Latest Odisha News

BREAKING NEWS

ଆଉ ୩ ଦିନ ପ୍ରବଳ ହାଡଥରା ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଜାରି ରହିବ । ଆସନ୍ତା ୩ ଦିନ ଯାଏ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ତଳକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ପାରଦ ତଳମୁହାଁ ହୋଇଛି ଓ ଶୀତ ବଢ଼ିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି ।

ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଟିଟିଲାଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରି ରେକର୍ଡ ହୋଇଛି । ଏଥିସହ କେନ୍ଦୁଝରରେ ୯.୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ଭୁବନେଶ୍ବରରେ ୧୨.୯ ଡିଗ୍ରି ଓ କଟକରେ ୧୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଅର୍ଥାତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି ।

ସୋନପୁର, ଫୁଲବାଣୀ, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡିରେ ସୋମବାର ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଆସନ୍ତା ୭ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି, ଗଞ୍ଜାମ ଆଦି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.