Latest Odisha News

ଢିଙ୍କିଆ ପରିଦର୍ଶନରେ ଜେଏସଡବ୍ଲ୍ୟୁ କର୍ମଚାରୀ

ପାରାଦୀପ: ପାରାଦୀପ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ଠାରେ ହେବାକୁ ଥିବା ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳକୁ ଆଜି କମ୍ପାନୀର ଅଧିକାରୀ ମାନେ ଗସ୍ତ କରିଥିଲେ। ଏହି ଟିମରେ କମ୍ପାନୀର କାର୍ୟ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ ନାଏକ, ଜେଏସଡବ୍ଲ୍ୟୁ ଖଣି ମୁଖ୍ୟ ବି ଆର କେ ପାଢ଼ୀ, ମାନବ ସମ୍ବଳ ମୁଖ୍ୟ ଶ୍ରୀଜିତ ମିଶ୍ର, ପାରାଦୀପ ପ୍ରକଳ୍ପର ମୁଖ୍ୟ ସୁବ୍ରତ ସାହୁ ପ୍ରମୁଖ ପ୍ରସ୍ତାବିତ ଅଞ୍ଚଳର ମାହାଳ, ପାଟଣା ଓ ଗୋବିନ୍ଦପୁର ଗାଁ ଗସ୍ତ କରିଥିଲେ। ଗୋବିନ୍ଦପୁର ଗାଁର ମା’ ମଙ୍ଗଳା ଜଙ୍ଗଲ କମିଟି ସହିତ ଆଲୋଚନା କରିବା ସହିତ ଆଖଣ୍ଡଳମଣି ଜଙ୍ଗଲ କମିଟିର କିଛି ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ବିଶେଷ କରି ଗାଁ ମାନଙ୍କରେ ଯେଉଁ ସବୁ ଜଙ୍ଗଲ କମିଟିର ଫଳନ୍ତି ବୃକ୍ଷ ଓ ଅନ୍ୟାନ୍ୟ ଗଛ ରହିଛି ତାର ସଠିକ ମୂଲ୍ୟାୟନ କରାଯାଉ ଓ ଲୋକମାନଙ୍କ ଜୀବିକା ଯାଉଥିବା ବେଳେ ସେମାନଙ୍କ ରୋଜଗାର ଉପାୟ ଯୋଗାଇ ଦେବାକୁ ଦାବି କରିଥିଲେ। ଏଥି ସହିତ ଖୁବ ଶୀଘ୍ର ପାନବରଜ ମାପଚୁପ ଓ ଭଙ୍ଗା କାର୍ୟ୍ୟକୁ ତ୍ବରାନ୍ବିତ କରିବା ସହିତ ଅନ୍ୟାନ୍ୟ ନିର୍ମାଣ କାର୍ୟ୍ୟ କିଭଳି ଆଗକୁ ବଢ଼ିବ, ସେନେଇ ବରିଷ୍ଠ ଅଧିକାରୀମାନେ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ।

ଅପରପକ୍ଷରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ପାଟଣାରୁ ଗୋବିନ୍ଦପୁର ପର୍ୟ୍ୟନ୍ତ ପ୍ରାଚୀର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ପାଟଣା ଓ ମାହାଳ ଗାଁରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ୟ୍ୟ ଜାରି ରହିଛି। ଆଜି ସୁଦ୍ଧା ୨୫୭ ଜଣ ହିତାଧିକାରୀଙ୍କୁ ୬ କୋଟି ୪୬ ଲକ୍ଷରୁ ଉର୍ଦ୍ଧ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ଗୋବିନ୍ଦପୁର ଗାଁର ପୁରୁଣା ୧୧୧ ଜଣ ପାନବରଜ ହିତାଧିକାରୀଙ୍କୁ ୯୪ ଲକ୍ଷ ଟଙ୍କା ବକେୟା ଅର୍ଥ ପ୍ରଦାନ କରାଯାଇଛି। ଗତ ଦୁଇ ଦିନ ହେବ ପ୍ରସ୍ତାବିତ ଅଞ୍ଚଳରେ ଲୋକଙ୍କ ସହମତି ବଢୁଥିବାରୁ ସେମାନଙ୍କ ସହଯୋଗରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ୟ୍ୟ ଆଗେଇ ଚାଲିଛି।

Comments are closed.