କଟକ: ସହରରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ୨ ଦିରେ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହେଲେଣି । ତଥାପି ନିଗମର ନିଦ ଭାଙ୍ଗୁନି । ଏଭଳି ଅଭିଯୋଗ ଆସିଛି ସିଡ଼ିଏ ସେକ୍ଟର ୯ରୁ । ସ୍ଥାନୀୟ ଅଞ୍ଚଳରେ କୁକୁରର ବଂଶ ବିସ୍ତାର ହେବାରେ ଲାଗିଛି । କିଛିଦିନ ହେବ ଏହି ଅଞ୍ଚଳରେ କୁକୁର ଲୋକଙ୍କୁ ବାଟ ଚଲେଇ ଦେଉନି ।
ସହରର ସିଡିଏ ସେକ୍ଟର -୯ର ବାସିନ୍ଦା ସନ୍ଦୀପ ମହାପାତ୍ର କୁକୁର କାମୁଡାରେ ଆହତ ହୋଇଛନ୍ତି । ସେ କୌଣସି ଏକ କାମରେ ଘରୁ ପାଖରେ ଥିବା ଛକକୁ ଯାଇଥିଲେ। ସେହି ସମୟରେ ଗୋଟିଏ ଛୋଟ କୁକୁରକୁ ଆଉ ଏକ ବଡ କୁକୁର କାମୁଡୁଥିବାର ସେ ଦେଖିବାକୁ ପାଇଥିଲେ । ଠିକ ଏତିକି ବେଳେ ହଠାତ ବଡ କୁକୁରଟି ଶ୍ରୀ ମହାପାତ୍ରଙ୍କ ଆଡକୁ ମାଡି ଆସି ତାଙ୍କ ଛାତି ଓ ହାତକୁ କାମୁଡି ଦେଇଥିଲା । ଶ୍ରୀ ମହାପାତ୍ରଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ କୁକୁରକୁ ଧରିବା ପାଇଁ ସିଏମ୍ସିକୁ ଫୋନ୍ କରାଯାଇଥିଲା। ମାତ୍ର କୁକୁର ଧରିବାକୁ ଥିବା ଗାଡି ଖରାପ ଥିବା ଜଣାପଡ଼ିଥିଲା ।
ତେବେ ସିଏମ୍ସିର ୫୯ଟି ୱାର୍ଡ ପାଇଁ ଗୋଟିଏ ୨୦ ବର୍ଷରୁ ଅଧିକ ପୁରୁଣା ଗାଡିରେ କୁକୁର ଧରା କାମ କରାଯାଉ ଥିବାରୁ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି।
ଅନ୍ୟପଟେ ସହରରେ କୁକୁର ଧରା କାମ ମହାନଗର ନିଗମ ପକ୍ଷରୁ ଏକ ପ୍ରକାର ବନ୍ଦ ରଖାଯାଇଛି। ବହୁ ଦାବି ହେଲେ ସିଏମ୍ସି ଦୁଇ ତିନିଟି କୁକୁର ଧରି କାର୍ଯ୍ୟ ଶେଷ କରି ଦେଉଥିବା ଅଭିଯୋଗ ହେଉଛି । କୁକୁର ଧରିବା ଓ ବନ୍ଧ୍ୟାକରଣ ବାବଦରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।
Comments are closed.