ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ ……
ଚାରି ପାଞ୍ଚ ବର୍ଷ ତଳ କଥା । ପୁଅର ବାଳ ପକେଇବାକୁ ବାପା ଯାଚିଥାନ୍ତି ତିରୁପତି ବାଲାଜୀଙ୍କ ମନ୍ଦିରରେ । କଥା ଥାଏ ଆମେ ଏପଟୁ ମାନେ ବାଙ୍ଗାଲୋର ଯିବୁ , ଆଉ ବାପା , ଭାଇ ସେପଟୁ କଟକରୁ ଆସି ପହଞ୍ଚିଲେ ଆମେ ଏକାଠି ପୁଅକୁ ନାଣ୍ଡୁ କରି ପୁଣି ଫେରିଆସିବୁ ଯିଏ ଯୋଉପଟୁ ଆସିଥିଲୁ । ଆମର ଇଛ୍ଛା ଥିଲା ବାପା ଆମ ସହ ଆସନ୍ତେ , କିଛି ଦିନ ରୁହନ୍ତେ ଆମ ପାଖରେ ହେଲେ ତାଙ୍କର ଅଫିସ୍ କାମ ଥିଲା ତ ଫେରିବାକୁ ହେଲା । ଆମେ ସୁନ୍ଦର କରି ଏକାଠି ଦର୍ଶନ ସାରିଲୁ । ପାହାଡ ଝରଣା ବୁଲିଲୁ । ପୁଅ ଝିଅ ଦିହିଁଙ୍କୁ ନାଣ୍ଡୁ କଲୁ । ଫଟୋ ଉଠେଇଲୁ, ପ୍ରସାଦ ପାଇଲୁ , କିଣାକିଣି କଲୁ । ଦୁଇ ଦିନ ବହୁତ ଖୁସିରେ ଖୁସିରେ କଟିଗଲା ।
ଶୁକ୍ରବାର ସନ୍ଧ୍ୟାରୁ ରବିବାର ଉପରଓଳି ହେଲାଣି ଜଣାଯାଉନଥିଲା । ଛୋଟିଆ ଷ୍ଟେସନଟି । ବାପା ଭାଇ ଓଡ଼ିଶା ଗାଡି ଚଢିଲେ । ମନ ଭାରି ଲାଗୁଥାଏ। ଯେତେ ପୁରୁଣା ହେଇଯାଉ ତମ ଘର ସଂସାର ବାପଘର … ବାପଘର । ସେ ମାୟା କାଟିବାକୁ କୋଉ ସୁଖ ସମର୍ଥ ନୁହେଁ । ଛାଡିକି ଆସିଲେ ଲାଗେ ଯେମିତି ନିଜ ଭିତରଟା ବିଭକ୍ତ ହେଇଯାଉଛି ଅସଂଖ୍ୟ ଭାଗରେ । ଫିଟିପଡୁଛି ।
ସେ ଯାହା ହେଉ ଗାଡି ଛାଡିଦେଲା ତାର ହ୍ବିସିଲ୍ ବଜେଇ । ଆମର ବସ୍ ଥିଲା ଆଉ ଘଣ୍ଟାଏ ପରେ । ମୋର ଆଉ କିଛି ପାଇଁ ମନ ନଥିଲା ।
ଏବେ ଖାଲି ଗାଡିକୁ ଅପେକ୍ଷା । ବସଷ୍ଟାଣ୍ଡରେ ଗହଳିଚହଳି, ମୋ ଭିତରେ ଶୂନ୍ଯତା । ଶେଷ ମୂହୁର୍ତ୍ତରେ କଣ ଯୋଜନା ବଦଳ ଯୋଗୁ ଆମେ ବି ଟ୍ରେନରେ ଯିବାକୁ ସ୍ଥିର ହେଲା । ଯା ହେଉ କନଫରମେସନ ଟିକଟ ବି ମିଳିଗଲା ଠାକୁରଙ୍କ ଦୟାରୁ । ଆମେ ଗାଡି ଚଢିଲୁ । ପିଲାଙ୍କ ପାଇଁ ସିଟ୍ ରିଜରଭେସନ୍ ଥିଲେ ମଧ୍ୟ ସେମାନେ ଦିଜଣ ଯାକ ମୋ ପେଟ ଉପରେ । ଘରେ ଯେମିତି ବାହାରେ ସେମିତି । ଇଏ ସେପଟ ସିଟରେ । ଆମ ସାଙ୍ଗରେ ମୋ ସାନ ଭଉଣୀ ଆହୁତୀ ଯାଇଥାଏ । ସିଏ ମଝି ବର୍ଥରେ ଶୋଇବାକୁ ଗଲା । ମୋ ପିଲେ ବି ମାଉସୀ କୁ ଭାରି ଭଲପାନ୍ତି । ଏମାନେ ତ ତାର ଜୀବନ । ସିଏ ଯେମିତି ଟିକେ ଗେଲେଇକି ଡାକିଛି ଏ ସାନ ବିଲେଇ ଦିଟା ସେପଟକୁ ଉଠିଗଲେ । ଏବେ ସିଟ୍ ବଦଳ କରି ଆମେ ଦି ଭଉଣୀ ଆଉ ପିଲେ ତଳ ଦୁଇ ସିଟରେ ଶୋଇଲୁ ଆଉ ୟେ ଉପର ସିଟ୍ କୁ ଉଠିଗଲେ ।
ଆମ ପରିବାରର ସବୁଠୁ ଗେଲ୍ହା ହେଲା ମୋ ଗୁରୁଣ୍ଡି ଗୋପାଳ । ଆମେ ଯୁଆଡେ ଯାଉ ଆମ ଆଣ୍ଠୁଆ ଗୋପାଳ ଆମ ସାଙ୍ଗରେ । ତାର ଗୋଟିଏ ଅଲଗା ମୁଣି ଥାଏ । ନିଃଶ୍ୱାସ ପ୍ରଶ୍ବାସ ପାଇଁ ସେ ମୁଣିର ମୁହଁ ଖୋଲାଥାଏ। ତାର ଲୁଗାପଟା ଆଉ ଖିରଗ୍ଲାସ ମୋ ବ୍ଯାଗରେ । ଅଧିକାଂଶ ସମୟରେ ୟାଙ୍କ କାନ୍ଧରେ ଦୋଳି ଝୁଲି ବିଜେ କରନ୍ତି କହ୍ନେଇ ,ହେଲେ ଆଜି ଯୋଗକୁ ମୁଁ ଧରିଥାଏ । ଶୋଇବା ବେଳେ ଇୟେ ପଚାରିଲେ, ” ଲଲ୍ଲା ? ଧରିଛ ତ ? ”
ସେ ମୁଣିଟିର ଲମ୍ବା ଗୋଟିଏ କାନ୍ଧ ପକା ବ୍ଯବସ୍ଥା ଅଛି । ତେଣୁ କୁଆଡେ ଖସିବା ହଜିବାର ନୁହେଁ ।
ମୁଁ ତ ମୋ ଦୁନିଆରେ ଅଧିକାଂଶ ସମୟ ଥାଏ । ହଜିଯାଇଥାଏ ଶରୀର ଭିତରୁ । ତେଣୁ ଏଇ ଅନ୍ଯମନସ୍କ ଗୁଣ ଯୋଗୁ ଜାଣିକି ଧରେନି କିଛି ଗୁରୁତ୍ୱପୂର୍ଣ୍ଣ ଚିଜ । ଏମିତି ନୁହେଁ କି ସବୁବେଳେ ଏମିତି, କିନ୍ତୁ ଅନେକାଶଂ ଏମିତି ।
ତାଙ୍କର ଏ ପ୍ରଶ୍ନ ରେ ଏଥର ମତେ କିନ୍ତୁ ବାଧିଲା କି ମୁଁ କଣ ଲଲ୍ଲା କୁ ବି ହଜେଇଦେବି ନା କଣ । ଏତିକି ସାଧାରଣ ଦାୟିତ୍ବବୋଧ ନାହିଁ କଣ ମୋର ? ମୋ ଅଭିମାନ ବୁଝିପାରି ଇୟେ ହସିଦେଲେ ଆଉ କହିଲେ, ” ହଉ ଶୋଇପଡ ।”
