ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୩୦
ସ୍ବଭାଷା ସୁବିଶାଳ ରଥ
ଲୋଡ଼େ ସହସ୍ରାଧିକ ହାତ
ଧରିବେ ତାହାର ଦଉଡ଼ି
ଲକ୍ଷ୍ୟ ପର୍ଯଂତ ନେବେ ଭିଡ଼ି
ନୁହେ ଏ ଛୋଟ ଠେଲାଗାଡ଼ି
ଗଳି କଂଦିରେ ରଡ଼ି ଛାଡ଼ି
ପଣ୍ୟ ପସରା ସେଠି ମେଲି
ଏକାକୀ ଜଣେ ନେବ ଠେଲି
ବ୍ୟକ୍ତିଗତ ଓ ସାମୂହିକ
ଜୀବନଧାରା କରୁଁ ଲକ୍ଷ୍ୟ
ବ୍ୟକ୍ତି ହେଲେ ହେଁ ସାଂପ୍ରତିକ
ସମୂହ ଅତୀତ ସ୍ତାବକ
ଜନତା ବୋହି ରୀତିନୀତି
କରିପାରୁନି ଅଗ୍ରଗତି
ଅଥଚ ସମାଜରେ ବ୍ୟକ୍ତି
ବଢ଼ାଇ ଚାଲେ ପ୍ରତିପତ୍ତି
ବ୍ୟକ୍ତି ଓ ସମୂହ ଉଭୟ
ମଧ୍ୟରେ ନାହିଁ ସମନ୍ବୟ
ତେଣୁ ମନରେ ଥାଏ ଭୟ
ସତେ କି ହେବ ଜ୍ଞାନୋଦୟ
ବଡ଼କୁ ମଣୁଥିଲେ ସାନ
ଅଭିଜ୍ଞତାକୁ ଅସମ୍ମାନ
ଏଠି ତ ସାଧାରଣ କଥା
କେହି ବୁଝେନି କାହା ବ୍ୟଥା
ଭାଷା ତ ସମୂହ ସଂପଦ
ପଡ଼ିଲେ ତାହାକୁ ବିପଦ
ବ୍ୟକ୍ତି ବି ନୁହେ ନିରାପଦ
ଏହା ହେଉନି ହୃଦ୍ବୋଧ
ଭାଷା ଆମର ଗଢ଼ା ରଥ
ପଡ଼ିଛି ସୁନିର୍ଦିଷ୍ଟ ପଥ
ସ୍ଥିତି ଥିଲେ ହେଁ ନାହିଁ ଗତି
ସ୍ଥଗିତ ହୋଇଛି ଉନ୍ନତି
ସ୍ବଭାଷା ଅନୁରାଗୀ ଲୋକ
ଏବେ ତ ହେଳୁଆ ଓ ମୂକ
ଜାଗିଲେ ବୁଦ୍ଧି ଓ ବିବେକ
ଦିଶିବ ନୂଆ ଉଷାଲୋକ
ଚାଲିଛି ଅନଂତ ପ୍ରତୀକ୍ଷା
କରୁଛୁଁ ଅନୁଗ୍ରହ ଭିକ୍ଷା
ସହୁଛୁଁ ସକଳ ଉପେକ୍ଷା
ପରସ୍ପରଠୁଁ କରୁଁ ଶିକ୍ଷା
ସ୍ବଭାଷା ଲେଖି ଆଉ କହି
ନିଜେ ନିଜ ଦାୟିତ୍ବ ନେଇ
ଭାଷାକୁ ପାରିବା ବଂଚାଇ
ବିଲୟ ବେଳା ଆସିନାହିଁ
Comments are closed.