ପ୍ରସେନଜିତ୍ ସେଠୀ
ରାମ ବାବୁ ବହୁତ୍ ଶିଶୁ ପ୍ରିୟ। ଶିଶୁଟିଏ ଦେଖିଲେ ତାଙ୍କ ମନରେ ଗୋଟେ ଅହେତୁକ ଆପଣାର ପଣ ଜାଗ୍ରତ ହୁଏ। ଶିଶୁଟି ପୁଅ ହେଉ କି ଝିଅ; ଧନୀ ଘରର ହେଉ କି ଗରିବ ଘରର; କାଳିଆ ଭୁସୁଣ୍ଡା ଟାଏ ହେଉ କି ଧୋବ ଫରଫର; ଅତି ବାଳୁଙ୍ଗା ଟାଏ ହେଉ କି ପୁରା ଶାନ୍ତ ଶିଷ୍ଟ ଅବା ପୁରା ସଫା ସୁତୁରା ହେଉ କି ସମ୍ପୂର୍ଣ୍ଣ କଦର୍ଯ୍ୟ। ସବୁ ପ୍ରକାର ଶିଶୁଙ୍କ ପ୍ରତି ରାମବାବୁଙ୍କ ରହିଛି ଅମାପ ପ୍ରେମ। ରାମ ବାବୁ ତାଙ୍କ ଅଫିସ୍ ର ମୁଖିଆ। ଅଫିସ୍ ର କାର୍ଯ୍ୟବ୍ୟସ୍ତତା ଭିତରେ ଖାଲି ସମୟ ମିଳିଲେ ନିଜ ରୋଷେୟାର ଓ ପାଖ ପଡିଶାର ଛୋଟ ଛୋଟ ପିଲାଙ୍କ ସହିତ ବିତାନ୍ତି। ପାଖରେ ଯାହା ଥାଏ, ସେମାନଙ୍କୁ ଖାଇବାକୁ ଦିଅନ୍ତି। ସେମାନଙ୍କୁ ନିଜ ରୁମ୍ ରେ ବସାଇ ଟିଭିରେ କାର୍ଟୁନ୍ ଦେଖାନ୍ତି। ପିଲାମାନେ ବି ତାଙ୍କୁ ବହୁତ୍ ଭଲ ପାଆନ୍ତି। ତାଙ୍କୁ ଦେଖିଲେ ତାଙ୍କ ଆଡ଼କୁ ଦଉଡ଼ି ଆସନ୍ତି। ଅଙ୍କଲ୍ ଅଙ୍କଲ୍ କହି ତାଙ୍କୁ ଡାକ ପକାନ୍ତି। ରାମ ବାବୁଙ୍କର କି ଆନନ୍ଦ ସେଥିରେ!!
ହେଲେ ଆଜି ରାମ ବାବୁଙ୍କ ମନ ଭାରି ଖରାପ୍। ଆଜି ରବିବାର ମାନେ ଛୁଟି। ନିଜ ଘରଠୁଁ ଅନେକ ଦୂରରେ ସେ ଚାକିରି କରୁଛନ୍ତି। ସେ ବି ଅବିବାହିତ। ତେଣୁ ପାଖରେ କେହି ନାହାନ୍ତି ସମୟ ବିତାଇବା ପାଇଁ। ଜାଗାଟା ବି ଅତି ମଫସଲ ଜାଗା। ନା ପାର୍କ ଅଛି, ନା ସିନେମା ହଲ୍। ନା ଅଛି କୋଉ ଭଲ ରେଷ୍ଟୁରାଣ୍ଟ ଗୋଟେ। ଭଲ କଥା ତ ଛାଡ। ସତ କହିବାକୁ ଗଲେ ଗୋଟେ ବି ରେଷ୍ଟୁରାଣ୍ଟ ନାହିଁ। ଏମିତିଆ ଜାଗାରେ ସମୟ ବିତାଇବା ନିହାତି କଷ୍ଟକର ବ୍ୟାପାର।