ମୁଁ ଲଲ୍ଲାର ମୁଣିଟିକୁ ଆଉଁସି ଦେଇ ତାକୁ ଥରେ ଦେଖିନେଲି । ମୁରଲୀ ମନୋହର ମନମୋହକ ହସଟେ ବୁଣିଦେଲେ ।ଶାନ୍ତି ଶାନ୍ତି ଲାଗିଲା । ଏମିତି ମୁହଁଟିଏ ତାର ଯେ ମନ ଛାଡେନି ଥରେ ଦେଖିଦେଲେ ।
ମୁଁ ଗେଲ୍ହା କଲି ଲଲ୍ଲାକୁ , ମୋ କୋଳରେ ଶୋଇପଡିଥିବା ପୁଅକୁ ସେପଟେ ଶୋଇଥିବା ମୋ ଝିଅ ଆଉ ସାନ ଭଉଣୀ କୁ ।ନିଦ ହେଇଗଲା ଅଳ୍ପ ସମୟରେ ।
ପାଖ ବାଟ । ପାଖାପାଖି ଛ’ ଘଣ୍ଟା ।ସରିଯାଇଛି ୟା ଭିତରେ । ଇୟେ ଉଠିପଡିଛନ୍ତି ଆଲାରାମ ଦେଇ । ସେମିତିରେ ଖୁବ୍ ସତର୍କ ଓ ଦାୟିତ୍ୱବାନ । ଟ୍ରେନ୍ ଲାଗିସାରିଥିଲା ତା ଗନ୍ତବ୍ୟ ପ୍ଲାଟଫର୍ମରେ । ସମସ୍ତେ ଧଡପଡ ଆଗେ ଓଲ୍ହାଇ ଯିବାକୁ ।ଆମେ ବି ପିଲାଙ୍କୁ ଉଠେଇ ଜିନିଷ ସଜାଡି ଓଲ୍ହାଇ ପଡିଲୁ । ଭୋର ସାଢେ ତିନିଟା ବାଜିଥାଏ । ଅନ୍ଧାର ଆଲୋକର ସନ୍ଧି ବେଳା ।
ଆମେ ଚାହିଁଛୁ କି ଟ୍ରେନ ଛାଡିଲା । ଆମେ ହାତ ହଲେଇ ବିଦାୟ ଓ ଧନ୍ୟବାଦ ଦେଲୁ ଟ୍ରେନ୍ କୁ ଆମକୁ ସୁରକ୍ଷିତ ଆମ ଯାଗାରେ ଆଣି ପହଞ୍ଚେଇଦେଇଥିବାରୁ କି ମୋ ହାତ ମୋ ଅଣ୍ଟା ପାଖରେ ବାଜି ଅଣ୍ଡାଳି ହେଲା ।
ମୁଁ ଚମକି ପଡିଲି । ” ମୋ ଲଲ୍ଲା? ” ବିକଳ ଦିଶିଲା ସମସ୍ତଙ୍କ ମୁହଁ ଏକା ସାଙ୍ଗେ । ସମସ୍ତେ ସମସ୍ତିଙ୍କୁ ଶୂନ୍ୟ ଆଖି ରେ ଚାହିଁବା ଛଡା କିଛି ବୁଦ୍ଧି ପଶୁନଥିଲା । ମୁଁ କାନ୍ଦ କାନ୍ଦ ହେଇଗଲି।ମତେ ଲଜ୍ଜା ଆସୁଥିଲା କି ଆଉ ଟିକେ ଆଗରୁ ନିଜକୁ ଖୁବ୍ ଦାୟିତ୍ୱବାନ ଭାବୁଥିଲି ମୁଁ । ” ଅଦାୟିତ୍ବ ମଣିଷ କୋଉଠିକାର “।ରାଗୁଥିଲି ନିଜ ଉପରେ । ପିଲା ଦିହିଁଙ୍କି ଦେଖୁଥିଲି, ” ଅଛନ୍ତି ତ ଏମାନେ । ମୋ ବାଳୁତ ପିଲାଟି କେଣେ ଗଲା ।”
ଇୟେ ଘରକୁ ଯିବା ବସଟିରେ ଆମକୁ ଏକରକମ ପେଲି ବସେଇଦେଇ କହିଲେ, ” ତମେ ମାନେ ଘରକୁ ଯାଅ । ମୁଁ ପୁଅକୁ ନେଇକି ଆସୁଛି । ଦେଖେ କଣ ହେଇପାରିବ ।ବ୍ଯସ୍ତ ହବନି । ”
