Latest Odisha News

BREAKING NEWS

ଅନନ୍ୟ ସାମ୍ବାଦିକ ତିଲକ, ଗାନ୍ଧୀ ଓ ଗୋପବନ୍ଧୁ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’

ସ୍ୱାଧୀନତା ସଂଗ୍ରାମ କାଳରେ କେଉଁ ଆଇନ ଆଧାରରେ ଲୋକମାନ୍ୟ ବାଲ୍‍ ଗଙ୍ଗାଧର ତିଲକ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭଳି ଯୁଗପୁରୁଷମାନଙ୍କୁ ବ୍ରିଟିଶ ସରକାର ଜେଲରେ ପୁରାଉଥିଲେ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷରେ ବି ସେହି ଆଇନ ବଳବତ୍ତର ରହିଛି । ଏଥିଘେନି ନିକଟରେ ସୁି୍ରମକୋର୍ଟର ମୁଖ୍ୟ ବିଚାରପତି ଉଦବେଗ ପ୍ରକାଶ କରିବା ସହ ଏହି ଆଇନକୁ ଉଚ୍ଛେଦ କରାଯିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସମୀକ୍ଷା କରିବାକୁ ମତ ଦେଇଛନ୍ତି । ୧୮୫୭ର ସିିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସମୀକ୍ଷା କରିବାକୁ ମତ ଦେଇଛନ୍ତି । ୧୮୫୭ର ସିପାହୀ ବିଦ୍ରୋହରେ ଇଂରେଜ ସରକାର ପ୍ରଣୟନ କରିଥିଲେ ୧୮୬୦ ମସିହାରେ ଭାରତୀୟ ପିଙ୍ଗଳ କୋଡ୍‍ ଓ ୧୮୬୧ ମସିହାରେ ଭାରତୀୟପୋଲିସ ଆଇନ । ଭାରତୀୟ ପିଙ୍ଗଳ କୋଡ୍‍ର ୧୨୪ (କ) ଧାରା ରାଜଦ୍ରୋହ (ସେଡିସନ)ବିଭାଗରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଉଦ୍ଦିଷ୍ଟ । ଏହି କଳଙ୍କିତ ଆଇନ ଆଧାରରେ ଦୁଇଜଣ ପ୍ରତିଷ୍ଠିତ ସମ୍ପାଦକ ତଥା ବରେଣ୍ୟ ସଂଗ୍ରାମୀ ତିଲକ ଓ ଗାନ୍ଧୀଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏବେ ସ୍ୱାଧୀନତାର ପବିତ୍ର ସ୍ମୃତିକୁ ପଖାଳିବା ପାଇଁ ଆମ ଦେଶ ପାଳୁଛି ‘ଅମୃତ ମହୋତ୍ସବ’ । ସେତେବେଳେ କେବଳ ତିଲକ କି ଗାନ୍ଧୀ ନୁହନ୍ତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ବହୁ ଖବରକାଗଜ ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ବେଶ୍‍ ହଇରାଣ ହରକତ କରାଯାଉଥିଲା । ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷରେ ବି ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଣୀତ ସେଡିସନ୍‍ ଭଳି ବହୁ କଳା ଆଇନ ବଳବତ୍ତର ରହିବା ଚିନ୍ତାଜନକ ।

