Latest Odisha News

BREAKING NEWS

ମାତିଛନ୍ତି ଡିଜିଟାଲ୍ ଲୁଟେରା, ମିସ୍‌କଲ୍ ଦେଇ ଲୁଟିନେଲେ ୪୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କ ମୋବାଇଲ ଫୋନକୁ ଆସିଥିଲା ମିସ୍‌କଲ୍ । କିଛି ସମୟ ପରେ ନିଷ୍କ୍ରିୟ ହୋଇଯାଇଥିଲା ସିମ୍ କାର୍ଡ । ବ୍ୟାଙ୍କ ଯାଇ ପଚରାଉଚରା କରିବା ପରେ ଜଣାପଡିଥିଲା ତାଙ୍କ ଆକାଉଣ୍ଟରୁ ଉଠାଣ ହୋଇଥିଲା ୪୬ ଲକ୍ଷ ଟଙ୍କା ।

ଡିଜିଟାଲ୍ ଲୁଟେରାଙ୍କ ଦ୍ୱାରା ଗୁଜରାଟର ଜଣେ ବ୍ୟବସାୟୀ ଅଭିନବ ଉପାୟରେ ଲୁଟର ଶିକାର ହୋଇଛନ୍ତି । ଅହମଦାବାଦର ସ୍ୟାଟେଲାଇଟ୍ ଏକ୍ସଟେନ୍ସନ୍ ଅଂଚଳରେ ରହୁଥିବା କେମିକାଲ୍ ବ୍ୟବସାୟୀ ରାକେଶ ଶାହଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪୬ ଲକ୍ଷ ୩୮ ହଜାର ଟଙ୍କା ଚଳୁ ହୋଇଥିବା ଜଣାପଡିଛି ।

ରାକେଶଙ୍କ ଅନୁଯାୟୀ ଏକ ଅଜଣା ନମ୍ବରରୁ ତାଙ୍କୁ ମିସ୍‌କଲ୍ ଆସିଥିଲା । ଏହାର କିଛି ସମୟ ପରେ ତାଙ୍କ ମୋବାଇଲରେ ନେଟୱାର୍କ ଟାୱାର୍ ଉଭାନ୍ ହେବା ସହ ଦୁଇଟି ସିମ୍ କାର୍ଡ ଡିଆକ୍ଟିଭେଟ୍ ହୋଇଯାଇଥିଲା । ଏହି ଘଟଣା ପରେ ରାକେଶ ଭୋଡାଫୋନ-ଆଇଡିଆ ଅଫିସରେ ଯୋଗାଯୋଗ କରିଥିଲେ । ଅଭିଯୋଗ କ୍ରମେ ତାଙ୍କ ପୋଷ୍ଟପେଡ୍ ସିମ୍ ଆକ୍ଟିଭ ହୋଇଥିଲା । ହେଲେ ପ୍ରିପେଡ୍ ସିମ୍‌କୁ ଆକ୍ଟିଭ୍ କରିବା ଲାଗି ସିମ୍ କାର୍ଡ କମ୍ପାନୀ ୪ ଘଣ୍ଟା ସମୟ ମାଗିଥିଲେ ।

ପରଦିନ ସକାଳୁ ରାକେଶଙ୍କ ଦୁଇଟି ଯାକ ସିମ୍ କାର୍ଡ ପୁଣିଥରେ ବ୍ଲକ୍ ହେବା ସେ ଭୋଡାଫୋନ ଷ୍ଟୋରରେ ଅଭିଯୋଗ କରିଥିଲେ । ତେବେ ଯାଂଚରେ ଜଣାପଡିଥିଲା କୋଲକାତାର ଏକ ଭୋଡାଫୋନ ଷ୍ଟୋରରେ ତାଙ୍କ ସିମ୍ ଡିଆକ୍ଟିିଭେଟ୍ କରାଯାଇଛି । ଏହି ଘଟଣାକୁ ନେଇ ମନରେ ସନ୍ଦେହ ଉପୁଜିବାରୁ ରାକେଶ ବ୍ୟାଙ୍କ୍ ଅଫ୍ ବରୋଦାରେ ପହଂଚିଥିଲେ । ସେଠାରେ ତାଙ୍କ ଆକାଉଣ୍ଟରୁ ୪୬ ଲକ୍ଷ ଟଙ୍କା ଗାୟବ ହେବା ଜାଣି ରାକେଶଙ୍କ ହୋସ୍ ଉଡିଯାଇଥିଲା ।

ପୋଲିସ ତଦନ୍ତରେ ଜଣାପଡିଛି ଆରଟିଜିଏସ୍ ଓ ଆଇଏମପିଏସ୍ ଜରିଆରେ ରାକେଶଙ୍କ ଆକାଉଣ୍ଟରୁ ସୋନାଇ ଦାସ, ରୋହିତ ରୟ ଓ ରାକେଶ ବିଶ୍ୱକର୍ମା ନାମକ ତିନୋଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରାଯାଇଛି । ଏପରିକି ପ୍ରାୟ ୧୧ଟି ଟ୍ରାନ୍‌ଜାକ୍ସନ ଓ ଓଟିପି ଜରିଆରେ ରାକେଶଙ୍କ ଆକଣ୍ଣ୍ଟରୁ ଟଙ୍କା କାରବାର ହୋଇଥିବା ସ୍ପଷ୍ଟ ହୋଇଛି । ଅଧିକ ସୂଚନା ପାଇଁ ସାଇବର୍ କ୍ରାଇମ୍ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.