ସ୍ମୃତି ରଂଜନ ତ୍ରିପାଠୀ
ଗୋଟେ ଶୁନ୍ୟତାକୁ ପୂର୍ଣ୍ଣ ନାମ ଦେବା
ସେ ଶେଯରେ
ଆଉ କୋଉ ଜହ୍ନ ବିଛଣା ପାରୁ
କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା
ଡରି ଯିବୁନି ମିତ
ସକାଳର ଫର୍ଚ୍ଚା କବାଟ ଶବ୍ଦରେ
ବୋଧେ ଅବୋଧ ପ୍ରେମଟେ କିଏ
ଅଳସ ଭାଙ୍ଗୁଥିବ।।
ହଁ, ଗୋଟେ କବିତା ଲେଖିବା
ସବୁ ଖାଲି ସ୍ଥାନରେ
ଠା ଠା କ୍ଳାନ୍ତିର ଝୋଟି ପକେଇବା
ଯୋଉ ବିଶ୍ୱାସକୁ ନେଇ ଏତେ କଥା
ଝର୍କା ସେପଟ ବଗିଚାରେ ସମାଧିଟିଏ କରିବା।।
ପୁଣି ହଜିଯିବା
ସେ ଶ୍ୱେତ କଙ୍କାଳର ପରିଧିରେ,
ଉଠି ଆସି
ପୁଣି ଗୋଲାପ ବାସ୍ନାକୁ ଛୁଇଁଚେ ବୋଲି
ଟିକେ କଣ୍ଟା ମାଳରେ ନିଜକୁ ଖୋଜିବା
ବିନ୍ଦୁ ବିନ୍ଦୁ ନୀରବତା ଆଢୁଆଳରେ
ଏକାକୀ ମଶାଣୀ ସାଉଁଟିବା
ଘନ ଘୋର ଅନ୍ଧାରକୁ ପାଚେରୀ କରି
ଏଥର ତୋ’ ହିସାବରେ ତାରା ତୋଳିବା
ଆକାଶିଆ ସମୁଦ୍ରର ସେପାରିରେ।।
ଦେଖ ଫର୍ଚ୍ଚା ହେଲାଣି
ଫର୍ଦ୍ଦ ଫର୍ଦ୍ଦ ଶବ୍ଦବ୍ରହ୍ମ
ଡିବିରି ଆଲୁଅରେ ନିର୍ମାଲ୍ୟ ହେଲେଣି
ଆ!
ଟିକେ ଆଉଜି ପଡିବା
ଝୁରି ହେଉନଥିବା ପାହାଡ଼ ପାଖରେ
ଘୁରି ଭୁଲୁଥିବା ନିଶାର୍ଦ୍ଧ ତୁଠରେ
ପରିତ୍ୟକ୍ତ କୋଠରୀରେ
ଆଉ କେହି ସଂଜ୍ଞା ବଖାଣିବେନି ଆମର।।
ହଁ,ଆମେ ପୁଣି ସାମାଧିସ୍ଥ ହେଲାବେଳେ
ପ୍ରେମର ମୁଲକ ସାଜି
ପୁଷ୍ପର ଆଞ୍ଜୁଳା ଇତଃସ୍ତତଃ କରୁଥିବ,
ସେଇ ଶୁନ୍ୟତାକୁ
ଏଇଠି ଟିକେ ପୂର୍ଣ୍ଣତାର ରଙ୍ଗ ଦେବା
ମୁଁ ମୋ ଉହାଡରେ ଈଶ୍ୱର ସାଜିବି
ତୁ ଲାଜେଇ ଲାଜେଇ ଦେବୀଟିଏ ହେବୁ।।
ଆ! ଅପେକ୍ଷାର ସମ୍ମୋହନରେ
ବତୀଟିଏ ଦୀର୍ଘଶ୍ବାସ ଦେଲାଣି
ନିଶ୍ବାସର ଶବ୍ଦ ପୁଣି
ଆକ୍ତାମାକ୍ତା କରିବା ପୂର୍ବରୁ
ସମାଧିସ୍ଥ ହୋଇଯିବା
ଆ! ଶୁନ୍ୟତା କୁ ଗୋଟେ ରଙ୍ଗ ଦେବା
ଫର୍ଚ୍ଚା ହେଲାଣି ପରା ।।
ଆ !
ଜଟଣୀ, ଖୋର୍ଦ୍ଧା
୯୪୩୮୩୧୫୩୮୧
Comments are closed.