Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୪ 

BjdElectrycity

ଦତ୍ରୀ ଉବାଚ

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଅନସର ର ପଞ୍ଚମ ଦିନ ଏକ ବିଶେଷ ଉପଚାର ଏହି ଦିନ କରାଯାଏ । ବଡ଼ ଓଡ଼ିଆ ମଠ ଦ୍ୱାରା ପ୍ରସ୍ତୁତ ଫୁଲୁରୀ ତେଲ ମହାପ୍ରଭୁଙ୍କ ଅଙ୍ଗରେ ଲାଗି କରାଯାଏ ।ଦେବବୈଦ୍ୟଙ୍କ ପରାମର୍ଶରେ ଘଣl ପେଡା ରାଶିତେଲ ସହ ଚୁଆ, କର୍ପୁର, ପିଙ୍ଗଣ, ପରଖ ଆଦି ମିଶାଇ ଏହି ତେଲ ପ୍ରସ୍ତୁତ ହୁଏ ଏବଂ ଏହାର ଔଷଧ ଗୁଣ ବଢାଇବା ପାଇଁ ପ୍ରାୟ ଏକବର୍ଷ ମାଟି ତଳେ ପୋତି ରଖାଯାଏ । ଏହି ତେଲକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶରୀରରେ ଅତି ନିଷ୍ଠାର ସହ ମାଲିସ କରାଯାଏ ।

ଏହିଠାରେ ଗୋଟିଏ କଥା କହିବାକୁ ଉଚିତ ମନେ କରୁଛି ତାହା ହେଉଛି ସେବକ ମାନଙ୍କର ନିଷ୍ଠା ଓ ସମର୍ପଣ ଭାବ କଥା । ଅଣସର ସେବା ସମୟରେ ସେବକ ମାନେ ନବଧା ଭକ୍ତିର ସବୁଠାରୁ ଉତ୍କୃଷ୍ଟ ଭାବ ଦାସ୍ୟ ଭାବକୁ ଆପଣେଇଥାନ୍ତି । ତେଣୁ ଦାସାନୁଦାସ ଭାବରେ କଠୋର ନିୟମ ମାନି ସେବା କରନ୍ତି । ସେ ନିୟମ ଗୁଡିକ ହେଲା :

୧ . କେହି କାହାକୁ କଥା ନଭାସିବେ, ଗୀତ ନବୋଲିବେ
୨.ବାଜା ନବାଜିବ, ନାଚୁଣୀ ନ ନାଚିବ
୩. କ୍ରୋଧ କରି ଶବ୍ଦ ନ କରିବ ବଡ଼ପାଟିରେ କଥା ନହେବ, ଏପରି କି କାଠ ପଥର ନ ବାଡ଼େଇବ
୪ .ଅଙ୍ଗ ସଙ୍ଗ ନ କରିବ
୫. ଗନ୍ଧ ଦ୍ରବ୍ୟ ବ୍ୟବହାର ନ କରିବ, ଫୁଲ ମାଳ ନ ପକାଇବ
୬. ପୁରୁଷୋତ୍ତମ ମନ୍ତ୍ର ବା ମାହାତ୍ମ୍ୟ ନ ପଢିବ
୭. କେବଳ ନୃସିଂହ ମନ୍ତ୍ର ଜପିବ
୮ . କପାଳ (ତିଳକ )ରେ ବିନ୍ଦୁ ନ ଘେନିବ
୯ . ଘଣ୍ଟି ସଜ ନ ଘେନିବ
୧୦. ଚିତ୍ର ରୂପ ନ ଲେଖିବ

ଏବେ ବୁଝି ପାରୁଛନ୍ତି ତ, ଏ ସବୁ ନିୟମ ମାନି ଏକ ବସ୍ତ୍ରୀ ହୋଇ, ହବିଷ୍ୟନ୍ନ ଖାଇ, ଏକ ମାତ୍ର ଦୀପ ଆଲୋରେ ଏହି ଅତ୍ୟନ୍ତ ଗୋପନୀୟ ସେବା ଯୋଗେଇବା କେତେ କଷ୍ଟ । କିନ୍ତୁ ନିଜକୁ ଦାସନୁଦାସ କରି ଅତି ଆନନ୍ଦରେ ଓ ନିଷ୍ଠାରେ ଏହା ସମ୍ପାଦନ କରି, ମହାପ୍ରଭୁଙ୍କର ଆତ୍ମୀୟ ସାଜିଛନ୍ତି ଦଇତା, ପତି ଓ ଅନ୍ୟାନ ସେବକ ଗଣ । ତେଣୁ ସେମାନେ ଆମର ନମସ୍ୟ । ନୀତି ଶତକରେ ଭର୍ତ୍ତୃହରି କହିଛନ୍ତି :

ବାଞ୍ଛା ସଜ୍ଜନ ସଂଗମେ ପରଗୁଣେ ପ୍ରୀତି ଗୁରୌ ନମ୍ରତା, ବିଦ୍ୟାୟାଂ ବ୍ୟସନଂ ସୁଯୋଷିତ ରତିଲୋକାପଵାଦାଦ ଭୟମ୍ ।
ଭକ୍ତି ଶୂଲିନି ଶକ୍ତିରାତ୍ମ ଦମନେ ସଂସର୍ଗ ମୁକ୍ତିଖଲେ,ସ୍ୱେତେ ଯେଷୁ ବସନ୍ତି ନିର୍ମଳ ଗୁଣାସ୍ତେଭ୍ୟୋ ନରେଭ୍ୟ ନମଃ

ଜୟ ଜଗନ୍ନାଥ

Leave A Reply

Your email address will not be published.