Latest Odisha News

ସ୍ମୃତିର ଛତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଗାଁରୁ ଯାଇ ଲଣ୍ଡନରେ ପାଠ ପଢ଼ିବ ଆଉ ପୁଣି ସେଇଠି ହିଁ ଚାକିରି କରିବ। ଏମିତି କେବେ ଭାବି ନଥିଲା ସରୋଜ। ହେଲେ ତା ଭାବିବା ଅନୁସାରେ କି ଜୀବନ ଚାଲେ? ତା ନହୋଇଥିଲେ ଦୀର୍ଘ ଦଶ ବର୍ଷ ହେଲାଣି ସେ ଗାଁ ଛାଡ଼ି ଲଣ୍ଡନରେ ନଥାନ୍ତା। ଏବେ ଏତେ ଦିନ ପରେ ଗାଁକୁ ଯିବାକୁ ତାକୁ ସୁଯୋଗ ମିଳିଛି। ସେଥିପାଇଁ ସେ ବଡ଼ ଉତ୍କଣ୍ଠାର ସହିତ ପରିବାରକୁ ସାଙ୍ଗରେ ନେଇ ବାହାରିଛି ଗାଁକୁ। ହରିପୁର ଗାଁରେ ତା ଘର। ତା ବାପା ମାଆ ଭାଇ ଭଉଣୀ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି ସେ କେତେବେଳେ ଘରେ ପହଞ୍ଚିବ। ଗାଁ ଛକରେ ବସ୍ ପାଇଁ ଅପେକ୍ଷା କରି ରହିଛି ତା ବଡ଼ ଭାଇ ମନୋଜ। ବସରୁ ସରୋଜ ତା ପିଲାମାନଙ୍କୁ ନେଇ ଓହ୍ଲାଇବ। ହେଲେ ବସରେ ଆସିଲାନି ସରୋଜ। ରାସ୍ତାର ଏପାଖରେ ଠିଆ ହୋଇଥାଏ ମନୋଜ, ସେପଟୁ ଡାକ ଶୁଭିଲା ଭାଇନା .. ଭାଇନା .. କାହାକୁ ଅପେକ୍ଷା କରିଛ? ମନୋଜ ଦେଖିଲା ବେଳକୁ ରାସ୍ତା ଆରପାଖରେ କାର୍ ଭିତରୁ ଦରଜାର କାଚକୁ ତଳକୁ ଖସାଇ ଡାକୁଛି ସରୋଜ। ମନୋଜ ଖୁସିରେ ରାସ୍ତା ପାର କରି ଆରପାଖକୁ ଗଲା। ସରୋଜ ସେହି ଗାଁ ଛକରେ ହିଁ କାରରୁ ଓହ୍ଲାଇ ଭାଇକୁ ମୁଣ୍ଡିଆ ମାରିଲା। ଗାଡ଼ି ଭିତରେ ବସିଥାନ୍ତି ବୋହୂ ଓ ସରୋଜର ଦୁଇଟି ଛୁଆ। ସେମାନେ ବି ଓହ୍ଲାଇ ପଡ଼ିଲେ ଗାଡ଼ିରୁ। ଧାଇଁ ଆସି କୁଣ୍ଢାଇ ଧରିଲେ ବଡ଼ବାପାଙ୍କୁ। ସରୋଜର ପୁଅଟା ବାର ବର୍ଷର। ଝିଅକୁ ଚାରି ବର୍ଷ। ଝିଅ ଲଣ୍ଡନରେ ଜନ୍ମ ହୋଇଛି। ସେ କେବେ ବଡ଼ବାପାକୁ ଦେଖିନି। କିନ୍ତୁ ପୁଅ ଏଇଠି ଜନ୍ମ ହୋଇଥିଲା, ଗାଁରେ। ବଡ଼ବାପା ତାକୁ ଭାରି ଗେଲା କରନ୍ତି। ସେଥିପାଇଁ ସେ ବଡ଼ବାପାର ସବୁଠୁ ପ୍ରିୟ। ତାର ସବୁଠୁ ପ୍ରିୟ ବଡ଼ବାପା। ଏତେ ବର୍ଷ ହେଲାଣି ଲଣ୍ଡନରେ ରହିଲେ ବି, ସେ ସବୁଦିନ ଭିଡିଓ କଲ୍ କରି ବଡ଼ବାପା ସାଙ୍ଗରେ କଥା ହୁଏ। ଆଉ ସିଏ ହିଁ ଚିହ୍ନେଇଥିଲା ତା କୁନି ଭଉଣୀକୁ ଘରର ସମସ୍ତଙ୍କୁ। ସେଥିପାଇଁ ସରୋଜର ଝିଅ ବି ଦେଖୁ ଦେଖୁ ଜାଣିପାରିଥିଲା ବଡ଼ବାପାଙ୍କୁ।

