Latest Odisha News

BREAKING NEWS

‘ଚୁଲବୁଲ୍ ପାଣ୍ଡେ’ ଭୂମିକାରେ ବଡ଼ ପରଦାକୁ ଫେରୁଛନ୍ତି କମେଡ଼ି କିଙ୍ଗ୍ ପପୁପମ୍

ଭୁବନେଶ୍ୱର: ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ୍ ଦୀର୍ଘ ଏକବର୍ଷ ପରେ ପୁଣି ବଡ଼ ପରଦାକୁ ଫେରୁଛନ୍ତି । ପପୁ ପମମମଙ୍କୁ ଏଥର କିନ୍ତୁ ବଡ଼ ପରଦାରେ ଜଣେ ନିଷ୍ଠାପର ପୋଲିସ ଅଫିସର ଭାବେ ଦେଖିବାକୁ ମିଳିବ ।

କମେଡ଼ି କିଙ୍ଗ୍ ପପୁ ପମପମଙ୍କ ଅଭିନୀତ ଏହି ଓଡ଼ିଆ ସିନେମା ‘ମୁଁ ଚୁଲବୁଲ୍ ପାଣ୍ଡେ’ ଆସନ୍ତା ରଜରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।

ଏହି ହାସ୍ୟ-ରୋମାଞ୍ଚତଥା ଆକ୍ସନ ଭରା ‘ମୁଁ ଚୁଲବୁଲ୍ ପାଣ୍ଡେ’ ଫିଲ୍ମରେ ପପୁ କିପରି ଏକ ନିଷ୍ଠାପର ପୋଲିସ ଅଫିସରରୁ ସୁପର୍ ହିରୋ ପାଲଟି ଯାଇଛନ୍ତି ଏହା ସୁନ୍ଦର ଭାବେ ଫିଲ୍ମରେ ଅଭିନୀତ ହୋଇଛି ।

ରଜ ବେଳକୁ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିଯିବ ବୋଲି ସିନେମାର ନିର୍ଦ୍ଦେଶକ ସୁଧାକର ବସନ୍ତ ଓ ମ୍ୟୁଜିକ ଡ଼ାଇରେକ୍ଟର ଅଭିଜିତ ମଜୁମଦାର ‘ଓଡ଼ିଶା ସମ୍ବାଦ’ କୁ କହିଛନ୍ତି । ସିନେମାଟିରେ ରହିଛି ପପୁଙ୍କର ମଜାଦାର କମେଡ଼ି ଯାହାକି ଦର୍ଶକ ବେଶ୍ ଉପଭୋଗ କରିପାରିବେ ।

“ଆସନ୍ତା ମେ ମାସରେ ଏହି ଫିଲ୍ମଟିର ସୁଟିଂ ଆରମ୍ଭ ହୋଇଯିବ । ଷ୍ଟାର୍ କାଷ୍ଟ ସମ୍ପୂର୍ଣ୍ଣ ଚୟନ ହେବାକୁ ଆହୁରି ବାକି ରହିଛି । ପ୍ରଦ୍ୟୁମ୍ନ ଲେଙ୍କା ଏହି ସିନେମା ଲାଗି ମଧ୍ୟ ସାଇନ୍ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଦୁଇଟି ହିରୋଇନଙ୍କ ଚରିତ୍ର ରହିବ । ଦୁଇଜଣ ନବାଗତା ଅଭିନେତ୍ରୀ ଏହି ଚରିତ୍ର ଦୁଇଟିରେ ଅଭିନୟ କରିବେ,” ବୋଲି ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ପପୁ ପମପମ୍ ।

ଅବଶ୍ୟ ଏହିବର୍ଷ ହାସ୍ୟାଭିନେତା ପପୁ ‘ଚିରକୁଟ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । କୌଣସି ଫିଲ୍ମର ନିର୍ଦ୍ଦେଶକ ହେବାରେ ଏହା ତାଙ୍କର ପ୍ରଥମ ସିନେମା ନିଶ୍ଚିତ ରୂପେ । ତେବେ ଏହି ଫିଲ୍ମଟିରେ ଦମଦାର୍ ଅଭିନୟ କରି ଏକବର୍ଷ ପରେ ପୁଣି ଓଡ଼ିଆ ଫିଲ୍ମକୁ ଫେରୁଥିବାରୁ ପପୁ ବେଶ୍ ଆନନ୍ଦିତ ବୋଲି ସେ ଓଡ଼ିଶା ସମ୍ବାଦ’କୁ କହିଛନ୍ତି ।

“ମୋର ଦେହ ଅସୁସ୍ଥ ହୋଇପଡ଼ିଥିଲା, ସେହି ସମୟରେ ମୋର ଓଜନ ଅପେକ୍ଷାକୃତ ହ୍ରାସ ପାଇଯାଇଥିଲା, ଏବେ ଧିରେ ଧିରେ ମୋର ଓଜନ ବୃଦ୍ଧି ହେବାରେ ଲାଗିଛି । ପୂର୍ବପରି ମୁଁ ଭଲଭାବେ ଅଭିନୟ କରିପାରିବି,” ବୋଲି କହିଛନ୍ତି ପପୁ ।

ହାସ୍ୟାଭିନେତା ପପୁ ପମପମ୍ ୨୦୧୮ ମେ ୧୫ ତାରିଖରେ ଗୁରୁତର ଭାବେ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ମାତ୍ର ୨ ମାସ ପରେ ତାଙ୍କ ପାକସ୍ଥଳୀରେ ସଂକ୍ରମଣ ହେବା ଯୋଗୁଁ ସେ ଦିଲ୍ଲୀରୁ ଓଡ଼ିଶା ଫେରିଥିଲେ ମଧ୍ୟ ପୁନର୍ବାର ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ସୋସିଆଲ ମିଡ଼ିଆରେ ତାଙ୍କ ଅସୁସ୍ଥତା ନେଇ ଗୁଜବ ପ୍ରଚାର ନକରିବାକୁ ଅନୁରୋଧ କରିଥିଲେ ।

ଏହି ଚିକିତ୍ସା ପଦ୍ଧତି ସମୟରେ ତାଙ୍କର ୩୦ କିଲୋଗ୍ରାମ ଓଜନ ହ୍ରାସ ଘଟିଥିବା ସେ କହିଛନ୍ତି ।

Leave A Reply

Your email address will not be published.