Latest Odisha News

BREAKING NEWS

ଜୀନ୍ ବିବର୍ତ୍ତିତ ଖାଦ୍ୟ : ବିବିଧତା ଓ ସୁରକ୍ଷା ପ୍ରତି ବିପଦ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା । ଖାଦ୍ୟ ମଣିଷ ପାଇଁ ସବୁବେଳ ଏକ ସମ୍ବେଦନଶୀଳ ଓ ସ୍ପର୍ଷକାତର ବିଷୟ ରହିଆସିଛି । ଖାଦ୍ୟ ସହିତ ବ୍ୟକ୍ତିଗତ ପସନ୍ଦ ବା ରୁଚି ଓ ସାଂସ୍କୃତିକ ପ୍ରଶ୍ନ ଯୋଡ଼ି ହୋଇଥାଏ । ଆମ ସ୍ୱାସ୍ଥ୍ୟ ଓ ପୁଷ୍ଟି ମଧ୍ୟ ଏକାନ୍ତ ଭାବେ ଖାଦ୍ୟ ଉପରେ ନିର୍ଭରଶୀଳ । କିନ୍ତୁ ବଡ଼ ବଡ଼ ବେପାରୀମାନଙ୍କ ଆଖିକୁ ଆମ ଖାଦ୍ୟ ସବୁବେଳେ ଏକ ବଡ଼ ବଜାର ଭାବେ ଦେଖାଯାଉଛି । ତେଣୁ ସେମାନେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ଖାଦ୍ୟକୁ ସାଧାରଣ ମଣିଷର ନିୟନ୍ତ୍ରଣରୁ ବାହାର କରିନେବାକୁ ଚାହୁଁଛନ୍ତି । କାରଣ ଏହା ପଛରେ ଖାଦ୍ୟକୁ ନେଇ ଥିବା ବିଶାଳ ବଜାରକୁ କବ୍‌ଜା କରିବା ସେମାନଙ୍କ ଉଦ୍ଦେଶ୍ୟ ।

ଜୀନ୍ ବିବର୍ତ୍ତିତ ଖାଦ୍ୟ (ଜି.ଏମ. ଫୁଡ଼୍‌.) ଏଥିପାଇଁ ଏକ ବଡ଼ ସୁଯୋଗ ବୋଲି ସେହି କମ୍ପାନୀମାନେ ମନେକରନ୍ତି । ତେଣୁ ସେମାନେ ଯେନତେନ ପ୍ରକାରେ ଜୀନ୍ ବିବର୍ତ୍ତିତ ଖାଦ୍ୟକୁ ପ୍ରଚଳନ କରିବା ପାଇଁ ଚାହୁଁଛନ୍ତି । ଆମ ଦେଶରେ ପୂର୍ବରୁ ଜୀନ୍‌ ବିବର୍ତ୍ତିତ ଖାଦ୍ୟକୁ ପ୍ରଚଣ୍ଡ ବିରୋଧ କରାଯାଇଆସୁଛି । ଫଳରେ କମ୍ପାନୀମାନେ ତାଙ୍କ ମସୁଧାରେ ଏଯାଏ ସଫଳ ହୋଇପାରିନାହାନ୍ତି । କିନ୍ତୁ ପ୍ରୟାସ ଜାରି ରଖିଛନ୍ତି ।