ସ୍ୱାଧୀନତା ଆନ୍ଦୋଳନରେ ଅନେକ ଜାତୀୟତାବାଦୀ ସମ୍ବାଦପତ୍ରରପ୍ରମୁଖ ଭୂମିକା ରହୁଥିଲା । ଏହି ସମ୍ବାଦପତ୍ର ଏବଂ ତାହାର ସୁଯୋଗ୍ୟ ସମ୍ପାଦକ ଓ ସାମ୍ବାଦିକମାନଙ୍କୁ ଦମନ କରିବା ପାଇଁ ସେତେବେଳେ ବ୍ରିଟିଶ ସରକାର କଠୋର ପଦକ୍ଷେପ ନେଉଥିଲେ । ସାମ୍ବାଦିକତାକୁ ସଂଗ୍ରାମ, ସେବା, ସଂସ୍କାର ଓ ସଚେତନତାର ବାର୍ତ୍ତା ବାଣ୍ଟିବା ଲାଗି ପ୍ରକୃଷ୍ଟ କ୍ଷେତ୍ର ଭାବେ ଗ୍ରହଣ କରିନେଇଥିଲେ ତିଲକ, ଗାନ୍ଧୀ ଓ ଗୋପବନ୍ଧୁଙ୍କ ଭଳି ସମ୍ପାଦକମାନେ । ସାଧନା ଓ ସଂଘର୍ଷ ଭିତରେ ଏମାନେ ପରିବର୍ତ୍ତନର ସ୍ୱର ଉଠାଉଥିଲେ । ତିଲକଙ୍କ ଉଦ୍‍ଘୋଷଣା ‘ସ୍ୱରାଜ ମୋର ଜନ୍ମଗତ ଅଧିକାର ଏବଂ ମୁଁ ତାହା ହାସଲ କରିବି’ – ଥିଲା ସଂଗ୍ରାମୀମାନଙ୍କ ଲାଗି ବଡ ଆହ୍ୱାନ । ତାଙ୍କ ସମ୍ପାଦିତ ‘କେଶରୀ’ ସେତେବେଳେ ପ୍ରକାଶ ପାଉଥାଏ ପୁନେରୁ । ୧୮୯୭ରେ ତିଲକଙ୍କ ଏକ ଲେଖାକୁ କେନ୍ଦ୍ରକରି ତାଙ୍କ ବିରୋଧରେ ରୁଜୁ ହୋଇଥିଲା ରାଜଦ୍ରୋହ ମାମଲା ଏବଂ ଏଥିରେ ତାଙ୍କୁ ୧୮ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିଥିଲା । ୧୯୦୫ରେ ତାଙ୍କର ଅନ୍ୟ ଏକ ଲେଖା ପାଇଁ ବି ରାଜଦ୍ରୋହ ମାମଲା ରୁଜୁ ହୋଇଥିଲେ ବି ଏଥିରୁ ସେ ମୁକୁଳି ଯାଇଥିଲେ । ବାରମ୍ବାର ମାମଲା ଓ ଦମନମୂଳକ ବ୍ୟବସ୍ଥା ସତ୍ତ୍ୱେ ତିଲକ କିନ୍ତୁ ମୁଣ୍ଡ ନୁଆଁଇ ନଥିଲେ । ୧୯୦୮ରେ ପୁଣି ତାଙ୍କର ୪ଟି ସମ୍ପାଦକୀୟ ( ଅଲ ଆଇ ଉଇଶ ଟୁ ସେ ଡେଟ ଇନସ୍ପାଇଟ ଅଫ ଭରଡ଼ିକ ଅଫ ଦ ଜୁରୀ , ଆଇ ମେଣ୍ଟେନ ଡେଟ ଆଇଏମ ଇନୋସେଣ୍ଟ ଦେଆର ଆର ହାଇଅର ପାୱାର ଡେଟ ରୁଲ ଦ ଡେଷ୍ଟିନି ଅଫ ଥିଁଗ୍ସ ଆଣ୍ଡ ଇଟ ମେ ବି ଦ ଉଇଲ ଅଫ ପ୍ରୋଭିଡାନ୍ସ ଡେଟ ଦ କଜ ଆଇ ରିପ୍ରେଜେଣ୍ଟ ମେ ମୋର ବାଇ ମାଇଁ ସଫରିଙ୍ଗ ଦେନ ମାଇଁ ରିମେନିଙ୍ଗ ଫ୍ରି ) ଆଧାରରେ ବ୍ରିଟିଶ ସରକାର ପୁଣି ମାମଲା ରୁଜୁକରି ତିଲକଙ୍କୁ ଦଣ୍ଡିତ କରିଥିଲେ । ୧୯୦୮ରେ ମାମଲା ବିଚାର ବେଳେ ‘କେଶରୀ’ର ସମ୍ପାଦକ ବାଲ୍‍ ଗଙ୍ଗାଧର ତିଲକ କୋର୍ଟ ପ୍ରକୋଷ୍ଠରେ ବିଚାରପତିଙ୍କ ସମ୍ମୁଖରେ ଯେଉଁ ସିଂହନାଦ ଶୁଣାଇଥିଲେ ତାହା ବମ୍ବେ ହାଇକୋର୍ଟର କେନ୍ଦ୍ରୀୟ ହଲ୍‍ରେ ଖୋଦେଇ ହୋଇ ରହିଛି ।

ଏଥିରେ ଉଲ୍ଲେଖ ଥିବା ତିଲକଙ୍କ ବକ୍ତବ୍ୟରେ କୁହାଯାଇଛି, ମାମଲାର ବିଚାର ପାଇଁ ବ୍ରିଟିଶ ସରକାର ଗଠନ କରିଥିବା ୯ ଜଣିଆ ଜୁରି ମଣ୍ଡଳୀ ଆଗରେ ତିଲକ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ଜଣେ ସାମ୍ବାଦିକ ଓ ସାଧାରଣ କର୍ମୀ ଭାବେ ପ୍ରଶାସନର ହିତ ଦୃଷ୍ଟିରୁ ଯେଉଁ ଗଠନମୂଳକ ସମାଲୋଚନା ‘କେଶରୀ’ ପତ୍ରିକାରେ କରିଛନ୍ତି ତାହା ତାଙ୍କର ପବିତ୍ର କର୍ତ୍ତବ୍ୟ । ଏହି ଲେଖା ଲାଗି ସେ ଅନୁତପ୍ତ ନୁହନ୍ତି କିମ୍ବା ବ୍ରିଟିଶ ବିଚାରାଳୟରୁ ଦୟା, କ୍ଷମା କି ଅନୁକମ୍ପା ଚାହୁଁ ନାହାନ୍ତି । ଏଥିଲାଗିକୌଣସି ପରିଣାମ ଭୋଗିବାକୁ ସେ ପ୍ରସ୍ତୁତ ଅଛନ୍ତି । ଶେଷରେ ବିଚାରପତି ମଣ୍ଡଳୀ ଆଇିସିର ୧୨୪(କ) ଧାରା ଅନୁଯାୟୀ ତିଲକଙ୍କୁ ରାଜଦ୍ରୋହୀ ଭାବେ ସାବ୍ୟସ୍ତ କରି ତାଙ୍କୁ ୬ ବର୍ଷ ନିର୍ବାସନ ଦଣ୍ଡ ଦେଇଥିଲେ । ବ୍ରହ୍ମଦେଶର ମାଣ୍ଡାଲେ ଜେଲ୍‍ରେ ତାଙ୍କୁ ଏହି ଦଣ୍ଡ କଟାଇବାକୁ ପଡିଥିଲା ।

ସ୍ୱାଧୀନତା ଆନ୍ଦୋଳନର ସ୍ୱର ଲୋକଙ୍କ ନିକଟରେ ହଞ୍ଚାଇବା ସହ ଆର୍ଥିକ, ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୯୧୯ ମସିହାରେ ଆରମ୍ଭ କରିଥିଲେ ‘ସମାଜ’ । ଅସହଯୋଗ ଆନ୍ଦୋଳନ କାଳରେ ସତ୍ୟାଗ୍ରହୀ ଦାସେ ଆଣେ ସଂଗ୍ରାମର ମଇଦାନକୁ ଲମ୍ଫ ପ୍ରଦାନ କରିବା ସହ ଲୋକଙ୍କ ସ୍ୱର ଭାବରେ ଗଢ଼ି ତୋଳିଥିଲେ ‘ସମାଜ’କୁ । ‘ସମାଜ’ ପତ୍ରିକାକୁ ଦମନ କରିବା ପାଇଁ ବ୍ରିଟିଶ ସରକାର ଓର ଉଣ୍ଡୁଥାନ୍ତି । ଏ ପରୀପ୍ରେକ୍ଷୀରେ ଉତ୍କଳମଣି ମହାତ୍ମାଙ୍କ ପରାମର୍ଶ ଲୋଡିବାରୁ ଗାନ୍ଧୀଜୀ ଧାଡିକିଆ ତାର ବାର୍ତ୍ତାରେ କହିଲେ, ‘କେବଳ ସତ୍ୟ ଓ ବଳି ବିବୃତି ରଖ, ପରିଣାମ ଲାଗି ଖାତିର୍‍ କରନାହିଁ’ । ଗାନ୍ଧୀଜୀଙ୍କ ଏହି ଗୁରୁମନ୍ତ୍ରକୁ ଆଗରେ ରଖି ଗୋପବନ୍ଧୁ ସେବା ଓ ସଂଗ୍ରାମ ସହ ସାମ୍ବାଦିକତା ଅବ୍ୟାହତ ରଖିଥିବା ବେଳେ ‘ସମାଜ’ରେ ପ୍ରକାଶିତ ‘ସତ ହେଲେ ସାଂଘାତିକ’ ଶୀର୍ଷକ ଏକ ସମ୍ବାଦକୁ ଆଳକରି ମାମଲା ରୁଜୁ ହେଲା । ଉତ୍କଳମଣିଙ୍କୁ ଗିରଫକରି ଖୋର୍ଦ୍ଧା କଚେରିରେ ହାଜର କରାଯିବାରେ ସେ ଜାମିନରେ ରହିବା ପାଇଁ ଆବେଦନ କରିବେ କି ବୋଲି ବିଚାରପତି ପ୍ରଶ୍ନ କରିବାରୁ ଗୋପବନ୍ଧୁ ରୋକ୍‍ଠୋକ୍‍ ମନା କରିଦେଲେ । ତେଣୁ ତାଙ୍କୁ ପଠାଇ ଦିଆଗଲା ଖୋର୍ଦ୍ଧା ଜେଲ୍‍କୁ । ମାମଲାର ଶୁଣାଣି ବେଳେ ଗୋପବନ୍ଧୁ ସ୍ପଷ୍ଟ ଭାବେ କହିଲେ ଯେ , ସେ ଜଣେ ଅହିଂସାବାଦୀ, ଅସହଯୋଗୀ ଓ ସତ୍ୟାଗ୍ରହୀ ହୋଇଥିବାରୁ ବ୍ରିଟିଶ୍‍ ଅଦାଲତକୁ ସ୍ୱୀକାର କରନ୍ତି ନାହିଁ; ସେ ଆତ୍ମପକ୍ଷ ସମର୍ଥନ କରି ବିଚାରାଳୟରେ କିଛି ବକ୍ତବ୍ୟ ରଖିବେ ନାହିଁ, ବିଚାରପତି ତାଙ୍କୁ ଯାହା ଦଣ୍ଡ ଦେବାକଥା ଦିଅନ୍ତୁ ।