ମୋବାଇଲର ଲକ୍ ବଟନ୍ ଟାକୁ ମଝିରେ ମଝିରେ କ୍ଲିକ୍ କରୁଥାନ୍ତି ରାମ ବାବୁ, କାଳେ ଫୋର୍ ଜି ଆସି ଯିବଣି। କି ବେକାର ଅଞ୍ଚଳ ଟା କେଜାଣି!! କିଛି ଗୋଟେ ମାଧ୍ୟମ ନାହିଁ ସମୟ ଅତିକ୍ରାନ୍ତ କରିବାକୁ। ଯାହା ବି ଇଣ୍ଟରନେଟ ଟିକିଏ ବ୍ୟବହାର କରନ୍ତି, ସେତିକ ବି ବନ୍ଦ୍ ହେଇ ଯାଇଛି କାଲି ରାତିରୁ। ଏ ଟେଲିକମ କମ୍ପାନୀ ଗୁଡ଼ାକ ପଇସା ନେଉଛନ୍ତି ସତ, ହେଲେ ନେଟୱର୍କ ଦେବା କଥା କିଏ ବୁଝେ। ଟିଭି ଟାଏ ଅଛି। ଦେଖିଲେ ହୁଅନ୍ତା ଯେ, ହେଲେ ରାମବାବୁଙ୍କୁ ଟିଭି ଦେଖିବା ଏତେ ପସନ୍ଦ ନୁହେଁ। ସକାଳେ, ସଞ୍ଜେ ଯାହା ଟିକେ ନ୍ୟୁଜ୍ ଦେଖନ୍ତି। ଛୋଟ ଛୁଆଙ୍କ ସହିତ ହସ ମଜା କରିବା, ତାଙ୍କର ବେଶୀ ପସନ୍ଦ। ହେଲେ ଆଜି କାହାର ବି ଦେଖା ନାହିଁ। ଛୁଆ ଗୁଡ଼ାକ ଗଲେ କୁଆଡେ। ପାଠଶାଠ ତ ନାହିଁ। ତାହେଲେ କାହିଁ ଆସି ନାହାନ୍ତି!!
ରାମ ବାବୁ ଡାକ ପକେଇଲେ ରୋଷେୟାକୁ। ପଚାରିଲେ ଛୁଆ ଗୁଡ଼ାକ ଗଲେ କୁଆଡେ। ସେ ପ୍ରଥମେ କିଛି ଭାବିଲା, ପୁଣି କହିଲା ଜାଣିନି। ତା ମୁହଁରୁ ସେ ମିଛ କହୁଛି ବୋଲି ସ୍ପଷ୍ଟ ବାରି ହୋଇ ଯାଉଥିଲା। ତଥାପି ରାମ ବାବୁ ତାକୁ କିଛି କହିଲେ ନାହିଁ। ଏକା ଏକା ବସି, ତାଙ୍କୁ ଅତି ବିରକ୍ତ ଲାଗୁଥିଲା। ତେଣୁ ବାହାରିଗଲେ ବଜାର ଆଡେ଼। ବଜାର ପହଞ୍ଚି, ତାଙ୍କ ନଜର ପଡ଼ିଲା, ସରପଞ୍ଚର ଘର ଉପରେ। ମଫସଲ ଅଞ୍ଚଳରେ ତ ସରପଞ୍ଚର ମୁଖ୍ୟମନ୍ତ୍ରୀ ପାହ୍ୟା। ସବୁଥିରେ ସେ ମାମଲତକାର। ପିଲା ଠାରୁ ବୁଢା ଯାଏଁ ସବୁ ତା ଆଦେଶ ମାନିବାକୁ ବାଧ୍ୟ। ଯଦି ନ ମାନିବେ, ତାହେଲେ ଭତ୍ତା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ଭୁଲି ଯିବା ସାର ହେବ। ରାମବାବୁ ଦେଖୁଥାନ୍ତି, ବାନର ସେନା ଲଙ୍କାକୁ ପଥର ବନ୍ଧ ବାନ୍ଧିଲା ପରି, ତାଙ୍କର ଅତି ପରିଚିତ, ଅତି ଆପଣାର କୁନି ହାତ ଗୁଡ଼ାକ, ସରପଞ୍ଚ ଛାତ ଉପରକୁ ଇଟା ବୋହିବାରେ ବ୍ୟସ୍ତ!! ହୃଦୟଟା କଣ ହେଇ ଯାଉଥିଲା ରାମ ବାବୁଙ୍କର। ହେଲେ ପ୍ରତିବାଦ କରିବାର କୌଣସି ଚାରା ନଥିଲା ତାଙ୍କ ପାଖରେ!!
Comments are closed.