ନିକଟ ଅତୀତରେ ନଭେମ୍ବର ୧୫, ୨୦୨୧ରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୀକରଣ, ଭାରତ (ଏଫ.ଏସ.ଏସ.ଏ.ଆଇ.) ଏକ ଅଧୀସୂଚନା ମାଧ୍ୟମରେ ଜୀନ୍ ବିବର୍ତ୍ତିତ ଖାଦ୍ୟକୁ ନେଇ ‘ପ୍ରସ୍ତାବିତ ନିୟନ୍ତ୍ରଣ ବ୍ୟବସ୍ଥା ଚିଠା’ ପ୍ରକାଶ କରିଛନ୍ତି । ଏହି ଅଧୀସୂଚନା ଅନୁସାରେ, ପୂର୍ବ ଅନୁମତି ବିନା କେହି ଜିନ ବିବର୍ତ୍ତିତ ଦ୍ରବ୍ୟ ବ୍ୟବହାର କରି କୌଣସି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କିମ୍ବା ବିକ୍ରି କରିପାରିବେ ନାହିଁ । କେତେକେ ନିର୍ଦ୍ଦିଷ୍ଟ ସର୍ତ୍ତ ପାଳନ କରୁଥିବା ପରୀକ୍ଷାଗାରରେ ହିଁ ଜୀନ ବିବର୍ତ୍ତିତ ଖାଦ୍ୟ ଯାଞ୍ଚ କରାଯାଇପାରିବ । ଶିଶୁ ଖାଦ୍ୟରେ ଜୀନ୍ ବିବର୍ତିତ ଦ୍ରବ୍ୟ ବ୍ୟବହାର କରାଯିବ ନାହିଁ । କୌଣସି ଖାଦ୍ୟରେ ୧% ବା ଅଧିକ ଭାଗ ଜୀନ୍ ବିବର୍ତ୍ତିତ ଦ୍ରବ୍ୟ ରହିଲେ, ପକେଟ୍ ଉପରେ ତାହା ଲିଖିତ ରହିବ ।

ପୂର୍ବରୁ ଆମ ଦେଶରେ ଜୀନ୍ ବିବର୍ତ୍ତିତ ଖାଦ୍ୟର ନିୟନ୍ତ୍ରଣ ଦାୟିତ୍ୱ କେନ୍ଦ୍ରୀୟ ପରିବେଶ ମନ୍ତ୍ରଣାଳୟ ଅଧିନସ୍ଥ ଜୀନ୍ ବିବର୍ତ୍ତିତ ମୂଲ୍ୟାୟନ କମିଟି ପାଖରେ ନ୍ୟସ୍ତ ଥିଲା । କିନ୍ତୁ ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ-୨୦୦୬ ପ୍ରଚଳନ ପରେ ଏହି ଦାୟିତ୍ୱ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୀକରଣ, ଭାରତ ହାତକୁ ଦିଆଯାଇଛି । ପ୍ରକୃତରେ ଏଫ.ଏସ.ଏସ.ଏ.ଆଇ.କୁ ଜୀନ୍ ବିବର୍ତ୍ତିତ ଖାଦ୍ୟର ଆବେଦନ ପତ୍ରକୁ ଅନୁମୋଦନର କ୍ଷମତା ଦେବା ଉଚିତ୍ ନୁହେଁ । କାରଣ ଏଫ.ଏସ.ଏସ.ଏ.ଆଇ. ପାଖରେ ସେଭଳି ଦକ୍ଷତା ହିଁ ନାହିଁ । ଏହାର ଅନୁମୋଦନ କ୍ଷମତା ଜୈବ ନିରାପତା ବିଶେଷଜ୍ଞଙ୍କର ଏକ ସ୍ୱାଧୀନ କମିଟିକୁ ଦିଆଯିବା କଥା । ଏହା ଛଡ଼ା ଅତୀତରେ ଏଫ.ଏସ.ଏସ.ଏ.ଆଇ. ଜୀନ୍ ବିବର୍ତ୍ତିତ ଖାଦ୍ୟର ନିୟନ୍ତ୍ରଣକୁ ନେଇ ନିୟମ ଆଣିବା ପରିବର୍ତ୍ତେ ଜୈବିକ ଖାଦ୍ୟ କ୍ଷେତ୍ରରେ ନିୟମ ଆଣିବାକୁ ଅଧିକ ଆଗ୍ରହୀ । ଯେତେବେଳେ କି ଜୈବିକ ଖାଦ୍ୟ ଅପେକ୍ଷା ଜୀନ୍ ବିବର୍ତ୍ତିତ ଖାଦ୍ୟ କ୍ଷେତ୍ରରେ ନିରାପତ୍ତାର ସଙ୍କଟ ଅଧିକ ଥାଏ ।

