Latest Odisha News

BREAKING NEWS

ପ୍ରଜ୍ଞାଶ୍ରୀ ରଥଙ୍କ ‘ହାୱାହାୱାଇ’ ଲୋକାର୍ପିତ

ପ୍ରଜ୍ଞାଶ୍ରୀ ରଥଙ୍କ ‘ହାୱାହାୱାଇ’ ଲୋକାର୍ପିତ

ଭୁବନେଶ୍ୱର : ନଷ୍ଟ ହେଲେ ହିଁ ମଣିଷ କଳାକାର ହୁଏ । ଯିଏ ନଷ୍ଟ ହୋଇପାରେନି ସେ ଘର ବସାଏ, ବଂଶ ରକ୍ଷା କରେ, ହିସାବ କିତାବ କରି ସମ୍ପର୍କ ଯୋଡେ଼, ଭାଙ୍ଗେ, ବଂଚିବାକୁ ଏଣେତେଣେ ଦୌଡ଼ୁଥାଏ, କାଠିକୁଟା ଯାହା ପାଇଲା ତାକୁ ସଞ୍ଚୁଥାଏ । ନଷ୍ଟ ମଣିଷ କିନ୍ତୁ ତା’ର ଆପଣା ଧୁନ୍ ରେ ମସ୍ତ, ଆପଣା ଇଲାକାର ବାଦଶାହ କି ବେଗମ୍, ତା’ର କେହି ପ୍ରଜା ନାହିଁ । ସିଏ ନିଜେ ନିଜର ରାଜା ନିଜେ ନିଜର ଗୁଲାମ୍ । ସେଇ ଭାବ ନ ରହିଲେ କୁଆଡ଼ୁ ଉତୁରିବ ଗୋଟେ କଳାକାର! ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପୃଷ୍ଠଭୂମିରେ ରଚିତ ପ୍ରଜ୍ଞାଶ୍ରୀ ରଥଙ୍କ ଉପନ୍ୟାସ ‘ହାୱାହାୱାଇ’ ଏଇ ଭାବଭୂମିକୁ ନେଇ ରଚିତ ।

ଟାଇମ୍‍ପାସ୍‍ ପ୍ରକାଶନ ଆନୁକୂଲ୍ୟରେ ଓଡ଼ିଶା ଇଂଜିନିୟର୍ସ ସର୍ଭିସ୍‍ ଆସୋସିଏସନ୍‍ ପ୍ରେକ୍ଷାଳୟରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ପୁସ୍ତକପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପନ୍ୟାସଟିକୁ ଅନାବରଣ କରିଥିଲେ ବିଶିଷ୍ଟ ନାଟ୍ୟକାର ଓ ସମାଲୋଚକ ପ୍ରଫେସର ସଙ୍ଘମିତ୍ରା ମିଶ୍ର । ବିଶିଷ୍ଟ କଥାକାର ଡ. ଅଜୟ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପନ୍ୟାସଟିର ଭୂୟସୀ ପ୍ରଶଂସା କରିଥିଲେ । କବି ଓ କଥାକାର ଡ. ହିରଣ୍ମୟୀ ମିଶ୍ର ଉପନ୍ୟାସଟିର ଆମୂଳଚୂଳ ସମୀକ୍ଷା କରିବାଥିବାବେଳେ ଔପନ୍ୟାସିକା ପ୍ରଜ୍ଞାଶ୍ରୀ ରଥ ନିଜ ଉପନ୍ୟାସର ପୃଷ୍ଠଭୂମି ଓ ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିଥିଲେ ।

ଉତ୍ସବ ଆରମ୍ଭରେ ପ୍ରଜ୍ଞାଶ୍ରୀ ରଥଙ୍କ କବିତା ସିରିଜ୍‍ ‘ମୁଁ ନଥିବାବେଳେ’ର ଏକ ଦୃଶ୍ୟରୂପ ପ୍ରଦର୍ଶିତ ହୋଇଥିଲା । ଏଥିରେ ଅଭିନୟ କରିଥିବା ମମତା ତ୍ରିପାଠୀ, ଶକ୍ତି ମହାନ୍ତି ତଥା ଏହାର ସହନିର୍ଦେଶକ ଅବିନାଶ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ସଙ୍ଗୀତ ସାଧିକା ମିତାଲି ଚିନାରାଙ୍କୁ ‘ଟାଇମପାସ୍‍ ସ୍ୱର ସୃଜନ’ ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଚିନାରା ଉତ୍ସବ ଶେଷରେ ସଙ୍ଗୀତ ପରିବେଷଣ କରିଥିଲେ ।

ଉତ୍ସବଟିକୁ ସଂଚାଳନ କରିଥିଲେ ଟାଇମପାସ୍‍ର ପ୍ରକାଶକ ତଥା ଯୁବଲେଖକ ସରୋଜ ବଳ । ଶତାଧିକ ଲେଖକ, ସାହିତ୍ୟାନୁରାଗୀ ପାଠକ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

‘ମୁଁ ନଥିବାବେଳେ’ର ଏକ ଦୃଶ୍ୟରୂପ: 
https://www.youtube.com/watch?v=f-V2FZhUl1o

Leave A Reply

Your email address will not be published.