ରଞ୍ଜିତା ରାଣୀ ହୋତା
ମନେ ଅଛି ସେଇ ଚିଠିଟି କେବଳ , ମନେ ନାହିଁ ସେଇ ତିଥି
ମଞ୍ଜୁଳ ଆମ ବନ୍ଧୁତା ଯେବେ ତୋଳିଲା ପ୍ରଥମ ଗୀତି।
ଚିର ପାବନ ସେ ସମ୍ପର୍କ ଆଜି କାଳ ଘୁର୍ଣ୍ଣନେ ଗଡ଼ି,
ଜୀବନ ସାଗରେ ବତୀ ଘରଟିଏ ସତେକି ଦେଇଛି ଗଢ଼ି।
ଠିଆ ହୋଇନି ମୁଁ ପାରୁଶେ ତୁମରି ହସ ଲୁହ ଝରା କାଳେ ,
ଅଥଚ ତୁମକୁ ମନେ ପକାଇଛି ମୋ ଲୁହ ଯାତନା ବେଳେ ।
ସମୟ ନିକଶେ ନିଷ୍ପ୍ରଭ ଯଦି ହୁଏ ବନ୍ଧୁତା ଆମ,
ତଥାପି ରହିବ ସ୍ମୃତିରେ ମୋହର ସ୍ୱର୍ଣ୍ଣରେଖାର ସମ ।
ଦିଆନିଆ ଏଇ ଦୁନିଆରେ ମୁଁ ତ ଦେଇନି ତୁମକୁ କିଛି
ମୋ ଚଲାପଥରେ ଫୁଲଯେତେ ରଖି କଣ୍ଟା ନେଇଛ ବାଛି।
ଝରାଇ ଦେଇଛ ବିପୁଳ ମମତା ଭାବି କେତେ ଆପଣାର
ଆକଳନ ମୁହିଁ କରିପାରିନାହିଁ ମୁଲ୍ୟଟି କେବେ ତାର।
କେତେ ଯେ ବରଷ ଅତୀତ ହେଲାଣି ଆଉ କିଛି ଅଛି ବାକି।
ବିଶ୍ୱାସ ଦୀପ ଜଳୁଥିବ ଆମ ସୁରୁଜ ଚନ୍ଦ୍ର ସାକ୍ଷୀ।
Comments are closed.