ଏହି ଚିଠା ପ୍ରସ୍ତାବରେ ମଣିଷର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଜୀନ୍ ବିବର୍ତିତ ଖାଦ୍ୟର ପ୍ରଭାବ ଓ ନିରାପତ୍ତାକୁ ଆଦୌ ଧ୍ୟାନ ଦିଆଯାଇନାହିଁ । ୧୯୯୦ରେ ଯେବେଠାରୁ ପ୍ରଥମେ ଜୀନ୍ ବିବର୍ତିତ ବିହନ ବଜାରକୁ ଆସିଲା, ସେବେଠାରୁ ଏହା ଉପରେ ସ୍ୱାଧୀନ ବୈଜ୍ଞାନିକମାନଙ୍କ ଦ୍ୱାରା ଗବେଷଣା କରାଯାଇନାହିଁ । ଜୀନ୍ ବିବର୍ତିତ ବିହନର ଉତ୍ପାଦନର ମାନବ ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ କୁପ୍ରଭାବ ପଡ଼ିବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶଙ୍କା ପ୍ରକାଶ କରୁଛନ୍ତି ।

ୟୁରୋପିଆନ୍ ୟୁନିଅନ୍‌ର ଏକ ସଂସ୍ଥା ‘ଫୁଡ଼୍ ୱାଚ୍ ଡଗ୍‌’ର ଅଧ୍ୟୟନ ଅନୁସାରେ ଆମେରିକାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଅନୁମୋଦନ ପାଇଥିବା ମକା, ସୋୟାବିନ୍ ସମେତ ୮୬ଟି ଜୀନ୍ ବିବର୍ତ୍ତିତ ଫସଲ ମଧ୍ୟରୁ ୫୪ଟିରେ ଜୀନ୍‌-ଭି.ଆଇ. ନାମକ ଏକ ପ୍ରକାର ଭାଇରାଲ୍ ଜୀନ୍‌ର ସନ୍ଧାନ ମିଳିଥିଲା । ଏହି ଗବେଷକମାନଙ୍କ ମତରେ ଜୀନ୍ ଭି.ଆଇ.ର ଉପସ୍ଥିତି ମାନବ ଶରୀରରେ ଏକ ଅସ୍ୱାଭାବିକ ପରିବର୍ତନ ଆଣିଥାଏ । ଏହି ଫସଲକୁ ଖାଇବା ଦ୍ୱାରା ମାନବ ଶରୀରେ ଏକ ପ୍ରକାର ପ୍ରୋଟିନ୍ ତିଆରି ହୋଇଥାଏ, ଯାହା ବିଷଯୁକ୍ତ । ଏହି ଫସଲ କେତେକ ପ୍ରକାର ନିର୍ଦ୍ଦିଷ୍ଟ ପୋକଙ୍କୁ ଅଧିକ ଆକର୍ଷିତ କରୁଥିବାର ପ୍ରମାଣ ମଧ୍ୟ ମିଳିଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ପିଟର ରିଲେଙ୍କ ମତରେ, ଜୀନ୍ ବିବର୍ତ୍ତିତର ପ୍ରଭାବକୁ ନେଇ ଏପର୍ଯ୍ୟନ୍ତ କେହି ସନ୍ଦେହ ମୁକ୍ତ ନୁହନ୍ତି ।

ତେଣୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷେଧ କରାଯିବା ଉଚିତ୍ । ବୈଜ୍ଞାନିକମାନଙ୍କ ତଥ୍ୟ ଅନୁସାରେ ଏହି ବିହନର ରାସାୟନିକ ବିଷ ଗଛ ମାଧ୍ୟମରେ ଫଳକୁ ଯାଉଛି ଓ ଏହାକୁ ଖାଇ ମଣିଷ ରୋଗଗ୍ରସ୍ତ ହେବାର ଦେଖା ଯାଉଛି । ଏହି ରାସାୟନିକ ଗୁଡ଼ିକର ପ୍ରଭାବ ପଶୁମାନଙ୍କ ଠାରେ ପରୀକ୍ଷା କରି ଏହାର କୁପ୍ରଭାବ ପ୍ରମାଣିତ ହୋଇଛି । ଆନ୍ଧ୍ରପ୍ରଦେଶରେ ବିଷଯୁକ୍ତ ବିଟି କପା ଗଛକୁ ଖାଇ ଗୃହପାଳିତ ପଶୁ ମରିଯିବାର ଅନେକ ଦୃଷ୍ଟାନ୍ତ ଅଛି । ତେଣୁ ପଶୁ ଡାକ୍ତରମାନେ ବିଟି କପା କ୍ଷେତକୁ ପଶୁ ଜନ୍ତୁମାନଙ୍କୁ ନଛାଡ଼ିବାକୁ ପରାମର୍ଶ ଦେଉଛନ୍ତି । ବିଭିନ୍ନ ଗବେଷଣାତ୍ମକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ, ଜୀନ୍ ବିବର୍ତ୍ତିତ ଖାଦ୍ୟ ଯୋଗୁ ଅନେକ ପ୍ରକାର ରୋଗ ଦେଖା ଦେଉଛି । ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି । ମଣିଷର ବୃଦ୍ଧି ଓ ବିକାଶ ବାଧାପ୍ରାପ୍ତ ହେଉଛି ଓ ଏହା ପ୍ରଜନନ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି । ଏହା ଯୋଗୁ ଶରୀରର ଭିନ୍ନ ଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗରେ ଥିବା କୋଷରେ ବ୍ୟତିକ୍ରମ ଦେଖାଯାଉଛି । ଜୀନ୍ ବିବର୍ତ୍ତିତ ଖାଦ୍ୟ ଯୋଗୁ ଶରୀରରେ ଆଣ୍ଟି ବାୟୋଟିକ ପ୍ରତିରୋଧକ ତିଆରି ହେଉଥିବାର ମଧ୍ୟ ଆଶଙ୍କା କରାଯାଉଛି । ମଣିଷର ସ୍ୱାସ୍ଥ୍ୟ ସହିତ ଜୀନ୍ ବିବର୍ତନର ପରିବେଶ ଉପରେ ମଧ୍ୟ ବହୁତ କୁପ୍ରଭାବ ପଡ଼ିଥାଏ ।

ଭାରତ ଭଳି ଜୈବ ବିବିଧତାର ପ୍ରାଚୁର୍ଯ୍ୟ ଦେଶରେ ଜୀନ୍ ବିବର୍ତ୍ତିତ ଏକ ଅଭିଷାପ ପରି ଉଭାହେବ । ଏହା ପ୍ରକୃତି ସହିତ ଏକ ଭୟଙ୍କର ଖେଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମ ଦେଶରେ ପୂର୍ବରୁ ଜୀନ୍ ବିବର୍ତ୍ତିତ କପା ବିହନ ବା ବିଟି କପାକୁ ଅନୁମତି ମିଳିଛି । ଏହି ଜୀନ୍ ବିବର୍ତିତ ବିହନ ଯୋଗୁ ଫସଲର ବନ୍ଧୁ ପୋକ ଏବଂ ଅଣୁଜୀବମାନେ ମରିଯାଉଛନ୍ତି । ଯେଉଁ ପୋକକୁ ମାରିବାକୁ ଏହି ଜୀନ୍ ବିବର୍ତ୍ତିତ ବିହନ ତିଆରି ହୋଇଥିଲା, ଅନେକ କ୍ଷେତ୍ରରେ ସେହି ପୋକମାନେ ମଧ୍ୟ ଦମନ ହେଉନାହାନ୍ତି । ଧିରେଧିରେ ସେହିପୋକମାନଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ସେମାନେ ଜୀନ୍ ବିବର୍ତ୍ତିତ ବିହନର ଗଛକୁ ମଧ୍ୟ ଆକ୍ରାନ୍ତ କରୁଛନ୍ତି । ଫଳରେ ଚାଷୀର କୀଟନାଶକ ବ୍ୟବହାର କମିବା ବୃଦ୍ଧି ପାଉଛି । ବିଟି କପା କ୍ଷେତ୍ରରେ ଏହା ପ୍ରମାଣିତ ହେଲାଣି । ଯେଉଁ ଉତ୍ପାଦନ ବୃଦ୍ଧିର ପ୍ରତିଶ୍ରୁତି ଦେଇ ବିଟି ବିହନ ଆରମ୍ଭ କରାଯାଇଥିଲା ତାହା ମଧ୍ୟ ସଫଳ ହେଉନାହିଁ । ମହାରାଷ୍ଟ୍ର ସରକାର ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛନ୍ତି ଯେ, ବିଟି କପାର ଉତ୍ପାଦନ ୪୦% କମିଛି । ଥରେ ଜୀନ୍ ବିବର୍ତ୍ତିତ ଖାଦ୍ୟକୁ ଅନୁମୋଦନ ମିଳିଗଲେଆମ ଦେଶରେ ଥିବା ଖାଦ୍ୟ ବିବିଧତା ବହୁଳ ଭାବେ ଲୋପ ପାଇଯିବ ।

