Latest Odisha News

ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ

ପାଟଣା: ବିହାରର ମୁଜାଫରପୁରରେ ଅଭାବନୀୟ ଘଟଣା । ରବିବାର ଏଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ ବହୁ ସଂଖ୍ୟକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ପ୍ରତିଦିନ ଭଳି ଆଜି ମଧ୍ୟ ଶ୍ରମିକମାନେ ସେହି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଠିକ ଏହି ସମୟରେ ଏକ ବିସ୍ଫୋରଣ ହୋଇ ଫ୍ୟାକ୍ଟ୍ରିର ବଏଲର ଫାଟି ଯାଇଥିଲା । ବଏଲର ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ତାହା ୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଏସପି-ଡିଏମ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଚିହ୍ନଟ କରାଯାଇ ନାହିଁ । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଛି । ଏହି ଘଟଣା ସକାଳ ୧୦ରେ ଘଟିଥିବା କୁହାଯାଉଛି ।

ଫ୍ୟାକ୍ଟ୍ରି ଆଖପାଖରେ ରହୁଥିବା ଲୋକ କହିଛନ୍ତି ଯେ ବଏଲର ବିସ୍ଫୋରଣ ହେତୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହି ବିସ୍ଫୋରଣ ଯୋଗୁ ସଂଲଗ୍ନ କାରଖାନା ମଧ୍ୟ ନଷ୍ଟ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.