୧୯୨୧ ନଭେମ୍ବର ୨୧ ତାରିଖରେ ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଥିବାରୁ ହଜାର ହଜାର ଲୋକ ପୂର୍ବଦିନ ରାତିରୁ ଆସି ଖୋର୍ଦ୍ଧାରେ ରୁଣ୍ଡ ହୋଇଥିଲେ । ଜେଲ୍‍ରୁ ଗୋପବନ୍ଧୁଙ୍କୁ ଅଦାଲତକୁ ଆଣିବା ବାଟରେ ପ୍ରବଳ ଜନସମାଗମ ଥିଲା । ସେଦିନ ଗୋପବନ୍ଧୁ କହିଥିଲେ ଯେ ଦୀର୍ଘ ରାୟ ନ ପଢ଼ି ତାଙ୍କ ପ୍ରତି କି ଦଣ୍ଡବିଧାନ ହୋଇଛି ବିଚାରପତି କେବଳ ସେତିକି କହି ଦିଅନ୍ତୁ । ଗୋପବନ୍ଧୁ ଦାସଙ୍କୁ ବିଚାରପତି ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଦେବା ପରେ ପରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏହି ରାୟ ବିରୋଧରେ ସରକାର ସେତେବେଳେ ପାଟନାରେ ଥିବା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ବି କିଛି ଲାଭ ହୋଇନଥିଲା । ଏହି ଯୁବ ବିଚାରପତିଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ପ୍ରଲୋଭନ ସହ ଚାପି ପ୍ରୟୋଗ କରାଯାଇଥିଲା । ଯେଉଁ ଶାସନ କଳ ବିଚାର ବ୍ୟବସ୍ଥାକୁ ପ୍ରଭାବିତ ଓ ପ୍ରଲୋଭିତ କରିାରେ ସେହି ବ୍ୟବସ୍ଥାରେ ସେ ଆତ୍ମମର୍ଯ୍ୟାଦା ଦୃଷ୍ଟିରୁ କାମ କରିବାକୁ ଚାହାନ୍ତି ନାହିଁ ବୋଲି ବିଚାରପତି ଜଣକ ଲେଖିଥିଲେ ।