ଆମକୁ ଆଉ ଉତମ ଗୁଣମାନର ପୁଷ୍ଟିକର ଖାଦ୍ୟ ମିଳିବ ନାହିଁ । ସାଧାରଣ ଲୋକମାନେ ଖାଦ୍ୟ ଉପରେ ନିୟନ୍ତ୍ରଣ, ନିଜର ରୁଚି ସମ୍ମତ ଓ ଗୁଣବତାଯୁକ୍ତ ଖାଦ୍ୟ ପାଇବାର ସ୍ୱାଧୀନତା ହରେଇବେ । ସର୍ବୋପରି ଖାଦ୍ୟ ଦ୍ରବ୍ୟ କ୍ଷେତ୍ରରେ ଜୀନ୍‌ ବିବର୍ତ୍ତନକୁ ଅନୁମତି ମିଳିଲେ ଆମ ଦେଶର ଚାଷୀମାନଙ୍କର ବିହନ ସ୍ୱାଧୀନତା ଲୋପ ପାଇଯିବ । ସେହି ବିହନରୁ ଆଉ ବିହନ ରଖିହେବ ନାହିଁ । ଚାଷୀମାନଙ୍କୁ ବିହନ ପାଇଁ ସବୁବେଳେ କମ୍ପାନୀ ଉପରେ ନିର୍ଭର କରିବାକୁ ପଡ଼ିବ । ଏହା ଚାଷ କ୍ଷେତ୍ରରେ ଚାଷୀମାନଙ୍କର ସ୍ୱାଧୀନତାକୁ ବିପନ୍ନ କରିବ ଓ ଚାଷୀକୁ ଅଧିକରୁ ଅଧିକ କ୍ଷତି ପହଞ୍ଚେଇବ । ଚାଷୀ ହାତରୁ ବିହନ ସ୍ୱାଧୀନତା ଖସି ଆସି କମ୍ପାନୀ ହାତରେ ରହିଯିବ ଓ କମ୍ପାନୀ ସେହି ବିହନକୁ ପେଟେଣ୍ଟ ବା ଏକାଧିକାର କରି ବିହନର ଦାମ୍‌କୁ ଆକାଶ ଛୁଆଁ କରିଦେବ । ଯାହା ଫଳରେ ଚାଷୀମାନେ ଆଉ ଚାଷ କରିପାରିବେ ନାହିଁ । ଫଳରେ ଭୀଷଣ ଖାଦ୍ୟାଭାବ ଦେଖା ଦେଇ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବ । ସମଗ୍ର ମାନବ ଜାତିର ଖାଦ୍ୟ ସୁରକ୍ଷା ଲାଭଖୋର୍‌ କମ୍ପାନୀମାନଙ୍କ କବଳକୁ ଚାଲିଯିବ । ଏହା ଦ୍ୱାରା ଚାଷୀ ସମେତ ସମସ୍ତ ଖାଉଟି ଭୀଷଣ ଭାବେ ପ୍ରଭାବିତ ହେବେ । କୋଟି କୋଟି ଲୋକ ଭୋକିଲା ରହିବାକୁ ବାଧ୍ୟ ହେବେ । ଖାଦ୍ୟ ଶସ୍ୟ ଆଦି କ୍ଷେତ୍ରରେ ଥରେ ଜୀନ୍ ବିବର୍ତ୍ତିତର ପ୍ରଚଳନ ହୋଇଗଲେ, ଏହାକୁ ଆଉ ଫେରାଇ ନେଇ ହେବ ନାହିଁ । ପାରମ୍ପରିକ ବିହନ ଆଉ କେଉଁଠି ବି ନଥିବ । କମ୍ପାନୀମାନଙ୍କ ପାଖରୁ ସବୁବେଳେ ଜୀନ୍ ବିବର୍ତ୍ତିତ ବିହନ କିଣିବାକୁ ହେବ । ଅର୍ଥାତ୍ ସମଗ୍ର ବିଶ୍ୱର ମାନବ ସମାଜ ଖାଦ୍ୟ ପାଇଁ କମ୍ପାନୀମାନଙ୍କ ହାତକୁ ଚାହିଁ ରହିଥିବେ ।

