Latest Odisha News

ଗଜଲ୍‍: ସବୁ କଥା

ଗଜଲ୍‍: ସବୁ କଥା
ନିଖିଳେଶ ମିଶ୍ର

ତମେ କି ଭାବୁଚ ନିଦ ହେଇଗଲେ ସରିଯିବ ସବୁ କଥା?
ନ କହିଲେ ଆଉ, ନ ଶୁଣିଲେ ଆଉ, ଲିଭିଯିବ ସବୁ କଥା?

ଜାଳିଦେଇପାର ଚିଠି ଯେତେ ମୋର ଭୁଲିଯାଇପାର ମତେ,
ତଥାପି କିଏ ତ କାନ ପାଖେ ତମ କହୁଥିବ ସବୁ କଥା

ଫେରୁଥିବ ଯେବେ ଅଧରାତି ତମେ ନିଜକୁ କବର ଦେଇ
ଡରିବନି ଜମା, ସାଥିରେ ତମର ଫେରୁଥିବ ସବୁ କଥା

ନ ଡାକିଲେ ତମେ ଆସିବିନି ବୋଲି ଭାବୁଥାଅ ଯଦି ତେବେ
ବାହାରକୁ ଦେଖ ଝରକାକୁ ଖୋଲି ବୁଝିଯିବ ସବୁ କଥା

ବେଶୀ କିଛି ନାହିଁ ଅସୁବିଧା ଏଠି ଭଲପାଇବାରେ ହେଲେ
ଭଲ ଜମା ପାଇହବ ନାଇଁ ଯଦି ତଉଲିବ ସବୁ କଥା

କୁନି ଫୁଲଟିଏ ମଉଳିଲେ କେବେ, ଘୋଟିଗଲେ କେବେ ମେଘ,
କେବେ ପୁଣି କୋଉ କବିତା ଧାଡ଼ିରେ ଦିଶିଯିବ ସବୁ କଥା

କଥା ସବୁ କେବେ ପ୍ରଜାପତି ଆଉ କେବେ ଡହଡହ ଖରା
ନିଖିଳେଶ କାଲି ଚାଲିଯିବ ହେଲେ ରହିଥିବ ସବୁ କଥା

Comments are closed.