୍ଣା;
କିଛି ବିନ୍ଦୁ ବିନ୍ଦୁ ସାଜି
ଭିଜାଇଲେ ଆଉ କାହା ମାଟି
ସେତିକି ମୋ କବିତା !
***
୨. ଷଡ଼ଯନ୍ତ୍ର
ଶ୍ରାବଣ ବିତିଗଲା ପରେ
ଅଙ୍ଗାରଟେ ପାଇଲି
ମୋର ହିଁ ଜିଭ ତଳେ,
ନିଜ ହାତରେ
ସିଲେଇ ନିଜ ଓଠ !
ଚୁପ ରହିଲି ଭୟରେ
ଚୁପ ରହିଲି ମଧ୍ୟ ଆନନ୍ଦରେ,
କେବେ ଥରେ ଆସି
ଲିଭେଇ ଯାଅ ନିଆଁ ମୋ ଆଖିରେ
ଏବଂ ଶିକାର ହୁଅ ମୋ ଷଡ଼ଯନ୍ତ୍ର ର
ମୁଁ ପଲକ ବନ୍ଦ କଲା ପରେ ।
***
୩. ରହସ୍ୟ
ତୁମ ଆଖି
ମୋ ପ୍ରିୟ ରୋମାଂଚକ ବହିର
ହଜିଯାଇଥିବା ଶହେ ସତର ତମ ଫର୍ଦ୍ଦ !
ମୁଁ ଜିଭରେ
ଅଙ୍ଗୁଠି ଟିପ ଛୁଆଇଁ
ଓଲଟାଇଛି ତୁମ
ଛାତିର ପ୍ରତିଟି ପୃଷ୍ଠା,
ଏବଂ ପାଲଟି ଯାଇଛି ବିଷ କନ୍ୟା !
ତୁମ ଛାଇ ହାତରେ
ଧାର ଧାର ରକ୍ତବୁଡା ଛୁରୀ !
ମୋ ଓଠରେ ବିଷ !
ମୁହଁରେ ନିରୀହତା ।
ଚିରା ହୋଇଥିବା ତୁମ
ହାତ ଲେଖା ଧାଡିଏ କବିତା ମୁଁ,
ତୁମ ରକ୍ତରେ
ସିରିଂଜ଼ ଦେଇ ଓଲ୍ହାଉଥିବା
ବର୍ଷା କେଇ ଟୋପା ମୁଁ,
ଭିଡ଼ରେ ତୁମକୁ ଚମକାଇ ଦେଉଥିବା
ମୁଁ ମଧ୍ୟ ସେହି ନିର୍ଜନତା !
ମୁଁ ଫେରାର ଆସାମୀ !
ମୁଁ ଠିକଣା ବଦଳାଇ ଦେଲେ
ତୁମ ଛାଇରେ ପଡେ ଖରା
ତୁମେ ହୁଅ ନିର୍ଦୋଷରେ ଖଲାସ !
ଏବେ ସାରା ସହରରେ ଗୋଟିଏ ହିଁ ଚର୍ଚ୍ଚା!
ପ୍ରକୃତରେ କାହାର ହୋଇଛି ହତ୍ୟା ?
……………………
ତାଳଚେର, ଅନୁଗୁଳ
ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)
Comments are closed.