ଏହା ନିଃସନ୍ଦେହ ଯେ, ଖାଦ୍ୟ ଅଭାବ ଜନିତ ତାହା ଏକ ଭୟଙ୍କର ଦୁର୍ବିପାକର ସମୟ ହେବ । ତେଣୁ କୌଣସି ପରିସ୍ଥିତିରେ ବି ଜୀନ୍ ବିବର୍ତ୍ତିତକୁ ପ୍ରଶ୍ରୟ ଦିଆଯିବା ଉଚିତ୍ ନୁହେଁ । ଅପପୁଷ୍ଟିର ଶିକାର ଲୋକମାନଙ୍କ କ୍ଷେତ୍ରରେ ଜୀନ୍ ବିବର୍ତ୍ତିତ ବିଷାକ୍ତ ଖାଦ୍ୟର କୁପ୍ରଭାବ ଅଧିକ ପଡ଼ିବ । ସେମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ଆହୁରି ଅଧିକ ବିପନ୍ନ ହେବ । ପ୍ରବଳ ଜନବିରୋଧ ଯୋଗୁ ପୂର୍ବରୁ ଆମ ଦେଶରେ ଜୀନ୍ ବିବର୍ତ୍ତିତ ବାଇଗଣ ଓ ସୋରିଷକୁ ଅନୁମତି ମିଳିନାହିଁ । ଓଡ଼ିଶା ସମେତ ଏକାଧୀକ ରାଜ୍ୟ ସରକାର ମଧ୍ୟ ଜୀନ୍ ବିବର୍ତ୍ତିତ ବିହନକୁ
ଅନୁମତି ଦେଇନାହାନ୍ତି । ଏବେ ପୁଣିଥରେ ଏଫ.ଏସ.ଏସ.ଏ.ଆଇ. ଜୀନ୍ ବିବର୍ତ୍ତିତ ଖାଦ୍ୟକୁ ଦେଶରେ ପ୍ରଚଳନ କରାଇବାର ମସୁଧା କରି ଏହି ଚିଠା ପ୍ରସ୍ତାବ ଆଣିଛନ୍ତି । ଏହାକୁ ମଧ୍ୟ ସମ୍ପ୍ରତି ଦେଶ ସ୍ତରରେ ବିଭିନ୍ନ ନାଗରିକ ସଙ୍ଗଠନ , ସାମାଜିକ କାର୍ଯ୍ୟକର୍ତା ଓ ମାନବବାଦୀ ବୈଜ୍ଞାନିକ ଆଦିଙ୍କ ଦ୍ୱାରା ପ୍ରବଳ ବିରୋଧ କରାଯାଉଛି । ଏଫ.ଏସ.ଏସ.ଏ.ଆଇ. ପାଖକୁ ନାଗରିକମାନଙ୍କ ଦ୍ୱାରା ପିଟିସନ୍‌
ପଠାଯାଉଛି । ଏହା ଆମ ଦେଶର କୋଟି କୋଟି ଜନସାଧାରଣଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ପରିବେଶର ପ୍ରଶ୍ନ । ଏହାକୁ ସହଜରେ ଛାଡ଼ିଦେବା ଉଚିତ୍ ନୁହେଁ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Comments are closed, but trackbacks and pingbacks are open.