ଟାଇଁ ଟାଇଁ ଖରା। ଲଣ୍ଡନରୁ ଆସିଥିବା ପିଲାଗୁଡ଼ାକ ଏ ଖରା କି ସମ୍ଭାଳି ପାରିବେ? ଏମିତି ହିଁ ଭାବିଲା ବେଳକୁ ଗାଡ଼ି ଭିତରୁ ଗୋଟିଏ ରଙ୍ଗବେରଙ୍ଗ କପଡ଼ା ଥିବା ଏକ ବିରାଟ ଛତା ବାହାର କଲା ସରୋଜ। ସେ ଛତାଟା ଫୁଟାଇଲା ବେଳେ ଲାଗୁଥିଲା ସତେ ଯେମିତି କେହି ଜଣେ ଦୋଳପୂର୍ଣ୍ଣିମାରେ ଠାକୁରଙ୍କ ରଙ୍ଗଖେଳ ପାଇଁ ଛତ୍ରୀ ଧରି ଚାଲୁଛି। ସରୋଜ ଯେଭଳି ଭାବେ ଛତାଟାକୁ ଖୋଲିଲା, ତାକୁ ଦେଖି ହସିଦେଲା ମନୋଜ। ତା ହସ ଦେଖି ସବୁକିଛି ବୁଝି ପାରିଲା ସରୋଜ। ତାକୁ ମନେ ପଡ଼ିଗଲା ତା ପିଲାଦିନ। ସେ ଗାଁରୁ ଯେତେବେଳେ ପାଖ ସହରକୁ ପାଠ ପଢ଼ିବା ପାଇଁ ଚାଲି ଚାଲି ଯାଉଥିଲା, ସେତେବେଳେ ତାକୁ ଘରୁ ଗୋଟିଏ ଛତା ଧରି ଯିବାକୁ ପଡୁଥିଲା। ଷଷ୍ଠ ଶ୍ରେଣୀର ସରୋଜ ପାଇଁ ସେ ଛତାଟା ଥିଲା ବହୁତ ବଡ଼। କାରଣ ସେ ଛତା ଥିଲା ଜେଜେବାପାଙ୍କର। ଗୋଟିଏ ବିରାଟ ଛତା। ଯେଉଁଥିରେ ବେଣ୍ଟ ଭାବେ ଲାଗିଥିଲା ଗୋଟିଏ ବିରାଟ ବଙ୍କୁଲି ବେତ। ଦୁଇ ତିନିଟା ସ୍ଥାନରେ ଛତାର କନାଟା ଫାଟି ଯାଇଥିଲା ଯେ, ତାକୁ ଛୁଞ୍ଚିସୂତାରେ ସିଲାଇ ପକାଇଥିଲେ ଜେଜେବାପା। ବଡ଼ ବିଚିତ୍ର ଦେଖାଯାଉଥିଲା ସେହି ଛତାଟି। ସେ ଛତା ଧରି ସ୍କୁଲ ଯିବାକୁ ସରୋଜର ଆଦୌ ମନନଥାଏ। ତାକୁ ଭଲଲାଗୁନଥିଲା ସେହି ଛତା ନେବାପାଇଁ। ସେଥିପାଇଁ ସେ ମାଆ ସାଙ୍ଗରେ ଅନେକ ଥର ଝଗଡ଼ା ବି କରିଛି। କିନ୍ତୁ ବାପା ଆଉ ଜେଜେଙ୍କ ତାଗିଦ୍, ବିନା ଛତାରେ ତୁ ସ୍କୁଲ ଯିବୁନି। ତେଣୁ ବାପାରାଣ ଢିଙ୍କିଗିଳ ନ୍ୟାୟରେ ଇଚ୍ଛା ନଥିଲେ ବି ତାକୁ ସ୍କୁଲ ନେଇ ଯିବାକୁ ପଡୁଥିଲା ସେହି ଛତା।