ଏହି ବିଚାରପତି ଜଣକ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କ ବଡଭାଇ ସୁରେଶ ଚନ୍ଦ୍ର ବୋଷ୍‍ । ପରେ ଅନ୍ୟ ଏକ ଆକ୍ରୋଶମୂଳକ ମାମଲାରେ ଗୋପବନ୍ଧୁଙ୍କୁ ଗିରଫ କରାଯାଇ ଦୁଇବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରି ବିହାରର ହଜାରିବାଗ୍‍ ଜେଲ୍‍ରେ ରଖାଯାଇଥିଲା । ଏହି ଜେଲ୍‍ଦଣ୍ଡ ସମୟରେ ଗୋପବନ୍ଧୁ ରଚନା କରିଥିଲେ କାରା କବିତା, ବନ୍ଦୀର ଆତ୍ମକଥା, ଧର୍ମଦ, ଅବକାଶ ଚିନ୍ତା ଭଳି ଅନେକ ପ୍ରେରଣାଦାୟୀ ସାହିତ୍ୟ ।

ମହାତ୍ମା ଗାନ୍ଧୀ ବି ଥିଲେ ଜଣେ ସଫଳ ସାମ୍ବାଦିକ ଓ ସମ୍ପାଦକ । ଦକ୍ଷିଣ ଆଫ୍ରିକାରେ ‘ଇଣ୍ଡିଆନ ଓପିନିୟନ’ ନାମକ ଏକ ସମ୍ବାଦପତ୍ର ସହ ସେ ଜଡିତ ଥିଲେ । ଭାରତ ଫେରିବାରେ ୟଙ୍ଗ୍‍ ଇଣ୍ଡିଆ, ନବଜୀବନ, ହରିଜନ ଆଦି ସମ୍ବାଦପତ୍ର ମଧ୍ୟ ତାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିଲା । ୧୯୨୧-୨୨ ମସିହାରେ ସେ ଲେଖିଥିବା “ଡ଼ିସଏଫେକ୍ସନ ଏ ଭାରଚୁ, ଶେକିଙ୍ଗ ଦ ମେନ୍ସ . ଏ ପ୍ଜ଼ଲ ଆଣ୍ଡ ଇଟ୍ସ ସଲ୍ୟୁସନ ,ଟେମ୍ପରିଙ୍ଗ ଉଇଥ ଲୋୱାଲଟି” ଶୀର୍ଷକ ୪ଟି ଲେଖା ଆଧାରରେ ଗାନ୍ଧୀଜୀଙ୍କ ବିରୋଧରେ ବି ରାଜଦ୍ରୋହ ମାମଲା ରୁଜୁ କରାଯାଇ ତାଙ୍କୁ ଓ ପତ୍ରିକାର ମୁଦ୍ରାକର ଶଙ୍କର ଲାଲଙ୍କୁ ସାବରମତୀ ଆଶ୍ରମରୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା । ଏହି ମାମଲାର ବିଚାର ବେଳେ ଆଡଭୋକେଟ ଜେନେରାଲଙ୍କ ନେତୃତ୍ୱରେ ଦଳେ ଓକିଲ ଗାନ୍ଧୀଙ୍କ ବିରୋଧରେ ଲଢ଼ୁଥିବା ବେଳେ ଗାନ୍ଧୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରି ବିଚାରପତିଙ୍କୁଯେଉଁ ଆହ୍ୱାନ ଦେଇଥିଲେ ତାହା ଇତିହାସର କଥାବସ୍ତୁ । ଗାନ୍ଧୀ କହିଥିଲେ ଯେ ସେ କୌଣସି ଦୟା କି ଅନୁକମ୍ପା ଭିକ୍ଷା କରୁନାହାନ୍ତି । ଜଣେ ଦେଶ ପ୍ରେମୀ ହିସାବରେ ସେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି । ସେ ନିଆଁ ସହ ଖେଳୁଛନ୍ତି ଏବଂ ତାଙ୍କୁ ଯଦି ମୁକ୍ତ କରି ଦିଆଯାଏ ତେବେ ଲୋକଙ୍କ ପ୍ରତି ଥିବା ତାଙ୍କ କର୍ତ୍ତବ୍ୟ ଦୃଷ୍ଟିରୁ ସେ ପୁଣି ନିଆଁ ସହ ଖେଳିବେ । ଏହା ବ୍ରିଟିଶ୍‍ ଆଇନ ଆଧାରରେ ଅପରାଧ ହୋଇପାରେ , କିନ୍ତୁ ବିବେକ ନିକଟରେ ଏହା ଦେଶପ୍ରେମ । ଏଥିରେ ବିଚାରପତି ନିଜ ପଦବୀରୁ ଇସ୍ତଫା ଦେଇ ପାରନ୍ତି କିମ୍ବା ତାଙ୍କ ପ୍ରତି ସବୁଠାରୁ ଅଧିକ କଡା ଦଣ୍ଡବିଧାନ କରିାରନ୍ତି ବୋଲି ଗାନ୍ଧୀଜୀ କହିଥିଲେ ।

ମାତ୍ର ୧୦୦ ମିନିଟ୍‍ ଭିତରେ ଏହି ମାମଲାର ବିଚାର ସରିଲା । ଅସହଯୋଗୀ ହୋଇଥିବାରୁ ଗାନ୍ଧୀଜୀ ବି ଆତ୍ମପକ୍ଷ ସମର୍ଥନ କରି ମୁକ୍ତିଭିକ୍ଷା କରିନଥିଲେ । ତାଙ୍କୁ ଖଲାସ କରିଦେଇଥିଲେ ସେ ବେଶି ଖୁସି ହୋଇଥାନ୍ତେ ବୋଲି ଉଲ୍ଲେଖ କରି ବିଚାରପତି କହିଥିଲେଯେ ପୂର୍ବରୁ ଅନୁରୂପ ଏକ ମାମଲାରେ ବାଲ ଗଙ୍ଗାଧର ତିଲକଙ୍କୁ ଦଣ୍ଡବିଧାନ ହୋଇଥିବାରୁ ସେହି ନଜିରରେ ସେ ଗାନ୍ଧୀଙ୍କୁ ମଧ୍ୟ ୬ବର୍ଷ କାରାଦଣ୍ଡରେ ଦଣ୍ଡିତ କରୁଛନ୍ତି । ତିଲକଙ୍କ ସହ ତାଙ୍କୁ ତୁଳନା କରାଯାଇଥିବାରୁ ସମ୍ପାଦକ ଗାନ୍ଧୀଜୀ ଏଥିରେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଶ୍ରୀ ଅରବିନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କ ସମେତ ବହୁ ସଂଗ୍ରାମୀ ସେତେବେଳେ ବିଭିନ୍ନ ଭାଷାରେ ଅନେକ ତ୍ରପତ୍ରିକା ମାଧ୍ୟମରେ ସଂଗ୍ରାମର ସ୍ୱରକୁ ଶାଣିତ କରୁଥିଲେ । ଏହି ସଂଗ୍ରାମୀମାନଙ୍କ ପାଇଁ କାରାବାସ ଥିଲା ବାସ୍ତବରେ ଉତ୍କଳମଣିଙ୍କ ଭାଷାରେ ପବିତ୍ର ପ୍ରବାସ । ସାମ୍ବାଦିକତା ଏମାନଙ୍କ ଲାଗି ଅର୍ଥ ଉାର୍ଜନର ମାଧ୍ୟମ ନଥିଲା, ଥିଲା ଦେଶ ସେବା ପାଇଁ ଏକ ପ୍ରଶସ୍ତ କ୍ଷେତ୍ର । ମୂକ ଜନତା ମୁହଁରେ ଭାଷା ଫୁଟାଉଥିଲେ ଏହି ସୁୋଗ୍ୟ ସାମ୍ବାଦିକ ଓ ସମ୍ପାଦକମାନେ । ଏଥିଲାଗି ଅନେକେ ନିର୍ଯ୍ୟାତନା ଓ କାରାବରଣ କରିଛନ୍ତି । ଆଜି ମଧ୍ୟ ଆମ କଷ୍ଟଲବ୍ଧ ସ୍ୱାଧୀନତାର ସୁରକ୍ଷା ଓ ସମୃଦ୍ଧି ପାଇଁ ଲୋଡା ରହିଛି ଗଣମାଧ୍ୟମର ସଶକ୍ତ ସ୍ୱର । ସେଇଥିାଇଁ ତ ଗଣମାଧ୍ୟମକୁ କୁହାଯାଉଛି ଆମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏହି ସ୍ତମ୍ଭର ଗରିମାମୟ ଇତିହାସକୁ ସ୍ମରଣକରି ବିକାଶ ପଥରେ ସମସ୍ୟା ସମାଧାନ ଲାଗି ସକାରାତ୍ମକ ଚିନ୍ତା ବ୍ୟକ୍ତ କରିବାର ଆବଶ୍ୟକତା ଏବେ ଅଧିକରୁ ଅଧିକ ଅନୁଭୂତ ହେଉଛି ।

ଇ ମେଲ : prahalladsinha@gmail.com
ମୋ : ୯୪୩୭୦୧୭୩୯୫

Leave A Reply

Your email address will not be published.