Latest Odisha News

BREAKING NEWS

ଅନ୍ନପୂର୍ଣ୍ଣା ମହାରଣା

ଅନ୍ନପୂର୍ଣ୍ଣା ମହାରଣା

(୧୯୧୭-୨୦୧୨)
କ୍ଷେତ୍ର: ସମାଜସେବା

ଭାରତୀୟ ମୁକ୍ତି ଆନ୍ଦୋଳନ କାଳର ଅନ୍ୟତମ ନିଷ୍ଠାପର ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ଅନ୍ନପୂର୍ଣ୍ଣା ମହାରଣା । ୩ ନଭେମ୍ବର ୧୯୧୭ରେ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମ ହୋଇଥିଲେ ଅନ୍ନପୂର୍ଣ୍ଣା । ଯେହେତୁ ପିତା ମାତା ଉଭୟ ସ୍ୱାଧୀନତା ଆନ୍ଦୋଳନର ଦୁଇ ପ୍ରମୁଖ ସଂଗ୍ରାମୀ ଥିଲେ; ଅନ୍ନପୂର୍ଣ୍ଣାଙ୍କ ଉପରେ ସେ ଦୁହିଁଙ୍କର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଥିଲା । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ନପୂର୍ଣ୍ଣାଙ୍କୁ କୌଣସି ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇନଥିଲେ ତାଙ୍କ ପିତାମାତା । ବରଂ ଆଶ୍ରମରେ ନିଜ ଉଦ୍ୟମରେ ତାଙ୍କୁ ଶିକ୍ଷିତ କରିଥିଲେ । ମାତ୍ର ୧୪ ବର୍ଷ ବୟସରେ ଅନ୍ନପୂର୍ଣ୍ଣା ମହାରଣା ଗାନ୍ଧିଜୀଙ୍କ ସମର୍ଥନରେ ସ୍ୱାଧୀନତା ସଂଗ୍ରାମ ବହ୍ନିରେ ଝାସ ଦେଇଥିଲେ । ବିଦେଶୀ ଲୁଗା ବର୍ଜନ, ମଦଦୋକାନରେ ପିକେଟିଂ ଭଳି ଦୁଃସାହସିକ କାର୍ଯ୍ୟରେ ସେ ନିୟୋଜିତ ହୋଇଥିଲେ । ୧୯୩୪ରେ ଗାନ୍ଧୀଙ୍କ ‘ହରିଜନ ପଦଯାତ୍ରା’ରେ ପୁରୀରୁ ଭଦ୍ରକ ଯାଏଁ ସାମିଲ୍‍ ହୋଇଥିଲେ ଅନ୍ନପୂର୍ଣ୍ଣା । ଭାରତଛାଡ଼ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ ଆଦିରେ ଅଂଶ ଗ୍ରହଣ କରି ସେ ବହୁବାର ଜେଲ୍‍ ଯାଇଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ତାଙ୍କର ସଂଗ୍ରାମ ଶେଷ ହୋଇନଥିଲା । ନାରୀ ଓ ଶିଶୁଙ୍କ ଅଧିକାର, ସମ୍ମାନ ଓ ଉନ୍ନତି ପାଇଁ ସେ ତାଙ୍କ ଲଢେ଼ଇ ଜାରି ରଖିଥିଲେ । ରାୟଗଡ଼ା ଜିଲ୍ଲାରେ ସେ ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଏକ ସ୍କୁଲ୍‍ ଖୋଲିଥିଲେ । ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସେ ସକ୍ରିୟ କର୍ମୀ ଭାବେ ଯୋଗ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ଗ୍ରାମସେବକ ପ୍ରେସର ସମ୍ବାଦପତ୍ରକୁ ନିଷିଦ୍ଧ ଘୋଷଣା କରାଯିବା ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ସେ ରମାଦେବୀଙ୍କ ସହ ଲଢେ଼ଇ କରିଥିଲେ ଓ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ମନମୋହନ ଚୌଧୁରୀ, ଜୟକୃଷ୍ଣ ମହାନ୍ତି ଆଦି ବଡ଼ବଡ଼ ନେତାଙ୍କ ସହ ଗିରଫ ହୋଇ ଜେଲ୍‍ ଯାଇଥିଲେ । ‘ଅମୃତ ଅନୁଭବ’ ଥିଲା ତାଙ୍କର ବହୁଚର୍ଚ୍ଚିତ ଆତ୍ମଜୀବନୀ, ଯେଉଁଥିପାଇଁ ସେ ପାଇଥିଲେ ଶାରଳା ପୁରସ୍କାର । ଉତ୍କଳ ସାହିତ୍ୟ ସମାଜ ତାଙ୍କୁ ଜୀବନବ୍ୟାପି ସାଧନା ପାଇଁ ‘ଉତ୍କଳ ରତ୍ନ’ ଉପାଧିରେ ଭୂଷିତ କରିଥିଲା । ଭାରତଛାଡ଼ ଆନ୍ଦୋଳନର ୬୦ ବର୍ଷ ପୂର୍ତ୍ତି ଅବସରରେ ଭାରତର ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ତର୍ଜାତୀୟ ରୋଟାରୀ ସମ୍ମାନ, ଦିୱାଲୀ ବେନ୍‍ ଚାରିଟେବଲ୍‍ ଟ୍ରଷ୍ଟ ସମ୍ମାନ, ରାଧାନଥ ରଥ ଫାଉଣ୍ଡେସନ୍‍ ପୁରସ୍କାର ଭଳି ଅନେକ ସମ୍ମାନ ତାଙ୍କୁ ଜୀବଦ୍ଧଶାରେ ମିଳିଥିଲା । ୩୧ ଡିସେମ୍ବର ୨୦୧୨ରେ କଟକଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.