ତେବେ ଏତେ ଛୋଟ ବେଳୁ ହିଁ ଖୁବ୍ ଫ୍ୟାଶନପ୍ରେମୀ ଥିଲା ସରୋଜ। କାଳେ ତା ଛତା ଦେଖିଲେ ସହରର ସେହି ସ୍କୁଲରେ କେହି ତାକୁ ଗାଉଁଳୀ କିମ୍ବା ମଫସଲୀ କହିଦେବେ, ସେଥିପାଇଁ ସ୍କୁଲ ପହଞ୍ଚିବା ପୂର୍ବରୁ ଗୋଟିଏ ଝଙ୍କାଳିଆ ବୁଦା ଭିତରେ ଲୁଚାଇ ଦେଇଥିଲା ସେହି ଛତାକୁ। ସେ ଭାବିଥିଲା ସ୍କୁଲ ସରିଲା ପରେ ଘରକୁ ଫେରିଲା ବେଳେ ସାଙ୍ଗରେ ସେହି ଛତା ନେଇ ଫେରିଯିବ। ସ୍କୁଲ ପହଞ୍ଚିଲା ବେଳକୁ ବିଳମ୍ବ ହୋଇସାରିଥିଲା। ତାକୁ କ୍ଲାସ୍ ଆରମ୍ଭ ପୂର୍ବରୁ ହିଁ ମାଡ଼ ପଡ଼ିଲା। ସୀତାନାଥ ସାର୍ ଏମିତି ଉତ୍ତମ ମଧ୍ୟମ କଲେ ଯେ, ସେ ଜୀବନ ତମାମ ଆଉ କେବେ ସ୍କୁଲକୁ ବିଳମ୍ବରେ ପହଞ୍ଚି ନାହିଁ। ଦିନ ତମାମ ସବୁ କ୍ଲାସ୍ ସରିବା ପରେ ସ୍କୁଲରୁ ବାହାରିଲା ସରୋଜ। ବାଟରେ ଆସି ସେହି ଝଙ୍କାଳିଆ ବୁଦା ମୂଳରେ ଖୋଜିଲା ବେଳକୁ ଆଉ ସେ ଛତା ନାହିଁ। ବିଚରା ମନ ଦୁଃଖରେ ଘରକୁ ଫେରିଲା। ଘରେ ପହଞ୍ଚିଲା ବେଳକୁ ଦୁଆର ମୁହଁରେ ବସିଥାନ୍ତି ଜେଜେବାପା। ପଚାରିଲେ, ତୋର ଛତା କୁଆଡ଼େ ଗଲା? କଣ ଆଉ କହନ୍ତା ସେ? କହିଲା, ସ୍କୁଲରୁ କେହି ନେଇଗଲା। ମାନେ ଛତାଟି ଚୋରି ହୋଇଗଲା। ଜେଜେ ଟିକିଏ ରାଗିଲେ ସରୋଜ ଉପରେ। ତେବେ ସେଦିନଠୁ ସୋରଜ ସ୍ଥିର କଲା, ପୃଥିବୀ ଓଲଟିଗଲେ ବି ଆଉ କେବେ ଛତା ଧରି ଯିବନି ସେ ସ୍କୁଲ। ସେଥିପାଇଁ ଖରା ବର୍ଷା କିଛି ନମାନି, ସେ ସବୁବେଳେ ବିନା ଛତାରେ ଯାଇଛି ସ୍କୁଲକୁ। ବାପା କହିଲେ, ନୂଆ ଛତାଟେ ଆଣିଛି। ସେଇଟା ନେଇକି ଏଣିକି ସ୍କୁଲ ଯାଆ। ତଥାପି ମାନିଲାନି ସରୋଜ। କହିଲା, ଏ ଛତାଟି ଯଦି ପୁଣି ହଜିଯାଏ, ତାହେଲେ ମତେ ପୁଣି ଗାଳି ପଡ଼ିବ। ତେଣୁ ମୂଳରୁ ଛତା ନନେଲେ ହିଁ ଭଲ।

ମନୋଜ କହିଲା, ଆରେ କଣ ଭାବୁଛୁ? ଏମିତି ହିଁ କଣ ଛତା ଫୁଟାଇ ଏଇଠି ଠିଆ ହୋଇଥିବୁ ନା ଘରକୁ ଯିବା? ଘରେ ବାପା ମାଆ ସମସ୍ତେ ଅପେକ୍ଷା କରିଛନ୍ତି। ଶୀଘ୍ର ଚାଲ। ଛତାଟାକୁ ବନ୍ଦ କରି ପୁଣି କାର୍ ଭିତରେ ବସିଲା ସରୋଜ। ପିଲାମାନଙ୍କୁ ଧରି ଗାଁ ଭିତରକୁ ପଶିଲା କାର୍। ଏଣେ ଚାଲି ଚାଲି ଘରକୁ ଫେରୁଥାଏ ମନୋଜ। ଗାଡ଼ି ଭିତରେ ସିନା ବସିଗଲା ସରୋଜ, ହେଲେ ତା ମନଟା ଥିଲା ଅନ୍ୟମନସ୍କ। ମନରେ ଚାଲିଥିଲା କେବଳ ଛତାର