ମୋ ପାଦ ମାଟି ତଳକୁ ଧସିଗଲାପରି ଲାଗୁଥାଏ । ଆହୁତୀ ମୋ ହାତ ମୁଠାକୁ ମୁଠେଇକି ଧରିଥାଏ । ବୋଧ ଦବାକୁ ଭାଷା ପାଉନଥାଏ ବୋଧେ । ବସରେ ମୁଁ ମୂର୍ତ୍ତିଟେ ପରି ବସିଥାଏ । ପ୍ରାର୍ଥନା କରୁଥାଏ, ” ଧନରେ ଫେରିଆ । ମୋ ରାଣ ଫେରିଆ ଧନ ।” ସିନ୍ଦୁରା ଫିଟିପଡୁଥାଏ ସତେଜତା ସହ ଆକାଶରୁ ଧରା ଯାଏ । ମୁଁ ଅବଶ ଓ ଥରୁଥିବା ପରି ଶୂନ୍ୟ ଅନୁଭବ ଭିତରେ ଥାଏ।
ଯନ୍ତ୍ର ପରି ଚାଲୁଥାଏ ମୁଁ । ମନଟା ଗୋବିନ୍ଦ ପାଖରେ । ଆଖି ଆଗରେ ତାରି ମୁହଁ ଦିଶିଯାଉଥାଏ । ଭାବୁଥାଏ, ” ପଡିଥିଲା ତ କାନ୍ଧରେ ପଡିଥିଲା । ମନେଅଛି । କେମିତି ଖସିଲା? କାହିଁକି ? କୁଆଡେ ରହିଲା? ହେ ଜଗନ୍ନାଥେ ଫେରିଆସ । କଣ କରିଛି ଯଦି ଦୋଷ ପାଇଁ ଦଣ୍ଡ ପଛେ ଦିଅ ଫେରି ଆସ । ହେ କୃପା ମୟ କୃପା କର ।”
ଘରେ ପହଞ୍ଚିଗଲୁ । ଇୟେ ଫେରିନଥାନ୍ତି, କି ଫୋନ କରୁନଥାନ୍ତି କି ଫୋନ ଉଠଉନଥାନ୍ତି ।
ମୁଁ ଘରେ ଗୋଟେ ଚେୟାରରେ ସେମିତି କାଠ ଭଳିଆ ବସିଥାଏ କବାଟକୁ ଚାହିଁ । ଆହୁତୀ ତାର ପିଲାଙ୍କୁ ଗାଧେଇ ପାଧେଇ କଣ ଜଳଖିଆ ତିଆରୁଥାଏ । ଆଉ ମଝିରେ ମଝିରେ ଆସି ମତେ କହୁଥାଏ,” ନାନା ଉଠ । ଯାଅ କାମ ସାର ।ଭାଇ ଆସୁଥିବେ ଏବେ । ମିଳିଯିବେ ତମ ଠାକୁର । ଉଠିଲ ।”
ମୁଁ ଭାବୁ ଥାଏ, ” ତୋ ତୁଣ୍ଡ ସୁତୁଣ୍ଡ ହଉ ଲୋ । ମୋ ଲଲ୍ଲା ଫେରିଆସୁ ।”
ପ୍ରାୟ ଘଣ୍ଟେ ପରେ ଇୟେ ଫେରିଲେ । ମୁଁ ଦଉଡିଗଲି ଦାଣ୍ଡ କୁ । ୟାଙ୍କ ମୁହଁରେ ମଖା ହସଟି ଦେଖି ଜାଣିଲି ମୋ ଧନ ମିଳିଯାଇଛି ।କୋହ ତକ ଜମାଟରୁ ତରଳିଲେ । ମୋ ଜୀବନ ରହିଗଲା ଯେମିତି ।
ବହଟେ ଗେଲ୍ହା କଲା ପରେ ପୁଣି ଅଭିମାନରେ ମୁହଁ ଫୁଲେଇଲି କି,” କାହିଁକି ଏମିତି କଲୁ ! ”
ବାଙ୍ଗାଲୋର
Comments are closed.