ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାର ବର୍ଷେ ବିତିଯାଇଥିଲେ ମଧ୍ୟ ବିଜେପି ନେତା ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଓ ତାଙ୍କୁ ଭଲ ପାଉଥିବା ଲୋକମାନେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି । ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୋଧରେ କେବେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ରାଜ୍ୟ ସରକାର କେବେ ମୃତକଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ, ମାହାଙ୍ଗାର ମାଟି ହେଉଛି କର୍ମବୀର ଗୌରୀଶଙ୍କର ରାୟ, ଗଣକବି ବୈଷ୍ଣବ ପାଣି ଓ ପଲ୍ଲିକବୀ ନନ୍ଦକିଶୋର ବଳଙ୍କ ପବିତ୍ର ମାଟି । ଗରିବ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରୁଥିବା ଏହି ଦିବଙ୍ଗତ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ନୃତଙ୍ଗରେ ଅନାବରଣ ହୋଇଥିବା ସ୍ୱର୍ଗତ କୁଳମଣି ବରାଳଙ୍କ ପ୍ରତିମୂର୍ତି ରାଜ୍ୟବାସୀଙ୍କୁ ଓଡ଼ିଶାରେ ପରିବର୍ତନ ପାଇଁ ପ୍ରେରିତ କରିବ । ଗରିବଙ୍କୁ ନ୍ୟାୟ ଦେବା ପର୍ୟ୍ୟନ୍ତ ବିଜେପି ସଂଗ୍ରାମ ଜାରୀ ରଖିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ମୋ ସରକାର ସ୍ୱଚ୍ଛ ସରକାର ଓ ପାରଦର୍ଶୀ ସରକାର କହି ସୁଆଙ୍ଗ ରଚୁଛନ୍ତି । ମାହାଙ୍ଗା ହତ୍ୟାକାଣ୍ଡର ବର୍ଷକ ପରେ ଆଜି କେଉଁ ଅବସ୍ଥାରେ ଏ ମାମଲା ଅଛି?
ସ୍ଥାନୀୟ ବିଧାୟକ, ବେଆଇନ୍ ମନ୍ତ୍ରୀଙ୍କ ନାଁ ପୋଲିସ ମାମଲାରୁ କାଟି ଦେଲା । ଏମିତିକି ମନ୍ତ୍ରୀଙ୍କ ବ୍ୟବସାୟିକ ପେଣ୍ଠସ୍ଥଳରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା । ତଳ କୋର୍ଟର ନିଷ୍ପତିକୁ କାହିଁକି ରାଜ୍ୟ ସରକାରଙ୍କ ପୋଲିସ ମାନିଲେ ନାହିଁ । ଆଇନ ତା’ ବାଟରେ ଯିବ କହି ମାନ୍ୟବର କୋର୍ଟଙ୍କ ରାୟକୁ କାହିଁକି ଅବମାନନା କରୁଛନ୍ତି ସରକାର । ରାଜ୍ୟ ସରକାର ସରକାରୀ କଳର ଅପବ୍ୟବହାର କରି ଗରିବ ଲୋକଙ୍କୁ ହଇରାଣ କରୁଛନ୍ତି । ଅବ୍ୟବସ୍ଥା, ଅତ୍ୟାଚାର ଓ ଅନ୍ୟାୟକୁ ଗଣତନ୍ତ୍ରରେ ନାଗରିକମାନେ ସହ୍ୟ କରନ୍ତି ନାହିଁ । କେବଳ ଜୋର ଜବରଦସ୍ତ ଶାସନ ଚଳାଇବା ରାଜ୍ୟ ସରକାରଙ୍କ ନୀତି ହୋଇ ଯାଇଛି ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୧ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ମନ୍ତ୍ରଣାଳୟର ଅଧିକାରୀଙ୍କ ପକ୍ଷରୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ସଂସଦ ଚାଲିଥିବା ବେଳେ ରାଜ୍ୟ ସରକାର ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲିବାର କଥା କହି ମିଛ ସୁଆଙ୍ଗ ରଚିଛନ୍ତି ।
ଫୋନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସହୃଦୟତାର ସହ ଆବାସ ପ୍ଲସ ପୋର୍ଟାଲ ଖୋଲିଲେ । ମାତ୍ର ରାଜ୍ୟ ସରକାର ସେହି ତାଲିକାରେ ସେତେବେଳେ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀଙ୍କର ନାଁ ସାମିଲ ନକରି ଏବେ ମିଛ ସୁଆଙ୍ଗ ରଚୁଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାନୁଆରୀ ୦୧,୨୦୨୧ ଇଂରଜୀ ନବବର୍ଷରେ ସ୍ୱର୍ଗତ କୁଳମଣି ବରାଳ ତାଙ୍କୁ ଭୁବନେଶ୍ୱରରେ ଭେଟିବା ସହ ମାହାଙ୍ଗା ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା କେଳେଙ୍କାରୀ ବା ଦଳୀୟ ଆଧାରରେ ବଂଟନ ବିଷୟରେ ଅବଗତ କରିଥିଲେ । ଇଂରାଜୀ ନବବର୍ଷରେ ଆଶୀର୍ବାଦ ଦେବା ପାଇଁ ଆସିଥିଲେ । ମାତ୍ର ତା’ପରଦିନ ୨ ତାରିଖରେ ତାଙ୍କର ହତ୍ୟା ବିଶ୍ୱାସଯୋଗ୍ୟ ଥିଲା। ରାଜ୍ୟରେ କ୍ଷମତାରେ ଥିବା ଲୋକମାନେ ସ୍ୱର୍ଗତ ବରାଳ ଓ ତାଙ୍କ ସହଯୋଗୀଙ୍କୁ ପିଏମ ଆବାସ ଯୋଜନାରେ ସ୍ୱର ଉଠାଇବାରୁ ହତ୍ୟା କଲେ । ତାଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ ଦୋହରାଇଛନ୍ତି ।
Comments are closed.