ସ୍ମୃତି। ସେଦିନ କଲେଜ କ୍ଲାସ ପରେ ଯେତବେଳେ ଶ୍ରାବଣୀ ଓ ସେ ଲାବୋରେଟରୀରୁ ବାହାରିଲେ ହଷ୍ଟେଲ ଫେରିବା ପାଇଁ, ସେତେବେଳେ ହିଁ କୁଆଡ଼େଥିଲା କଳାହାଣ୍ଡିଆ ମେଘଟା ହଠାତ୍ ଅଜାଡ଼ି ଦେଲା ଅଜସ୍ର ପାଣି। ସରୋଜ ତା ସାର୍ଟ ଭିତରେ ବହି ଓ ପ୍ରାକ୍ଟିକାଲ ରେକର୍ଡକୁ ଭର୍ତ୍ତି କରି ଓଦାହେବାରୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ, ନିଜ ବ୍ୟାଗରୁ ଛତାଟାକୁ ବାହାର କରି ଫୁଟାଇଦେଲା ଶ୍ରାବଣୀ। ଅଧା ଓଦା ହୋଇଯାଇଥିବା ସରୋଜ ଉପରକୁ ଆଣିଲା ଛତାଟିକୁ। କହିଲା, ଆରେ ତୁ ଏମିତିରେ ପୂରା ଓଦା ହୋଇଯିବୁ। ମୋ ଛତା ତଳକୁ ପଳେଇ ଆସ। ସରୋଜ ମନାକଲା ଶ୍ରାବଣୀକୁ। କହିଲା, ପାରିବୁ ଯଦି ମୋ ବହି ଓ ପ୍ରାକ୍ଟିକାଲ ରେକର୍ଡକୁ ତୁ ଛତାତଳେ ଧରି ଦେ। ମୋର ଛତା ସାଙ୍ଗରେ ସମ୍ପର୍କ ଭଲ ନାହିଁ। ତେଣୁ ତୁ ତୋ ଛତା ତଳେ ରହ। ହେଲେ ଶ୍ରାବଣୀ ଥିଲା ନଛୋଡ଼ବନ୍ଦା। ସରୋଜ ଆଡ଼କୁ ପାଖେଇ ଆସି ତା ପଛପଟୁ ସାର୍ଟ କଲାରଟାକୁ ଧରିଦେଲା। କହିଲା, ବେଶୀ ହିରୋ ଦେଖଉଛୁ। ବର୍ଷାରେ ଓଦାହେଲେ ଦେହ ଖରାପ ହୋଇଯିବ। କାଲି କ୍ଲାସ୍ କରିପାରିବୁ ନାହିଁ। ସେତବେଳେ କଣ କରିବୁ। ଆସ .. ଛତା ତଳକୁ। ଶ୍ରାବଣୀ ଥିଲା ସହରର ଝିଅ। ସରୋଜ ଗାଁ ପିଲା। କେଜାଣି କାହିଁକି କଲେଜରେ ସରୋଜର ସବୁ କାର୍ଯ୍ୟକଳାପ ହାବଭାବ ଶ୍ରାବଣୀକୁ ଆକର୍ଷିତ କରୁଥିଲା ସବୁବେଳେ। ବୋଧହୁଏ ସେହି ବର୍ଷା ଉଦ୍ଦିଷ୍ଟ ଥିଲା ସରୋଜ ଓ ଶ୍ରାବଣୀକୁ ନିକଟତର କରାଇବା ପାଇଁ। ସରୋଜ ସେଦିନ ଶ୍ରାବଣୀର ଛତାତଳେ ଯେଉଁ କିଛି ସମୟ କାଟିଥିଲା, ସେଇଟାଥିଲା ସେ ଉଭୟଙ୍କ ପାଇଁ ଏକ ଅଭୁଲା ମୁହୂର୍ତ୍ତ।

ଏତିକି ବେଳେ କାରଟା ହଠାତ୍ ବ୍ରେକ୍ ମାରିଲା। ଅନ୍ୟମନସ୍କ ସରୋଜ ପ୍ରକୃତିସ୍ଥ ହେଲା। ଦେଖିଲା ତା କାର୍ ଠିଆ ହୋଇଛି ଘର ସାମ୍ନାରେ। ଗାଡ଼ିରୁ ଓହ୍ଲାଇଲେ ସରୋଜର ସ୍ତ୍ରୀ ଓ ତାର ଛୁଆ। ସେତେବେଳକୁ ମାଆ କଂସାରେ କାଞ୍ଜିପାଣି ତୋରାଣି ଧରି ଆସି ଦୁଆର ମୁହଁରେ ଠିଆ ହୋଇଛି। ପିଲାମାନଙ୍କୁ ସେହି କଂସା ତୋରାଣିରେ ଆଉଳେଇ ଦେଲା। ବାଟରେ କାଳେ କୌଣସି ଭୂତ ପିଶାଚ କିମ୍ବା ଡାହାଣୀ ଚିରୁଗୁଣୀର କୁଦୃଷ୍ଟି ପଡ଼ିଥିବ ପିଲାମାନଙ୍କ ଉପରେ, ସେଥିପାଇଁ ସେମାନଙ୍କୁ ଏମିତି ହିଁ ଆଉଳେଇ ଦିଏ ମାଆ। ଘର ଭିତରକୁ ପଶିଗଲେ ସମସ୍ତେ। ବାପାମାଆଙ୍କୁ ମୁଣ୍ଡିଆ ମାରି ଘର ଭିତରେ ପଶିଲା ସରୋଜ। ତଥାପି ତାର ଅନ୍ୟମନସ୍କତା ସେମିତି ହିଁ ଥାଏ। ଏବେ ବି ଛତାର ସ୍ମୃତିରୁ ବାହାରିନଥିଲା ସରୋଜ। ତାକୁ ମନେପଡ଼ିଲା ଯେଉଁଦିନ ତା ବରଯାତ୍ରୀ ଦଳକୁ ପାଛୋଟି ନେବା ପାଇଁ ସାମ୍ନାରୁ ତା ଶ୍ୱଶୂର ଘର ଲୋକେ ଆସିଲେ, ସେମାନଙ୍କ ଭିତରେ ସମ୍ପର୍କୀୟ ଜଣେ ଧରିଥିଲେ ଛତାଟିଏ। ବର ଗାଡ଼ିରୁ ଓହ୍ଲାଇବା କ୍ଷଣି, ସେ ଆସି ସେହି ଛତାଟିକୁ ସରୋଜର ମୁଣ୍ଡ ଉପରେ ଟେକିଧରିଲେ। ସରୋଜ କହିଲା, ଆରେ ଏ ଛତା କଣ ଦରକାର? ଏବେ କଣ ବର୍ଷା ହେଉଛି ନା ଖରା ହେଉଛି। ଏଇଠି ମଣ୍ଡପ ପାଖରେ ଏ ଛତା କାହିଁକି ଟେକିଛ? ସେ ସମ୍ପର୍କୀୟ ଯୁବକଟି କହିଲା, ଭାଇ ଏଇଟା ପରା ଦେଈର ଛତା। ସେ କହିଲା, କୁଆଡ଼େ ଏଇ ଛତା ତଳେ ତମ ସମ୍ପର୍କର ନିଅ ପଡ଼ିଥିଲା। ସେଥିପାଇଁ ବର ମୁଣ୍ଡ ଉପରେ ଏ ଛତାଟା ଫୁଟାଇ ସ୍ୱାଗତ କରିବିନି ତ ଆଉ କୋଉଥିରେ କରିବି?ସରୋଜ ହସିଦେଲା। ତା ବାହାଘରକୁ ଆସି ପନ୍ଦର ବର୍ଷ ହେଲାଣି, ଆଉ କଲେଜ ପଢ଼ାକୁ ପ୍ରାୟ କୋଡ଼ିଏ ବର୍ଷ। ଏବେ ବି ସେହି ଛତାକୁ ସାଇତି ରଖିଛି ଶ୍ରାବଣୀ। ଏତିକିବେଳେ ଘରେ ପହଞ୍ଚି ସାରିଥିଲା ମନୋଜ। କହିଲା, ଆରେ ତୁ କ’ଣ ଏମିତି ଅନ୍ୟମନସ୍କ ହୋଇ ବସିଛୁ? ଯାଆ ଧୁଆ ଧୋଇ ହୋଇ ଆସ। ମୋତେ ଭୋକ ଲାଗିଲାଣି। ଏତେ ଦିନ ପରେ ଆମେ ଏକାଠି ଖାଇବା। କଣ ଭାବୁଛୁ ସେତେବେଳଠୁ? ସରୋଜ ପୁଣି ଫେରିଆସିଲା ତା ଭାବନା ରାଜ୍ୟରୁ। ଜୋରରେ ଠୋ ଠୋ ହୋଇ ହସିଉଠିଲା। ତା ହସ ଦେଖି ମନୋଜ କହିଲା, କଣ ଏ ଯାଏଁ ତୁ ସେହି ଛତାକଥା ହିଁ ଭାବୁଥିଲୁ ନା କଣ?

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed.